fbpx

(Video) IPL-2024ରେ ନୂଆ ନାଁ ସହ ଏଣ୍ଟ୍ରି କରିବ RCB! ବଦଳିବ କି ଭାଗ୍ୟ?

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଛି ଆଇପିଏଲ-୨୦୨୪ । ପ୍ରଥମ ମ୍ୟାଚରେ ଚମ୍ପିଆନ୍ ଟିମ୍ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁହାଁମୁହିଁ ହେବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ ଫ୍ରାଞ୍ଚାଇଜି ନିଜ ଦଳର ନାମ ପରିବର୍ତ୍ତନ କରିପାରେ । ଏ ନେଇ ଆରସିବି ନିଜେ ସଂକେତ ଦେଇଛି । ଆଇପିଏଲ-୨୦୨୪ରେ ଆରସିବି ନିଜ ନାମରୁ ବାଙ୍ଗାଲୋର ଶବ୍ଦ ହଟାଇପାରେ ବୋଲି ଅନୁମାନ କରାଯାଉଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନାମ ବଦଳାଇବା ନେଇ ସଂକେତ ଦେଇଛି ଆରସିବି ।

ନିକଟରେ ଆରସିବି ପକ୍ଷରୁ ଏକ ଭିଡିଓ ଟ୍ୱିଟ କରାଯାଇଛି । ଏହି ଭିଡିଓରେ ପ୍ରଥମେ ୩ଟି ଘୋଡ଼ା ସଜା ହୋଇ ଠିଆ ହୋଇଥିବା ଦେଖାଯାଇଛି । ପ୍ରଥମ ଘୋଡ଼ା ଦେହରେ ‘ରୋୟଲ’ ଲେଖା ହୋଇଥିବା ବେଳେ ଦ୍ୱିତୀୟ ଘୋଡ଼ା ଦେହରେ ‘ଚାଲେଞ୍ଜର୍ସ’ ଏବଂ ତୃତୀୟ ଘୋଡ଼ା ଦେହରେ ‘ବାଙ୍ଗାଲୋର’ ଲେଖାଯାଇଛି । ଏହାପରେ ରିସଭ୍ ଶେଟ୍ଟୀ ଭିଡିଓରେ ଏଣ୍ଟ୍ରି କରିଛନ୍ତି । ଏହାପରେ ବାଙ୍ଗାଲୋର ଲେଖା ଥିବା ଘୋଡ଼ାଟିକୁ ସେ ସେଠାରୁ ହଟାଇ ଦେଇଛନ୍ତି । ତେବେ ଭିଡିଓରେ ପ୍ରଶ୍ନ କରାଯାଇଛି ଯେ, ଆପଣ ବୁଝିପାରିଲେ କି ରିସଭ୍ ଶେଟ୍ଟୀ କ’ଣ କହିବାକୁ ଚାହୁଁଛନ୍ତି? ଏହାସହିତ ଫ୍ୟାନ୍ସମାନଙ୍କୁ ଟିକେଟ କିଣିବା ପାଇଁ ଅପିଲ କରାଯାଇଛି ।

ତେବେ ଆରସିବି ନିଜ ନାଁରୁ ବାଙ୍ଗାଲୋରକୁ ହଟାଇ ‘ବେଙ୍ଗଲୁରୁ’ କରିପାରେ ବୋଲି ଚର୍ଚ୍ଚା ହେଉଛି । ଆଇପିଏଲ-୨୦୨୪ ‘ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର’ ସ୍ଥାନରେ ‘ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ’ ନାଁରେ ଏଣ୍ଟ୍ରି କରିପାରେ ଆରସିବି । ଏହାପୂର୍ବରୁ ଆଇପିଏଲରେ ଦୁଇଟି ଟିମ ନିଜ ନାଁ ପରିବର୍ତ୍ତନ କରି ସାରିଛନ୍ତି । ପୂର୍ବରୁ ଦିଲ୍ଲୀ ଡେୟାରଡେଭିଲ୍ସ ନାମରେ ଖେଳୁଥିବା ଦଳ ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଭାବରେ ନୂଆ ନାଁକୁ ପରିବର୍ତ୍ତନ କରିଛି । ସେହିପରି ପଞ୍ଜବ ମଧ୍ୟ ‘କିଙ୍ଗସ ୧୧ ପଞ୍ଜାବ’ରୁ ‘ପଞ୍ଜାବ କିଙ୍ଗସ’ ନାମ ପରିବର୍ତ୍ତନ କରିସାରିଛି । ତେବେ ଏହି ଲିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଯାକ ଦଳ କୌଣସି ସିଜନରେ ଚମ୍ପିଆନ୍ ହୋଇ ପାରି ନାହାନ୍ତି ।

Get real time updates directly on you device, subscribe now.