Video: ଡି ଗୁକେଶଙ୍କ ବିପକ୍ଷରେ ହାରିବା ପରେ ମାଗନସ୍ କାର୍ଲସେନଙ୍କ ହତାଶା, ଟେବୁଲରେ ହାତ ପିଟି ଚାଲିଗଲେ

ନୂଆଦିଲ୍ଲୀ: ନରୱେ ଚେସ୍ ୨୦୨୫ରେ ଭାରତୀୟ ଗ୍ରାଣ୍ଡମାଷ୍ଟର ତଥା ବିଶ୍ୱ ଚେସ୍ ଚାମ୍ପିଅନ୍ ଡି ଗୁକେଶ ବିଶ୍ୱର ନମ୍ବର ୧ ଖେଳାଳି ମାଗନସ୍ କାର୍ଲସେନଙ୍କୁ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛନ୍ତି। ଏହି ମ୍ୟାଚ୍ ଚଳିତ ବର୍ଷର ଅନ୍ୟତମ ଆଲୋଚିତ ମୁହୂର୍ତ୍ତ ଭାବେ ଗଣାଯାଉଛି। ମ୍ୟାଚ୍ ଶେଷ ହେବା ପରେ କାର୍ଲସେନଙ୍କ ହତାଶା ସମସ୍ତଙ୍କ ନଜରକୁ ଆସିଥିଲା, ଯେତେବେଳେ ସେ ଟେବୁଲରେ ହାତ ପିଟି ଚେସ୍ ବୋର୍ଡରୁ ଉଠି ଚାଲିଯାଇଥିଲେ। ତେବେ ସେ ତୁରନ୍ତ ଫେରି ଗୁକେଶଙ୍କ ସହ ହାତ ମିଳାଇ ଖେଳର ନୀତିକୁ ସମ୍ମାନ ଦେଇଥିଲେ।

ଏହି ମ୍ୟାଚରେ ଗୁକେଶଙ୍କ ଶାନ୍ତ ଓ ସଂଯତ ପ୍ରଦର୍ଶନ ସମସ୍ତଙ୍କୁ ମୁଗ୍ଧ କରିଛି। ବିଶ୍ୱ ଚାମ୍ପିଅନ୍ ହେବା ପରେ ଗୁକେଶଙ୍କ ଏହି ବିଜୟ ତାଙ୍କ ଦକ୍ଷତା ଓ ମାନସିକ ଦୃଢ଼ତାକୁ ପୁଣି ଥରେ ପ୍ରମାଣ କରିଛି। ଅନ୍ୟପକ୍ଷରେ, କାର୍ଲସେନଙ୍କ ଏହି ପରାଜୟ ତାଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଝଟକା ଥିଲା, ଯିଏକି ଏଇ ମୁକାବିଲା ଏକ ନିଶ୍ଚିତ ବିଜୟ ପୋଜିସନରୁ ହାରିଥିଲେ।

ସୋସିଆଲ ମିଡିଆରେ ଏହି ଘଟଣା ବେଶ୍ ଚର୍ଚ୍ଚାରେ ରହିଛି। ଅନେକ ପ୍ରଶଂସକ ଗୁକେଶଙ୍କ ବିଜୟକୁ ଭାରତୀୟ ଚେସ୍ ପାଇଁ ଗର୍ବର ମୁହୂର୍ତ୍ତ ଭାବେ ବର୍ଣ୍ଣନା କରୁଛନ୍ତି, ଆଉ କେହି କେହି କାର୍ଲସେନଙ୍କ ହତାଶାକୁ ନେଇ ମନ୍ତବ୍ୟ ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, “ଗୁକେଶଙ୍କ ଶାନ୍ତ ମନୋଭାବ ଓ କାର୍ଲସେନଙ୍କ ହତାଶା ଏକାଠି ଏହି ଖେଳର ପ୍ରକୃତ ଚିତ୍ର ଦେଖାଉଛି। ଏହା ଖେଳର ଏକ ଅଂଶ।” ଏହି ବିଜୟ ଗୁକେଶଙ୍କୁ ବିଶ୍ୱ ଚେସ୍ ଜଗତରେ ଆହୁରି ଉଚ୍ଚ ସ୍ଥାନକୁ ନେଇଛି, ଏବଂ ଭାରତୀୟ ଚେସ୍ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳାଇଛି।