fbpx

ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisement

ଭୁବନେଶ୍ୱର: ବିଦ୍ୟାଳୟ ଶିକ୍ଷାକୁ ମଜଭୁତ କରିବା, ସମାଜରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରିବା ଦିଗରେ ଭୁବନେଶ୍ୱରଠାରେ ଆଜିଠାରୁ ଶିକ୍ଷା-ପ୍ରଶିକ୍ଷଣ ଏବଂ ରାଜ୍ୟପାଇଁ ଫଳାଫଳ ବୃଦ୍ଧି-ଷ୍ଟାର୍‍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି । ଜାତୀୟ ଶିକ୍ଷାନୀତି ଅଧୀନରେ ୬ଟି ରାଜ୍ୟର ଶିକ୍ଷା ସଚିବ ଏହି ବୈଠକରେ ଯୋଗ ଦେଇଛନ୍ତି ।

ଓଡ଼ିଶା ସମେତ ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶର ଶିକ୍ଷା ସଚିବ ମାନେ ଏହି ବୈଠକରେ ଯୋଗଦେଇଛନ୍ତି । ସମଗ୍ର ଶିକ୍ଷା ଅଭିଯାନ ସହ ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟରେ ୫ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟବରାଦ କରାଯାଇଛି । ଏଥିରେ ବିଶ୍ୱ ବ୍ୟାଙ୍କର ୬୫ ପ୍ରତିଶତ ଯୋଗଦାନ ଥିବାବେଳେ ୬ଟି ରାଜ୍ୟ ୩୫ ପ୍ରତିଶତ ଅର୍ଥର ଯୋଗଦାନ ରହିଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ । ରାଷ୍ଟ୍ରୀୟ ପାଠ୍ୟକ୍ରମ ରୂପରେଖ ହେଉଛି ଜାତୀୟ ଶିକ୍ଷାନୀତିର ଅସ୍ମିତା ବୋଲି ସେ ମତ ରଖିଛନ୍ତି । ଜାତୀୟ ଶିକ୍ଷାନୀତି ଲାଗୁ କରିବା ଏବଂ ପିଏମ୍‍ ଶ୍ରୀ ଯୋଜନାରେ ଯୋଡ଼ି ହେବା ପାଇଁ ସେ ରାଜ୍ୟଗୁଡ଼ିକୁ ଆହ୍ୱାନ କରିଛନ୍ତି । ଆସନ୍ତାକାଲି ରାଜ୍ୟର ସ୍କୁଲ ଶିକ୍ଷାର ଅଗ୍ରଗତି ଉପରେ ଆଲୋଚନା କରାଯିବ । ସ୍କୁଲ ଶିକ୍ଷା ନେଇ ରାଜ୍ୟଗୁଡ଼ିକର ବାର୍ଷିକ ଯୋଜନା, ବଜେଟ୍‍, ସମଗ୍ର ଶିକ୍ଷା ଉପରେ ଚର୍ଚ୍ଚା ସହ ରାଜ୍ୟଗୁଡ଼ିକଠାରୁ ବିଭିନ୍ନ ପରାମର୍ଶ ଗ୍ରହଣ କରାଯିବ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ରେ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଜାତୀୟ ଶିକ୍ଷାନୀତିରେ ଥିବା ଉଦ୍ଦେଶ୍ୟ ସହିତ ଷ୍ଟାର୍‍ସ ପ୍ରକଳ୍ପର ଉପକ୍ରମ ଗୁଡ଼ିକ ଯୋଡ଼ିହୋଇ ରହିଛି ।

Get real time updates directly on you device, subscribe now.