fbpx
BSKY SKY
BSKY SKY

ଅଲଟିମେଟ୍‌ ଖୋଖୋ ଲିଗ୍‌ ପାଇଁ ଓଡ଼ିଶା ଜଗରନଟ୍ସ ଦଳର ଜର୍ସି ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୧୪ରୁ ଆରମ୍ଭ ହେବ ଲିଗ୍ ମ୍ୟାଚ୍‌

BSKY

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅଲଟିମେଟ୍‌ ଖୋଖୋ ଲିଗ୍‌ର ପ୍ରଥମ ସଂସ୍କରଣରେ ଭାଗ ନେବାକୁ ଥିବା ଓଡ଼ିଶା ଜଗରନଟ୍ସ ଦଳର ଜର୍ସି ଉନ୍ମୋଚନ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌, ରାଜ୍ୟ କ୍ରୀଡ଼ା ସଚିବ ଆର୍‌.ଭିନିଲ କ୍ରୀଷ୍ଣା ଓ ରାଜ୍ୟ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଦଳକୁ ଅଭିନନ୍ଦନ ଓ ସ୍ୱାଗତ ଜଣାଇବା ସହ କହିଛନ୍ତି ଯେ, ଆପଣମାନେ ସମସ୍ତେ ବର୍ତ୍ତମାନ ଆମ ପରିବାର । ଏହି ଖୋଖୋ ଲିଗ୍‌ରେ ଦଳର ସଫଳତା କାମନା କରୁଛି । ଏହି ନୂଆ ଜର୍ସି ଦଳର ଖେଳାଳିଙ୍କୁ ବିଶେଷ ଉତ୍ସାହିତ କରିବ । ଦେଶର ପାରମ୍ପରିକ କ୍ରୀଡ଼ା ଖୋଖୋର ଉନ୍ନତି ପାଇଁ ଏହା ଏକ ବରିଷ୍ଠ ପଦକ୍ଷେପ । ଆସନ୍ତା ୧୫ ତାରିଖରେ ମହାରାଷ୍ଟ୍ରର ପୁନେ ଠାରେ ଓଡ଼ିଶା ଦଳ ଏହି ଲିଗ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ । ଅଗଷ୍ଟ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଅଲଟିମେଟ୍‌ ଖୋଖୋ ଲିଗ୍‌ ସେପ୍ଟେମ୍ବର ୪ ତାରିଖ ଦିନ ସମାପ୍ତ ହେବ ।

ଓଡ଼ିଶା ଜଗରନଟ୍ସର ଏହି ଲିଗ୍‌ର ୫ମ ଫ୍ରାଞ୍ଚାଇଜ୍‌ ହୋଇଥିବାବେଳେ ଅଶ୍ୱିନୀ କୁମାର ଶର୍ମା ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ଦଳରେ ମୋଟ୍‌ ୨୫ ଖେଳାଳି ଥିବାବେଳେ ଓଡ଼ିଶାର ୬ ଖେଳାଳି ଏବଂ ଓଏସ୍‌ ଡିିସିର ୧୦ ଖେଳାଳି ସାମିଲ ହୋଇଛନ୍ତି । ରାଜ୍ୟ କ୍ରୀଡ଼ା ସଚିବ ଆର୍‌. ଭିନିଲ୍‌ କ୍ରୀଷ୍ଣା କହିଛନ୍ତି ଯେ, ଓଡ଼ିଶା ସରକାର ପାରମ୍ପରିକ କ୍ରୀଡ଼ାର ଉନ୍ନତି ପାଇଁ ତୃଣମୂଳ ସ୍ତରରେ ଦୃଢ଼ ପଦକ୍ଷେପ ନେବା ଖୁସିର ବିଷୟ । ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ଗଠିତ ଓଡ଼ିଶା ଦଳ ମୋତେ ବିଶେଷ ପ୍ରଭାବିତ କରିଛି । ସେହିପରି ଦଳର ମୁଖ୍ୟ କୋଚ୍‌ ଶ୍ରୀ ଶର୍ମା କହିଛନ୍ତି ଯେ, ମୋତେ ଏହି ଲିଗ୍‌ ପାଇଁ କୋଚ୍‌ ନିଯୁକ୍ତ କରାଯାଇଥିବାରୁ ମୁଁ କୃତଜ୍ଞତା ଜଣାଉଛି ।

ଦଳର ଅଧିନାୟକ ଦୀପେଶ ବିଜୟ ମୋରେ କହିଛନ୍ତି ଯେ, ଏହି ଲିଗ୍‌ରେ ଭଲ ପ୍ରଦର୍ଶନ ପାଇଁ ଆମେ ବରାବର ଚେଷ୍ଟା କରିବୁ । କାରଣ ଦଳରେ ଏକାଧିକ ଦକ୍ଷ ଖେଳାଳି ଅଛନ୍ତି । ଓଡ଼ିଶା ଖେଳାଳି ଜଗନ୍ନାଥ ମୁର୍ମୁ କହିଛନ୍ତି ଯେ, ପୂର୍ବରୁ ଆମେ ଏହି ଖୋଖୋରେ ଅଭ୍ୟାସ ପାଇଁ ବିଶେଷ ସୁବିଧା ପାଉନଥିଲୁ । ମାତ୍ର ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ବିଶେଷ ସୁଯୋଗ ପାଇଥିବାରୁ ଖୁସି ଅନୁଭବ କରୁଛୁ ।

Get real time updates directly on you device, subscribe now.