fbpx

ଚୀନର ଟେକ୍ କମ୍ପାନି ଉପରେ ଆମେରିକାର ବଡ କାର୍ଯ୍ୟାନୁଷ୍ଠାନ, Huawei ଏବଂ ZTE ସମେତ ୫ ଫର୍ମର ଉପକରଣ ଉପରେ ଲଗାଇଲା କଟକଣା

ନୂଆଦିଲ୍ଲୀ: ଚୀନର ପ୍ରସିଦ୍ଧ ଏବଂ ପ୍ରତିଷ୍ଠିତ ଟେକ୍ କମ୍ପାନି ଉପରେ ଆମେରିକା ଚଳାଇଲା ଚାବୁକ ପ୍ରହାର। ଆମେରିକା ରାଷ୍ଟ୍ରୀୟ ସୁରକ୍ଷାର ଦ୍ଵାହି ଦେଇ ଚୀନର ଦୂର ସଞ୍ଚାର ଉପକରଣ ଉପରେ କଟକଣା ଲଗାଇଛି। ଆମେରିକା ଚୀନ କମ୍ପାନି ହୁଆଓ୍ଵେଇ, ଜେଡଟିଇ ସମେତ ପାଞ୍ଚ କମ୍ପାନି ଦ୍ଵାରା ନିର୍ମିତ ସଞ୍ଚାର ଉପକରଣର ବିକ୍ରି ଉପରେ ନିଷେଧାଦେଶ ଲାଗୁ କରିଛି। ଜୋ ବାଇଡେନ୍ ପ୍ରଶାସନ ଚୀନର ହୁଆଓ୍ଵେଇ ଟେକ୍ନୋଲୋଜି ଏବଂ ଜେଡଟିଇର ନୂତନ ଦୂରସଞ୍ଚାର ଉପକରଣର ବ୍ୟବହାର ଅନୁମତି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କାରଣ ଏହା ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲା ବୋଲି ବାଇଡେନ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆମେରିକାର ଏହି ନିୟମ ଅନୁଯାୟୀ, ହୁଆଓ୍ଵେଇ ଏବଂ ଜେଡଟିଇ ବ୍ୟତୀତ ଚୀନର ସର୍ଭିଲାନ୍ସ ଉପକରଣ ନିର୍ମାତା ଦହୁଆ ଟେକ୍ନୋଲୋଜି କମ୍ପାନି, ଭିଡିଓ ସର୍ଭିଲାନ୍ସ ଫର୍ମ ହଙ୍ଗଜି ହିକଭିଜନ ଡିଜିଟାଲ୍ ଟେକ୍ନୋଲୋଜି କମ୍ପାନି ଲିମିଟେଡ୍ ଏବଂ ଟେଲିକମ ଫର୍ମ ହାଇଟେରା କମ୍ୟୁନିକେସନ କର୍ପ ପ୍ରାଇଭେଟ୍ ଲିମିଟେଡ୍ ଦ୍ଵାରା ନିର୍ମିତ ଉପକରଣର ବିକ୍ରି କିମ୍ବା ଆମଦାନୀ ଉପରେ ରୋକ୍ ଲଗାଯାଇଛି। ଆମେରିକାର ଏହି ନିଷ୍ପତ୍ତିର ଅର୍ଥ ଏବେ ଏହି ପାଞ୍ଚ କମ୍ପାନି ନା ଚୀନରୁ ସାମଗ୍ରୀ ମଗାଇ ଆମେରିକାରେ ବିକି ପାରିବେ ନା ଏହାର ଉତ୍ପାଦକୁ ଚୀନର ଆମଦାନୀ କରି ପାରିବେ।

ଚୀନର ପ୍ରତିଷ୍ଠିତ ଟେକ୍ କମ୍ପାନି ଉପରେ ଆମେରିକା ଏମିତି ସମୟରେ ପଦକ୍ଷେପ ନେଇଛି ଯେଉଁ ସମୟରେ ଚୀନ ସହିତ ସମ୍ବନ୍ଧ ଅଧିକ ବିଗିଡିବାରେ ଲାଗିଛି। ଆମେରିକା ଆଶଙ୍କା ପ୍ରକାଶ କରିଛି ଯେ, ବେଜିଂ ଆମେରିକାର ଗୁଇନ୍ଦାଗିରି କରିବା ପାଇଁ ଚୀନ ବୈଷେୟିକ କମ୍ପାନିର ଉପଯୋଗ କରିପାରେ।

ୟୁଏସ ଫେଡେରାଲ କମ୍ୟୁନିକେସନ କମିସନର ଅଧ୍ୟକ୍ଷ ଜେସିକା ରୋସେନଓ୍ଵର୍ସେଲ ଏକ ବୟାନରେ କହିଛନ୍ତି ଯେ, ନୂତନ ନିୟମ ଆମେରିକାବାସୀଙ୍କୁ ଦୂରସଞ୍ଚାର ସହ ଜଡିତ ଜାତୀୟ ସୁରକ୍ଷା ବିପଦରୁ ବଞ୍ଚାଇବା ପାଇଁ ନିଆଯାଇଛି। ତେବେ ଆମେରିକାର ଏହି ବଡ କାର୍ଯ୍ୟାନୁଷ୍ଠାନ ଉପରେ ହୁଆଓ୍ଵେଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି। ଏପରିକି ଜେଡଟିଇ, ଦହୁଆ, ହିକଓ୍ଵିଜନ ଏବଂ ହାଇଟେରା ମଧ୍ୟ ଏହା ଉପରେ କିଛି କହିବାକୁ ମନା କରି ଦେଇଛନ୍ତି।

Get real time updates directly on you device, subscribe now.