ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶିଷ୍ଟ ଭାଷାବିତ୍ ଗିରିଜା ଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶିଷ୍ଟ ଭାଷାବିତ୍ ଗିରିଜାଶଙ୍କର ରାୟଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ପ୍ରଫେସର ଡ. ଅରବିନ୍ଦ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାଷାବିତ୍ ଗିରିଜାଶଙ୍କରଙ୍କ ଭାଷାତତ୍ତ୍ଵର ଐତିହାସିକତା ଓ ଓଡ଼ିଆ ଭାଷାର ଲିପି ଓ ଧ୍ବନୀ ସଂପର୍କରେ ତାଙ୍କର କାଳଜୟୀ ରଚନା ସଂପର୍କରେ ସୁବିସ୍ତୁତ ଆଲୋଚନା କରିଥିଲେ। ବିଶିଷ୍ଟ କବି ଓ ସୁସାହିତ୍ୟକ ଡ. ବାସୁଦେବ ସୁନାନୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ନାଟକ କ୍ଷେତ୍ରରେ ଗିରିଜାଶଙ୍କରଙ୍କ ଜୀବନବ୍ୟାପୀ ସାଧନା ତାଙ୍କ ପୁସ୍ତକ ଓଡ଼ିଆ ନାଟ୍ୟକଳା, ସରଳ ଭାଷାତତ୍ତ୍ଵ, ନୀଳଚଢେଇ, ରଚନା ବିଚାର ପ୍ରଭୃତିରେ ପ୍ରତିଫଳିତ ହୋଇପାରିଛି ଓ ଆମ ଭାଷା ଓ ସାହିତ୍ୟର ସଂରକ୍ଷଣ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବବୋଲି ମତବ୍ୟକ୍ତ କରିଥିଲେ।

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରକଳ୍ପ ପରାମର୍ଶଦାତା ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଷାବିତ୍ ଗିରିଜା ଶଙ୍କର ଜଣେ ଇଂରାଜୀ ଅଧ୍ୟାପକ ଭାବେ ବୈଦେଶିକ ଭାଷାର ମାନଦଣ୍ଡରେ ଓଡ଼ିଆ ଭାଷାତତ୍ତ୍ୱ , ସାହିତ୍ୟ ଓ ସଂସ୍କୃତିର ସାମଗ୍ରିକ ବିକାଶ ପାଇଁ ଗବେଷଣାତ୍ମକ ପଦକ୍ଷେପ ନେଇଥିଲେ ସେ ସଂପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ଅନ୍ୟତମ ପ୍ରକଳ୍ପ ପରାମର୍ଶଦାତା ତଥା ସାହିତ୍ୟ ସମାଲୋଚକ ପ୍ରଫେସର ପ୍ରେମାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଷା ଗୋଟିଏ ଜାତିର ପରିଚୟ ହୋଇଥିବାରୁ ଭାଷାବିତ୍‌ ଗିରିଜା ଶଙ୍କର ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଦିଗରେ ନିଜର ଗବେଷଣାକୁ ଉତ୍ସର୍ଗ କରିବା ସହ ଓଡ଼ିଆ ଭାଷାର ଧ୍ଵନୀ ତତ୍ତ୍ଵ ଉପରେତାଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ।

କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ସଭାପତିତ୍ୱ ଅଭିଭାଷଣରେ ଏକାଧାରାରେ ଭାଷାତତ୍ତ୍ଵବିତ୍ , ସଂସ୍କୃତିବିତ୍ ଓ ନାଟ୍ୟତତ୍ତ୍ୱବିତ୍ ଗିରିଜା ଶଙ୍କର ରାୟଙ୍କ ଦୁରଦୃଷ୍ଟି ଯୋଗୁଁ ସେ ଭାରତୀୟ ଜ୍ଞାନ ପରଂପରା ବିକାଶ ନିମନ୍ତେ ୧୯୪୦ ମସିହାରେ “ରଚନା ବିଚାର ” ପୁସ୍ତକ ପ୍ରକାଶକରି ଓଡିଆ ଭାଷା ଓ ସାହିତ୍ୟ ଭବିଷତ୍ୟକୁ ସୁରକ୍ଷା କରିବାକୁ ଯେଉଁ ଅନନ୍ୟ ପ୍ରୟାସ କରିଥିଲେ ତାହା ତାଙ୍କର ଭାଷା ପ୍ରୀତିକୁ ପ୍ରତିପାଦିତ କରିଛି ବୋଲି ମତ ଦେବା ସହ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ଜ୍ଞାନ ରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଏହି ଅବସରରେ ଶୁଦ୍ଧଲିଖନ , ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Get real time updates directly on you device, subscribe now.