Video: ଛୁଆ ଧରି ବୁଲୁଛି ବିରଳ କଳା ବାଘ, ଫଟୋ-ଭିଡିଓ ପୋଷ୍ଟ କଲା ପିସିସିଏଫ୍‌

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଓଡ଼ିଶାରେ ଛୁଆ ଧରି ବୁଲୁଛି ବିରଳ କଳା ବାଘ । ଫଟୋ-ଭିଡିଓ ପୋଷ୍ଟ କଲା ପିସିସିଏଫ୍‌ । ସେଣ୍ଟ୍ରାଲ ଓଡ଼ିଶାରେ ଦେଖାଯାଇଛି ଏହି ବିରଳ ଦୃଶ୍ୟ ।

ନିଜ ଛୁଆ ସହ ଏକ ବିରଳ କଳା ରଙ୍ଗର କଲରାପତରିଆ ଚିତାବାଘ ଦେଖିବାକୁ ମିଳିଛି। ଘଟଣାଟି ଆଖିକୁ ବିଶ୍ୱାସ ହେଉଲଥିଲେ ବି ସତ । କଳା ବାଘଟି ନିଜ ପାଟିରେ ତାର ଛୁଆ ନେଇ ଯାଉଛି ।

ଯାହା ଏହି ଅଞ୍ଚଳର ଅବିଶ୍ୱସନୀୟ ଜୈବ ବିବିଧତାକୁ ପ୍ରତିଫଳିତ କରୁଛି । ଏହି କଳା ବାଘ  ବା “ବ୍ଲାକ୍ ପାନ୍ଥର୍” ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ନେଇ କହିଛି ପିସିସିଏଫ୍ ।

ସେମାନଙ୍କ ବାସସ୍ଥାନକୁ ସୁରକ୍ଷିତ ରଖିବା ଏକ ସମୃଦ୍ଧ ବନ୍ୟଜନ୍ତୁ ଐତିହ୍ୟକୁ ସୁନିଶ୍ଚିତ କରେ । ଆଗରୁ ସୁନ୍ଦରଗଡ ଜିଲ୍ଲା ହେମଗିରି ବନାଞ୍ଚଳରେ କଳା ବାଘକୁ ଦେଖିବାକୁ ପାଇଛି ବନ ବିଭାଗ ।

୯୦ ଦଶକରେ ଏହି ପ୍ରଜାତିର ବାଘ ଓଡ଼ିଶାରେ ଦେଖାଯାଇଥିଲା। ପରେ ସୁନ୍ଦରଗଡ଼ ଜଙ୍ଗଲରେ ୨୦୧୮ ରେ ଏହି ବାଘକୁ ଦେଖାଯାଇଥିଲା । ପୂର୍ବ ଥର ପରି ଏଥର ବି କ୍ୟାମେରାରେ କଏଦ ହେଲା କଳାବାଘର ଫଟୋଚିତ୍ର ।

ସାଙ୍ଗରେ ତାର ଶାବକର ଚିତ୍ର ମଧ୍ୟ କଏଦ ହୋଇଛି । ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନଥିଲା ।

କିନ୍ତୁ କ୍ୟାମେରାରେ ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଥିଲା ।
କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏପରି ବ୍ଲାକ୍ ପାନ୍ଥର ଥିବା କୁହାଯାଉଛି ।