fbpx
BJD SKY
BJD SKY

(Video) ଶବ ପୋଡ଼ିବା ପରେ ଶୁଦ୍ଧି କ୍ରିୟା ପାଇଁ ସରିଲାଣି ଆୟୋଜନ… କିନ୍ତୁ ବଞ୍ଚି ଉଠିଲେ ଦିଲ୍ଲୀପ…

BJD

ଭୁବନେଶ୍ୱର: ହାଇଟେକ୍ ମେଡ଼ିକାଲ କଲେଜ ବିସ୍ଫୋରଣ ଘଟଣାରେ ଗତ ୩୦ ତାରିଖରେ ଆଖି ବୁଜିଥିବା ଯୁବକ ଜଣକ ଦିଲ୍ଲୀପ ସାମନ୍ତରାୟ ନୁହନ୍ତି । ଦିଲ୍ଲୀପ ସାମନ୍ତରାୟ ଜୀବୀତ ଅଛନ୍ତି । ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲ କର୍ତ୍ତୃପକ୍ଷ । ଏହି ବିସ୍ଫୋରଣରେ ଗୁରୁତର ହୋଇ ହାଇଟେକ୍ ହସ୍ପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିବା ଯୁବକ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ସମସ୍ତେ ଭାବୁଥିବା ବେଳେ ଭେଣ୍ଟିଲେଟରୁ ବାହାରି ରୋଗୀ ଜଣଙ୍କ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଗତକାଲି ଉକ୍ତ ଯୁବକ ଜଣକ ଭେଣ୍ଟିଲେଟରରୁ ବାହାରିଥିବା ବେଳେ ନିଜ ପରିଚୟ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି । ତେବେ ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା । ଦିଲୀପଙ୍କ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି । ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ତାଙ୍କ ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି । ମନସ୍ତତ୍ତ୍ୱବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ । ଏନେଇ ହାଇଟେକ୍ ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏସବୁ ଦ୍ୱନ୍ଦ୍ୱ ଭିତରେ ଅତି ଉଦବେଗଜନକ କଥା ହେଉଛି, ଦିଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ସୋନା ସାମନ୍ତରାୟ କିଛି ଦିନ ତଳେ ଆତ୍ମହତ୍ୟା କରିସାରିଛନ୍ତି । ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ଏହି ଏସି ମରାମତି ବେଳେ କଂପ୍ରେସର ବିସ୍ଫୋରଣ ଘଟିଥିଲା । ଏଥିରେ ଏଯାବତ୍ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ହାଇଟେକ୍ ମେଡିକାଲ ପକ୍ଷରୁ କୁହାଯାଇଛି ଯେ, ବିସ୍ଫୋରଣ ପରେ ଆଉଟସୋର୍ସିଂ ଏଜେନ୍ସିର ଯେଉଁ କର୍ମଚାରୀ ଆହତମାନଙ୍କୁ ଉଦ୍ଧାର କରି ଆଣିଥିଲେ, ସେ ହିଁ ସେମାନଙ୍କ ନାଁ ଚିହ୍ନଟ କରିଥିଲେ । ହସ୍ପିଟାଲ ପକ୍ଷରୁ କେବଳ ଚିକିତ୍ସା କରାଯାଇଛି ଏବଂ ସମସ୍ତ ପ୍ରୋଟୋକଲର ଅନୁପାଳନ ହୋଇଛି । ସେପଟେ ଭେଣ୍ଟିଲେଟରରୁ ବାହାରଥିବା ବ୍ୟକ୍ତି ପ୍ରକୃତରେ ଦିଲୀପ ନା ଜ୍ୟୋତିରଞ୍ଜନ ତାହା ଏବେବି ସ୍ପଷ୍ଟ ହୋଇନି ବୋଲି କହିଛନ୍ତି ହାଇଟେକ୍ ସିଇଓ । କାରଣ ନିଜକୁ ଦିଲୀପ ବୋଲି କହୁଥିବା ବ୍ୟକ୍ତିଙ୍କୁ ଜ୍ୟୋତିରଞ୍ଜନଙ୍କ ବାପା ଏବେ ମଧ୍ୟ ନିଜ ପୁଅ ବୋଲି ଦାବି କରୁଥିବା ସୂଚନା ମିଳିଛି ।

ଅପରପକ୍ଷେ, ଏହି ଘଟଣାକୁ ନେଇ ହାଇଟେକ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ଶ୍ୱଶୂର । ସେ କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦିଲ୍ଲୀପ ବଞ୍ଚି ଥାଉ ଥାଉ ତାଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି । ଏଥି ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ପୁଲିସର ପ୍ରତିକ୍ରିୟା ମିଳିନଥିବା ବେଳେ, ସମ୍ପୃକ୍ତ ଆଉଟସୋର୍ସିଂ କର୍ମଚାରୀ କହିଛନ୍ତି ଯେ, ସେ କେବଳ ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀଙ୍କ ନାଁ କହିଥିଲେ । କାହାର ନାଁ କଣ, ସେ ଚିହ୍ନଟ କରିନଥିଲେ ।

Get real time updates directly on you device, subscribe now.