fbpx

କ୍ରିକେଟ ମଇଦାନରେ ଅମ୍ପାୟାରଙ୍କୁ ହତ୍ୟା: ‘ନୋ ବଲ’ ଘୋଷଣା କଲେ ବୋଲି ମାରିଦେଲେ ଖେଳାଳି

କଟକ: କ୍ରିକେଟ ବର୍ତ୍ତମାନ ସାରା ବିଶ୍ୱରେ ସବୁଠୁ ଲୋକପ୍ରିୟ ଖେଳ ଭାବରେ ପରିଚୟ ପାଇସାରିଛି । ତେବେ ଆଜି ଏହି କ୍ରିକେଟ ଖେଳରେ ପଡିଛି ରକ୍ତର ଛିଟା । ଗୋଟିଏ ନିଷ୍ପତ୍ତି ଅମ୍ପାୟାରଙ୍କ ଜୀବନ ନେଇଛି । ବୋଲରଙ୍କର ଏକ ବଲକୁ ‘ନୋ ବଲ’ ଘୋଷଣା କରିବାରୁ ରାଗରେ ଖେଳାଳିମାନେ ଅମ୍ପାୟାରଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କ୍ରିକେଟ ବ୍ୟାଟ ଏବଂ ଛୁରୀ ଭଳି ଅସ୍ତ୍ରରେ ଅମ୍ପାୟାରଙ୍କୁ ଆକ୍ରମଣ କରିଥିଲେ ଅସନ୍ତୋଷ ଖେଳାଳି ।

କ୍ରିକେଟକୁ ଜେଣ୍ଟଲମ୍ୟାନ ଗେମ୍ କୁହାଯାଏ । କ୍ରୀଡା ମନୋଭାବ ନେଇ ଖେଳାଳିମାନଙ୍କ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଭାବେ ଖେଳ ସମ୍ପନ୍ନ କରିବା ପାଇଁ ସେମାନେ ଶପଥ ନେଇଥାନ୍ତି । କିନ୍ତୁ କଟକ ଚୌଦ୍ୱାର ଅଞ୍ଚଳରେ ଦେଖିବାକୁ ମିଳିଛି ଏହାର ସମ୍ପୂର୍ଣ୍ଣ ବିପରୀତ ଘଟଣା । ଅମ୍ପାୟାରଙ୍କ ନିଷ୍ପତ୍ତିରେ ଖେଳାଳିଙ୍କ ଅସନ୍ତୋଷ ଭୟଙ୍କର ରାଗର ରୂପ ନେଇଥିଲା, ଯାହା ପରେ ଅମ୍ପାୟାରଙ୍କ ହତ୍ୟାରେ ଶେଷ ହୋଇଛି । ସୂଚନା ଅନୁସାରେ, ଚୌଦ୍ୱାରରେ ସ୍ଥାନୀୟ ଅଞ୍ଚଳର ଦୁଇଟି ଟିମ ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଜଣେ ଖେଳାଳିଙ୍କୁ ବଲକୁ ‘ନୋ ବାଲ’ ବୋଲି ଘୋଷଣା କରିଥିଲେ ଅମ୍ପାୟାର ଲକି(୨୨) । ଏହି ନିଷ୍ପତ୍ତିକୁ ନେଇ ଜୋର ଧରିଥିଲା ବିବାଦ । ବୋଲିଂ ଟିମର ଖେଳାଳିମାନେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଲକିଙ୍କୁ ଆକ୍ରମଣ କରିଥିଲେ । କ୍ରିକେଟ ବ୍ୟାଟରେ ତାଙ୍କୁ ପଛପଟୁ ମାଡ ମାରିବା ସହ ଛୁରୀରେ ମଧ୍ୟ ଆକ୍ରମଣ ହୋଇଥିବା ଜାଣିବାକୁ ମିଳିଛି ।

ତେବେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଅମାନୁଷିକ ଭାବରେ ଲକିଙ୍କ ଉପରେ ଆକ୍ରମଣ କରିଥିବା ଖେଳାଳିଙ୍କୁ ଗ୍ରାମବାସୀ କାବୁ କରିବା ସହ ପୋଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିବା ସହ ଉତ୍ତେଜନା ପରିସ୍ତିତିକୁ ନଜରରେ ରଖି ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ କ୍ରିକେଟ ସମୟରେ ଅମ୍ପାୟାରଙ୍କ ଉପରକୁ ଏଭଳି ଏକ ଆକ୍ରମଣ ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । କିନ୍ତୁ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

Get real time updates directly on you device, subscribe now.