ଆଲେସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ, ଆଲୋଚନା ସତ୍ତ୍ବେ ଯୁଦ୍ଧବିରତି ପାଇଁ ବାହାରିଲାନି ନିଷ୍କର୍ସ
ପାଖାପାଖି ତିନି ବର୍ଷ ଧରି ଲାଗିରହିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ବିରତି ଲାଗିବା ନେଇ ଯେଉଁ ଆଶା କରାଯାଉଥିଲା, ସେଥିରେ ସହମତି ହୋଇପାରିନାହିଁ ।
ନୂଆଦିଲ୍ଲୀ: ଆଲେସ୍କାରେ ଦୁଇ ମହାଶକ୍ତିଙ୍କ ବୈଠକ ଶେଷ । ଗୋଟିଏ ମଞ୍ଚରେ ଦୁଇ ମହାଶକ୍ତି ଯଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚାଲିଥିଲା ବୈଠକ । ଆଲାସ୍କାରେ ତିନି ଘଣ୍ଟା ଧରି ଦୁଇ ମହାଶକ୍ତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ତେବେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବୈଠକ ହୋଇଥିଲା, ତାହା ସଫଳ ହୋଇପାରିଲା ନାହିଁ । ପାଖାପାଖି ତିନି ବର୍ଷ ଧରି ଲାଗିରହିଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ବିରତି ଲାଗିବା ନେଇ ଯେଉଁ ଆଶା କରାଯାଉଥିଲା, ସେଥିରେ ସହମତି ମିଳିପାରିଲା ନାହିଁ । ଯଦିଓ ଯୁଦ୍ଧବିରତି ଏବେ ହେବ ନାହିଁ, କିନ୍ତୁ ଦୁଇ ନେତା ଆଲୋଚନାକୁ ସକାରାତ୍ମକ ବୋଲି କହିଛନ୍ତି ।
ଆମେରିକା ରାଷ୍ଟ୍ରପତି କହିଛନ୍ତି, ଅନେକ ପ୍ରସଙ୍ଗ ଉପରେ ସହମତି ହୋଇଛି, କିନ୍ତୁ କିଛି ପ୍ରସଙ୍ଗରେ ହୋଇପାରିନାହିଁ । ଆଗକୁ ଏହା ଉପରେ ଅଧିକ ଆଲୋଚନାର ଆବଶ୍ୟକତା ଥିବା ଟ୍ରମ୍ପ କହିଛନ୍ତି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା, ଯେଉଁଥିରେ ପୁଟିନ କହିଛନ୍ତି, ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତା ପାଇଁ ଆଲୋଚନା ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଶାନ୍ତି ସ୍ଥାପନ ହୋଇପାରିନାହିଁ ।
ବର୍ତ୍ତମାନର ପରିସ୍ଥିତି ପାଇଁ ୟୁକ୍ରେନ୍ ଦାୟୀ । ବୈଠକ ପରେ ପୁଟିନ୍ ପରବର୍ତ୍ତୀ ଆଲୋଚନା ପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛନ୍ତି । ପରବର୍ତ୍ତୀ ବୈଠକର ରୁଷ୍ ରାଜଧାନୀ ମସ୍କୋରେ ଆୟୋଜନ ହୋଇପାରେ । ତେବେ ପୁଟିନଙ୍କ ପ୍ରସ୍ତାବକୁ ଯଦିଓ ଟ୍ରମ୍ପ ମନା କରିନାହାନ୍ତି, କିନ୍ତୁ ହଁ ମଧ୍ୟ କରିନାହାନ୍ତି ।