ଉତ୍ତରପ୍ରଦେଶ: ବାହାରେ ଯାଇ ଖାଇବା କାହାକୁ ବା ପସନ୍ଦ ନଥାଏ। କିନ୍ତୁ ଯଦି ଆପଣ ଜାଣିବାକୁ ପାଆନ୍ତି ଯେ, ଆପଣ ଯେଉଁ ହୋଟେଲରେ ଖାଉଛନ୍ତି ସେହି ହୋଟେଲର ବାସନ ଶୌଚାଳୟ ପାଣିରେ ଧୁଆ ହେଉଛି, ତାହେଲେ ଆପଣଙ୍କୁ କିପରି ଲାଗିବ? ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମଥୁରାର ବରସାନାରେ ଥିବା ଏକ ହୋଟେଲରେ।
ଏହି ହୋଟେଲରେ, ମଇଳା ଶୌଚାଳୟ ପାଣିରେ ବାସନ ଧୋଇବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଲୋକମାନେ ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି ଯେ, ଏଠାରେ ଲୋକଙ୍କ ଭାବନା ସହ ଖେଳା ଯାଇଛି।
ଏହି ହୋଟେଲକୁ ମାମୁଁ ଏବଂ ଭଣଜା ମିଶି ଚଲାନ୍ତି। ହୋଟେଲରେ ଅଇଁଠା ବାସନକୁ ଶୌଚାଳୟ ପାଣିରେ ଧୋଇ ଲୋକଙ୍କୁ ଖାଦ୍ୟ ପରିବେଷଣ କରାଯାଏ। ଏହି ଘଟଣା ସମ୍ବନ୍ଧରେ ଜାଣି ପୋଲିସ ହୋଟେଲ ପରିଚାଳକଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଶେରଗଡ଼ର ବାସିନ୍ଦା ମାମୁଁ ଭୁରା ଖାନ ଏବଂ ଭଣଜାଙ୍କୁ ହେପାଜତକୁ ନେବା ପାଇଁ ହୋଟେଲରେ ପହଞ୍ଚିଥିଲା।
କୁହାଯାଉଛି ଯେ ହୋଟେଲ, ସଂଚାଳକ ଭୁରା ଖାନ ଭିକେ ବ୍ରିଜଭାସୀଙ୍କ ନାମରେ ଚାଲୁଥିଲା। ଏଥିରେ, ଜଣେ ନାବାଳକ ପୁଅକୁ ଶୌଚାଳୟ ପାଣିରେ ବାସନ ମାଜିବାକୁ ବାଧ୍ୟ କରାଯାଉଥିଲା।
ପୋଲିସଙ୍କ କହିବା ଅନୁସାରେ, ଏହି ଭିଡିଓଟି ବହୁତ ଦିନ ଧରି ଭାଇରାଲ ହେଉଥିଲା। ଯେତେବେଳେ ଏହି ଘଟଣାର ତଦନ୍ତ କରାଗଲା, ଜଣାପଡିଲା ଯେ ହୋଟେଲଟି ଜଣେ ମୁସଲିମ ବ୍ୟକ୍ତି ହିନ୍ଦୁ ନାମରେ ଚଲାଉଥିଲେ।