ଭୁବନେଶ୍ୱର: ଓଡ଼ିଶା ସାମ୍ବାଦିକ ଜଗତରୁ ଆସିଛି ଆଉ ଏକ ଦୁଖଃଦ ଖବର। ଜଣାଶୁଣା ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ପରଲୋକ। ୪୯ ବର୍ଷ ବୟସରେ ଆଜି ତାଙ୍କର ଅକାଳ ବିୟୋଗ ଘଟିଥିବା ଜଣାପଡିଛି। ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଆଜି ପ୍ରାୟ ୨:୩୦ ସମୟରେ ତାଙ୍କର ଦେହାନ୍ତ ଘଟିଛି ।
ସୂଚନା ଅନୁଯାୟୀ, ବିଗତ ଦୁଇ ଦିନ ହେବ ଶରୀର ଅସୁସ୍ଥ ଥିବା ଯୋଗୁଁ ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇନଥିଲେ। ଆଉ ଆଜି ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଆଜି ପ୍ରାୟ ୨:୩୦ ସମୟରେ ତାଙ୍କର ଦେହାନ୍ତ ଘଟିଥିଲା। ତେବେ ଏଭଳି ଅକାଳ ବିୟୋଗକୁ ନେଇ ତାଙ୍କ ପରିବାର ଏବଂ ଓଡ଼ିଶାର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ସାମ୍ବାଦିକ ମନୋରଞ୍ଜନ ସାହୁ ଜଣେ ମିଷ୍ଟଭାଷୀ ମେଳାପୀ ସ୍ୱଭାବର ଥିବା ବେଳେ ପାଖାପାଖି ୨୦ ବର୍ଷରୁ ଅଧିକ ସମୟ ହେବ ଓଡିଶାର ଗଣମାଧ୍ୟମ ଜଗତରେ ଭିଡିଓ ଜର୍ଣାଲିଷ୍ଟ ଭାବରେ କାର୍ଯ୍ୟକରି ଆସୁଥିଲେ। ୨୦୦୪ ରୁ ସେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମରେ କାର୍ଯ୍ୟକରୀ ଆସୁଥିଲେ।
ତେବେ ମନୋରଞ୍ଜନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱର୍ଗତଃ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ୟ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।