fbpx

ଏହି ଦେଶରେ ପାଳନ ହୁଏ ନାହିଁ Valentine’s Day

ଓଡ଼ିଶା ଭାସ୍କର: ଫେବୃଆରୀ ୧୪ ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ବିଶେଷ ଅଟେ । ଏହି ଦିନ ଭାଲେଣ୍ଟାଇନ୍ସ୍ ଡେ ଭାବରେ ପରିଚିତ । ଏଥିପାଇଁ ସେମାନେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ପାଶ୍ଚାତ୍ୟ ସଂସ୍କୃତି ହେଲେ ମଧ୍ୟ ଅନେକ ଦେଶରେ ଭାଲେଣ୍ଟାଇନ୍ ଡେ ପାଳନ କରାଯାଇଥାଏ । ଏହି ଦିନ ଭଲପାଇବାକୁ ଉତ୍ସର୍ଗ କରାଯାଇଛି । ‘ଭାଲେଣ୍ଟାଇନ୍ ଡେ’ରେ କେଉଁଠି ଭ୍ରମଣ ପାଇଁ ଯୋଜନା କରୁଛନ୍ତି କି ? ଯଦି ହଁ ତେବେ ଏହି ସବୁ ସ୍ଥାନକୁ ଯିବା ଆପଣଙ୍କ ବିଶେଷ ଦିନକୁ ଖରାପ କରିପାରେ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଦେଶ ବିଷୟରେ ଯେଉଁଠି ଭାଲେଣ୍ଟାଇନ୍ ଡେ ପାଳନ କରାଯାଏ ନାହିଁ ।

୧. ମାଲେସିଆ: ୨୦୦୫ ମସିହାରେ ମାଲେସିଆରେ ଭାଲେଣ୍ଟାଇନ୍ ଡେ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏଥିପାଇଁ ଏକ ଫତୱା ମଧ୍ୟ ଜାରି କରାଯାଇଥିଲା । ଏହି ଦିବସ ପାଳନ କରିବା ଦ୍ୱାରା ଯୁବପିଢ଼ିଙ୍କ ନୌତିକତାର ସର୍ବନାଶ ହୋଇଥାଏ ବୋଲି ଲୋକମାନେ ବିଶ୍ୱାସ କରିଥାନ୍ତି । ସେଠାରେ ଏବେବି କେତେ ଜଣ ଲୁଚିଲୁଚି ଭାଲେଣ୍ଟାଇନ୍ ଡେ ପାଳନ କରିଥାନ୍ତି । କିନ୍ତୁ ସାର୍ବଜନିକ ସ୍ଥାନରେ କିଏ କିଛି କରୁଥିବାର ନଜର ଆସିଲେ ଜେଲ ମଧ୍ୟ ହୋଇପାରେ ।

୨. ଉଜବେକିସ୍ତାନ: ୨୦୧୨ ମସିହା ପର୍ଯ୍ୟନ୍ତ ଉଜବେକିସ୍ତାନରେ ଭାଲେଣ୍ଟାଇନ୍ ଡେ ପାଳନ କରାଯାଉଥିଲା । ପରବର୍ତ୍ତୀ ସମୟରେ ଇସଲାମିକ ଦେଶର ଶିକ୍ଷା ମନ୍ତ୍ରଣାଳୟ ଏବଂ ନୈତିକ ମୂଲ୍ୟବୋଧର ପ୍ରଚାରର ତଦାରଖ କରୁଥିବା ବିଭାଗ ଏହି ଦିବସ ପାଳନକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ବେଆଇନ୍ ନୁହେଁ ତଥାପି ଲୋକମାନଙ୍କୁ ଏହି ଦିନ ଉଜବେକିସ୍ତାନର ନାୟକ ବାବରଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥାଏ ।

୩. ଇରାନ୍‌: ଇରାନ୍ ସରକାରଙ୍କ କହିବାନୁଯାୟୀ ଭାଲେଣ୍ଟାଇନ୍ ଡେ ପାଶ୍ଚାତ୍ୟ ସଭ୍ୟତାକୁ ପ୍ରୋତ୍ସାହିତ କରିଥାଏ । ଏହା ଦ୍ୱାରା ନୈତିକ ମୂଲ୍ୟବୋଧର ପତନ ହୋଇଥାଏ । ଏଠାରେ ଭାଲଣ୍ଟାଇନ ଡେ ସମ୍ବନ୍ଧୀୟ କୌଣସି ଉପହାର ବା ଜିନିଷ ଉପଲବ୍ଧ ହୁଏ ନାହିଁ । ସରକାରୀ ପ୍ରତିବନ୍ଧକ ଲାଗୁ ହେବା ପରେ ୨୦୧୦ ମସିହା ପରଠାରୁ ଏଠାରେ ଭାଲେଣ୍ଟାଇନ୍ ଡେ ପାଳନ କରାଯାଏ ନାହିଁ ।

୪. ପାକିସ୍ତାନ: ପାକିସ୍ତାନରେ ଭାଲେଣ୍ଟାଇନ୍ ଡେ ପାଳନ କରିବା ଇସଲାମିକ ମୂଲ୍ୟବୋଧ ବିରୋଧ ଅଟେ । ଏଥିପାଇଁ ୨୦୧୮ରେ ଏକ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା କିନ୍ତୁ କୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ଏହା ପରେ ସାଧାରଣ ଜନତା କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ।

୫. ସାଉଦୀ ଆରବ: ଏହି ଦେଶରେ ଏଭଳି ପାଶ୍ଚାତ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରାଯାଏ ନାହିଁ । ତେଣୁ ଭାଲେଣ୍ଟାଇନ୍ ଡେ ସମ୍ବନ୍ଧୀୟ କୌଣସି ଜିନିଷ କିମ୍ବା ଉପହାର ବଜାରରେ ମିଳେ ନାହିଁ । କିନ୍ତୁ କିଛି ବର୍ଷ ହେବ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବଜାରରେ ଭାଲେଣ୍ଟାଇନ୍ ଡେ ଉପହାର ମିଳୁଛି ଏବଂ ଲୋକମାନେ ଏହି ଦିବସକୁ ପାଳନ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.