fbpx

୨୬ ବର୍ଷ ପରେ ଆସିଲା ଦତ୍ତା ସାମନ୍ତ ହତ୍ୟାକାଣ୍ଡର ରାୟ: ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ୨୬ ବର୍ଷ ତଳର ପୁରୁଣା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଅଣ୍ଡରୱାର୍ଲ୍ଡ ଡନ ଛୋଟା ରାଜନକୁ ନିର୍ଦ୍ଦୋଷରେ ଖଲାସ କରିଦିଆଯାଇଛି । ୧୯୯୭ ମସିହାରେ ଘଟିଥିବା ଶ୍ରମିକ ନେତା ଦତ୍ତା ସାମନ୍ତ ହତ୍ୟା ମାମଲାରେ ମୁମ୍ବାଇର ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ଶୁଣାଣି କରିଛନ୍ତି । ଠୋସ ପ୍ରମାଣର ଅଭାବ କାରଣରୁ ରାଜନକୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ବିଶେଷ ନ୍ୟାୟାଧିଶ ଏଏମ ପାଟିଲ କହିଛନ୍ତି ।

ଅଭିଯୋଗ ପକ୍ଷ ମୁତାବକ, ଗତ ୧୯୯୭ ମସିହା ଜାନୁଆରୀ ମାସ ୧୬ ତାରିଖରେ ଡ. ସାମନ୍ତ ପବଈରୁ ଘାଟକୋପରର ପନ୍ତନଗର ଅଭିମୁଖେ ଯାଉଥିଲେ । ଏହି ସମୟରେ ପଦ୍ମାବତୀ ରୋଡ଼ ସ୍ଥିତ ନରେଶ ଜେନେରାଲ ଷ୍ଟୋର ନିକଟରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଫଳରେ ସାମନ୍ତଙ୍କର ମୃତ୍ୟୁ ଘଟିଥିଲା । ତେବେ ରାଜନ ଯାହାର ଅସଲି ନାମ ରାଜେନ୍ଦ୍ର ସଦାଶିବ ନିକାଲଜେ ସେ ଷଡ଼ଯନ୍ତ୍ର ରଚିଥିବା ନେଇ ରେକର୍ଡରେ କିଛି ନାହିଁ । ବିଭିନ୍ନ ସହରରେ ଡଜନରୁ ଅଧିକ ମୋକଦ୍ଦମା ଚାଲିଥିବାରୁ ଗ୍ୟାଙ୍ଗଷ୍ଟରକୁ ଶୀଘ୍ର ଜେଲରୁ ମୁକ୍ତ କରିବାର ସମ୍ଭାନା ନଥିବା କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦତ୍ତା ସାମନ୍ତ ଜଣେ ଡାକ୍ତର ଥିଲେ । ପରେ ସେ ଜଣେ ପ୍ରସିଦ୍ଧ ଶ୍ରମିକ ସଂଘର ନେତା ଭାବେ ପରିଚିତ ହୋଇଥିଲେ । ସେ ୧୯୭୦ ଦଶକରେ ଜଣେ କର୍ମଚାରୀ ନେତା ଭାବେ କାର୍ଯ୍ୟ କରିଥିଲେ ଓ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁମ୍ବାଇର ପ୍ରସିଦ୍ଧ କପାସ ମିଲରେ ଶ୍ରମିକଙ୍କ ବେତନ ସମ୍ବନ୍ଧିତ ପ୍ରସଙ୍ଗର ସମାଧାନ ପାଇଁ ହରତାଲରେ ଅଂଶଗ୍ରହଣ କରିଥିଲେ । ୧୯୯୭ରେ ସେ ନିଜ ଗାଡ଼ିରେ ଯାଉଥିବା ବେଳେ ତାଙ୍କୁ ଉପରକୁ ୪ ଜଣ ବାଇକ ଆରୋହୀ ୧୭ ରାଉଣ୍ଡ ଗୁଳିମାଡ଼ କରିଥିଲେ । ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.