fbpx

ଏହି ଗାର୍ଡ଼େନକୁ ଆସିଲେ ବେହୋଶ ହୋଇଯାନ୍ତି ଲୋକ, ଫୁଲ ଛୁଇଁଲେ ବି ଜୀବନ ପ୍ରତି ରହିଛି ବିପଦ

ଓଡ଼ିଶା ଭାସ୍କର: ସାଧାରଣତଃ ଗାର୍ଡ଼େନର ନାଁ ଶୁଣିଲେ ମନଟା ଖୁସି ହୋଇଯାଏ । ବିଭିନ୍ନ ପ୍ରକାର ଗଛଲତା, ଫୁଲର ମହକ ଏବଂ ଶାନ୍ତ ବାତାବରଣରେ ଭରା ଗାର୍ଡ଼େନ ମନରୁ ସବୁ ଅବସାଦ ଦୂରେଇ ଦିଏ । ଅଧିକାଂଶ ସମୟରେ ଔଷଧୀୟ ଗାଡ଼େର୍ନ ବିଷୟରେ ଶୁଣିଥିବେ । କିନ୍ତୁ କେବେ ବିଷାକ୍ତ ଗାର୍ଡ଼େନ ବିଷୟରେ ଶୁଣିଛନ୍ତି କି? ଏପରି ଏକ ଗାର୍ଡ଼େନ ଅଛି ଇଂଲଡ଼ର ନର୍ଥମ୍ବରଲ୍ୟାଣ୍ଡ(Northumberland)ରେ । ଏହି ଗାର୍ଡ଼େନର ନାଁ ହେଉଛି ଅଲନ୍ୱିକ୍ ବିଷାକ୍ତ ଗାର୍ଡ଼େନ(Alnwick Poison Garden) । ଏହି ବଗିଚାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ବିଷାକ୍ତ ଗଛ ଓ ଲତା ରହିଛି । ଯଦି କେହି ଭୁଲରେ ବି ଏଗୁଡ଼ିକୁ ଛୁଇଁ ଦିଅନ୍ତି ତେବେ ଜୀବନ ପ୍ରତି ବିପଦ ରହିଛି । ଏହା ସତ୍ତ୍ୱେ ଏହି ଗାର୍ଡ଼ନ ପରିଦର୍ଶ କରିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।

୨୦୦୫ ମସିହାରେ ଏହି ବିଷାକ୍ତ ଗାର୍ଡ଼େନ ନିର୍ମାଣ କରାଯାଇଥିଲା । ଲୋକମାନଙ୍କୁ ବିଷାକ୍ତ ଗଛ, ଲତା ବିଷୟରେ ସଚେତନ କରାଇବା ଏହି ଗାର୍ଡ଼େନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଯଦ୍ୱାରା ଲୋକମାନେ ଏଭଳି ବିଷାକ୍ତ ଗଛ, ଲତା ଠାରୁ ଦୂରେଇ ରହିବେ । ୧୪ ଏକର ପରିସରରେ ନିର୍ମିତ ଏହି ଗାର୍ଡ଼େନରେ ୭ ହଜାରରୁ ଅଧିକ ଗଛଲତା ଲାଗିଛି । ସେଥିମଧ୍ୟରୁ ୧୦୦ରୁ ଅଧିକ ବିଷାକ୍ତ ଅଟେ । ଗାର୍ଡ଼େନର ପ୍ରବେଶ କରିବା ପାଇଁ ଏକ କଳା ରଙ୍ଗର ବଡ଼ ଲୁହା ଗେଟ୍ ରହିଛି ଯେଉଁଥିରେ ମଧ୍ୟ ସତର୍କ ସୁଚନା ରହିଛି । କୌଣସି ପର୍ଯ୍ୟଟକ ଏଠାକୁ ବୁଲିବା ପାଇଁ ଆସିଲେ ପ୍ରଥମେ ସେମାନଙ୍କୁ ଏହି ଗାର୍ଡ଼େନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଥାଏ । ଗାର୍ଡ଼େନରେ କୌଣସି ବି ଜିନିଷ, ଗଛ, ଲତା ଓ ଫୁଲକୁ ଛୁଇଁବା ପାଇଁ ବାରଣ କରାଯାଇଛି । ଏହା ସତ୍ତ୍ୱେର୍ ଗାର୍ଡ଼େନ ପରିଦର୍ଶନ କରୁଥିବା ସମୟରେ ଅନେକ ପର୍ଯ୍ୟଟକ ବେହୋଶ ହୋଇଯାଇଥାନ୍ତି । ବିଶେଷଜ୍ଞଙ୍କ କହିବାନୁଯାୟୀ ଏହି ଗାର୍ଡ଼େନରେ ଏମିତି କିଛି ଗଛଲତା ରହିଛି ଯାହାର ପରାଗକଣ ପବନ ମାଧ୍ୟମରେ ଉଡ଼ିଥାଏ ଏବଂ ଲୋକମାନେ ଏହାକୁ ନିଶ୍ୱାସ ମାଧ୍ୟମରେ ଗ୍ରହଣ କରିଥାନ୍ତି । ଏହା ସେମାନଙ୍କୁ ଅସୁସ୍ଥ କିମ୍ବା ବେହୋଶ କରିଥାଏ । ଏପରିକି କିଛି ଗଛଲତା ବିଷାକ୍ତ ଧୂଆଁ ନିର୍ଗତ କରିଥାନ୍ତି ଯାହା ଘାତକ ଅଟେ ।

ତେବେ ଏଠାରେ ଲାଗିଥିବା ବିଷାକ୍ତ ଗଛ ମଧ୍ୟରୁ ମଙ୍କଶୁଡ୍ ବା Wolf’s Baneକୁ ବ୍ୟାନ୍ କରାଯାଇଛି । ଏହି ଗଛରୁ ଏକୋନିଟାଇନ୍ ନାମକ ଏକ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ ଯାହା ନ୍ୟୁରୋ ଟକସିନ୍ ଏବଂ କାର୍ଡ଼ିଓ ଟକସିନରେ ଭରପୁର ଥାଏ । ଏହା ଆପଣଙ୍କ ସ୍ନାୟୁ ପ୍ରଣାଳୀକୁ ପକ୍ଷାଘାତ କରିଥାଏ । ଏହି ଗାର୍ଡ଼େନରେ ‘ରିସିନ୍‌’ ନାମକ ବିଷାକ୍ତ ଗଛ ରହିଛି ଯାହା ରାଇସିନ୍ ନାମକ ଏକ ଟକମସିନ୍ ନିର୍ଗତ କରିଥାଏ । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡରେ ଏହାକୁ ଦୁନିଆର ସବୁଠାରୁ ବିଷାକ୍ତ ଗଛ ବୋଲି ବିବେ ଚିତ କରାଯାଇଛି । ସେହିପରି ବିଶେଷଜ୍ଞଙ୍କ କହିବାନୁଯାୟୀ ଏଠାରେ ‘ଲ୍ୟାବ୍‌ନର୍ମ’ ନାମକ ଏକ ବିଷାକ୍ତ ଗଛ ରହିଛି ଯାହାର ହଳଦିଆ ଫୁଲ ଆପଣଙ୍କୁ ଆକର୍ଷିତ କରିପାରେ । ଏଥିରେ ସାଇଟିସିନ୍ ନାମକ ଏକ ବିଷ ରହିଛି । ଏହା ଏତେ ବିଷାକ୍ତ ଯେ ଏହି ଗଛର ଏକ ଡାଳ ଗୋଟିଏ ମାସ ପର୍ଯ୍ୟନ୍ତ ତଳେ ପଡ଼ି ରହିବା ପରେ ମଧ୍ୟ କୁକୁର ଏହାକୁ ଖାଇଲେ ବଞ୍ଚିବା ଅସମ୍ଭବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରତି ବର୍ଷ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଏହି ବିଷାକ୍ତ ଗାର୍ଡ଼େନ ପରିଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି ।

Get real time updates directly on you device, subscribe now.