fbpx
BJD SKY
BJD SKY

(Video) ନାଲି କପଡ଼ା ଦେଖାଉଥିଲେ, ତଥାପି ଅଟକିଲାନି ଟ୍ରେନ୍‌… ମେମୁ ଟ୍ରେନ୍‌ରେ କଟି ଛାତ୍ରଙ୍କ ମୃତ୍ୟୁ

BJD

ବାରିପଦା: ଦୁଇଜଣ ଛାତ୍ର ଟ୍ରେନ୍ ଅଟକାଉଥିଲେ । ଦୂରରୁ ଲାଲ କପଡା ଦେଖାଉଥିଲେ । ହେଲେ ଅଟକିଲାନି ଟ୍ରେନ୍ । ଯେମିତି ଆସୁଥିଲା, ସେମିତି ମାଡିଗଲା । ଦୂରରୁ ଆସୁଥିଲା ଟ୍ରେନ୍ । ଆଉ ସାମ୍‌ନା ପଟରୁ ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିଲେ ଦୁଇଜଣ ଛାତ୍ର । ରେଳ ଧାରଣାର ଦୁଇ ପଟରେ ଛିଡା ହୋଇ ଦୁଇଜଣ ଛାତ୍ର ଏକ ଲାଲ କପଡାକୁ ଦୁଇପଟୁ ଭିଡି ଧରିଥିଲେ । ଯେମିତିକି ସାମନା ପଟୁ ଆସୁଥିବା ଟ୍ରେନ୍‌ର ଚାଳକ ବା ଲୋକୋ ପାଇଲଟ୍‌ଙ୍କୁ ଏହି ଲାଲ କପଡାଟି ସ୍ପଷ୍ଟ ଦେଖାଯିବ । ଆଉ ସେ ଯଥେଷ୍ଟ ଦୂରରୁ ହିଁ ବ୍ରେକ୍ ଦେଇ ଟ୍ରେନ୍‌କୁ ଅଟକାଇପାରିବେ । ଦେଖନ୍ତୁ ଏହି ଦୃଶ୍ୟକୁ । ଟ୍ରେନ୍ ଅଟକାଇବା ପାଇଁ କିପରି ଦୁଇଜଣ ଛାତ୍ର ଦୁଇପଟରୁ ଏକ ଲାଲ କପଡାକୁ ରେଳ ଧାରଣା ସହ ସମାନ୍ତରାଳ ଭାବେ ଭିଡି ଧରିଛନ୍ତି ।

ଆଉ ସେପଟୁ ଦ୍ରୁତ ଗତିରେ ମାଡିଆସୁଛି ଟ୍ରେନ୍ । ସନ୍ଧ୍ୟା ସମୟ ଥିବାରୁ ହେଡଲାଇଟ୍ ଦେଇଥିବା ପାସେଞ୍ଜର ଟ୍ରେନ୍‌ଟି ହର୍ଣ୍ଣ ବଜାଇ ବଜାଇ ଆଗକୁ ଆଗକୁ ମାଡିଆସିଥିଲା । ସାମନାରେ ଲାଲ କପଡା ଟାଣି ଧରିଥିଲେ ମଧ୍ୟ ଟ୍ରେନ୍ ଚାଳକ ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା ବି କରିନଥିଲେ । ବରଂ ଏହାକୁ ସମ୍ପୂର୍ଣ୍ଣ ବେଖାତିର କରି ଟ୍ରେନ୍‌ର ଗତି ନକମାଇ ଆଗକୁ ମାଡିଯାଇଥିଲେ । ତେବେ ଆପଣମାନେ ଭାବୁଥିବେ ଯେ ଟ୍ରେନ୍ ଅଟକାଇବାକୁ ଏହି ଦୁଇଜଣ କାହିଁକି ଚେଷ୍ଟା କରୁଥିଲେ । ପ୍ରକୃତରେ ଏହାର ଟିକେ ପୂର୍ବରୁ ହିଁ ସେହି ଟ୍ରେନ୍ ଲାଇନ୍ ଉପରେ ଜଣେ ଛାତ୍ର ଟ୍ରେନ୍‌ରେ କଟିଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ତାଙ୍କର ମୃତଦେହଟି ସେହି ରେଳ ଧାରଣା ଉପରେ ପଡିରହିଥିଲା ।

ଏହି ଘଟଣାଟି ଘଟିଥିଲା ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ବନକାଟି ପେଟ୍ରୋଲ ପମ୍ପ ନିକଟରେ । ଅପରାହ୍ନ ପାଖାପାଖି ୫ଟା ସମୟରେ ବାଙ୍ଗରିପୋଷି ରେଳ ଷ୍ଟେସନ ନିକଟରେ ଟ୍ରେନରେ କଟି ଜଣେ ITI ଛାତ୍ର ପ୍ରାଣ ହରାଇଥିଲେ । ମୃତ ଯୁବକ ଜଣକ ଝାରପୋଖରିଆ ଥାନା ବାସଦା ଗ୍ରାମର ବାପୁନ ମହାନ୍ତ ବୋଲି ଜଣାପଡିଛି । କୁହାଯାଉଛି ଯେ ଛାତ୍ର ଜଣକ କୁଆଡେ କାନରେ ଇୟରଫୋନ୍ ଲଗାଇ କଥା ହେଉଥିବା ବେଳେ ବାଙ୍ଗିରିପୋଷିରୁ ବାଲେଶ୍ୱର ଯାଉଥିବା ମେମୁ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା । ଆଉ ଏଭଳି ହୃଦୟ ବିଦାରକ ଘଟଣା ପରେ ମୃତ ବାପୁନଙ୍କ କିଛି ସାଥୀ ଛାତ୍ର ପରବର୍ତ୍ତି ଟ୍ରେନ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ । କାରଣ ସେତେବେଳକୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇପାରିନଥିଲା ।

ତେଣୁ ନିଜ ସାଥୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ଏହା ପରେ ପରେ ଆସୁଥିବା ଆଉ ଏକ ଟ୍ରେନ୍‌କୁ ଅଟକାଇବାକୁ ଏହି ଛାତ୍ରମାନେ ଚେଷ୍ଟା କରିଥିଲେ । ସେଥିପାଇଁ ସେମାନେ ଦୂରରୁ ଟ୍ରେନ୍ ଆସୁଥିବାର ଦେଖି ସାମନାରେ ଏକ ଲାଲ କପଡାକୁ ଟାଣି ଧରିଥିଲେ । ହେଲେ ଏହି ଟ୍ରେନ୍‌ଟି ଅଟକିବା ପରିବର୍ତ୍ତେ ଆଗକୁ ମାଡି ଚାଲିଯାଇଥିଲା । ଫଳରେ ଛାତ୍ରଙ୍କ ମୃତଦେହ ଆହୁରି ବିଭତ୍ସ ହୋଇଯାଇଥିବା କୁହାଯାଉଛି । ତେବେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ବାରିପଦା ଚଜଗ ମେଡ଼ିକାଲକୁ ପଠାଇଥିବା ଜଣାପଡିଛି ।

Get real time updates directly on you device, subscribe now.