fbpx

ହାଇଟେକ୍ ହସ୍‌ପିଟାଲ ବିସ୍ଫୋରଣ: ସ୍ୱାମୀଙ୍କ ମୃତ୍ୟୁକୁ ସହିପାରିଲେନି ସ୍ତ୍ରୀ, ଶେଷରେ ନିଜର ଜୀବନ ହାରିଦେଲେ

ଓଡିଶା ଭାସ୍କର: ଗତ ଶୁକ୍ରବାର ଭୁବନେଶ୍ୱରର ପାଣ୍ଡରାସ୍ଥିତ ହାଇଟେକ୍ ହସ୍‌ପିଟାଲରେ ବିସ୍ଫୋରଣ ଘଟିଥିଲା। ହସ୍‌ପିଟାଲର ତୃତୀୟ ମହଲାରେ ଏକ ଏସିରେ ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯାଇଥିଲା। ତେବେ ଏହି ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ସାମନ୍ତରାୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖୋର୍ଦ୍ଧା ଜିଲ୍ଲା ଜଟଣୀର ବଅଁଙ୍ଗ ଗାଁରେ ମୃତ ଦିଲ୍ଲୀପଙ୍କ ଘର। ତେବେ ଦିଲ୍ଲୀପଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ସୁନା ସାମନ୍ତରାୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଯାହାକୁ ନେଇ ଆଜି ସକାଳେ ତାଙ୍କ ପତ୍ନୀ ସୁନା ଆତ୍ମହତ୍ୟା କରି ଦେଇଛନ୍ତି।

ପରିବାର ଲୋକଙ୍କଠାରୁ ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ସୁନାଙ୍କୁ ଉଦ୍ଧାର କରି ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହି ମାମଲାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.