fbpx
BJD SKY
BJD SKY

ACF ସୌମ୍ୟ ମାମଲାରେ ବଡ଼ ଖୁଲାସା, ଏଡିଜି କହିଲେ – ‘ବିଦ୍ୟାଭାରତୀ ଅଭିଯୁକ୍ତ’

BJD

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ତଥ୍ୟ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଡ଼ ବୟାନ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସେ କହିଛନ୍ତି ଯେ, ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି । ୮୧ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ ପରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ୫୦୦ରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ବିଦ୍ୟାଭାରତୀଙ୍କ ନାଁରେ ଆଇପିସି ୨୮୫, ୩୦୪-ଏ ଦଫା ଲାଗିଛି । ସିଆରପିସି ୪୧ ଧାରାରେ ବିଦ୍ୟାଭାରତୀଙ୍କୁ ନୋଟିସ୍ କରାଯାଇଛି । ସିବିଆଇ ମାମଲା ହାଇକୋର୍ଟରେ ବିଚାରଧୀନ ଅଛି । ତଦନ୍ତରୁ ଯେତିକି ପାଇଲୁ ଚାର୍ଜସିଟରେ ସେତିକି ହିଁ ଦେଇଛୁ । ଏହା ସହ ମାମଲାରେ ବିଦ୍ୟାଭାରତୀ ହିଁ ଘଟଣାର ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।

ତେବେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଦ୍ଵାରା ଦାଖଲ କରିଥିବା ପିଟିସନରେ ଉଲ୍ଲେଖ ଅଛି ଯେ, ତାଙ୍କ ପୁଅ ଗତବର୍ଷ ଡିସେମ୍ବର ୧ରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ । ବିବାହର ଅଳ୍ପ କିଛିଦିନ ପରେ ତାଙ୍କ ବୋହୂଙ୍କ ସହିତ ଡିଏଫଓଙ୍କର ଅନୈତିକ ସଂପର୍କ ଗଢ଼ି ଉଠିଥିଲା । ଏନେଇ ସୌମ୍ୟ ପ୍ରତିବାଦ କରିଥିଲେ ହେଁ ବିଦ୍ୟାଭାରତୀ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ଗତ ଜୁଲାଇ ୧୩ ତାରିଖରେ ସୌମ୍ୟଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ଏନେଇ ସେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ତେବେ ଏହି ମାମଲାକୁ ଅଢ଼େଇ ମାସ ପୂରିଥିଲେ ହେଁ କାହାରିକୁ ଗିରଫ କରାଯାଇନାହିଁ । ଏହି ଘଟଣାରେ ଉଚ୍ଚପଦସ୍ଥ ସରକାରୀ ଅଫିସରଙ୍କ ହାତ ଥିବାରୁ ତଦନ୍ତକୁ ଜାଣିଶୁଣି ବାଟବଣା କରାଯାଉଛି । ସେ ମାମଲାରେ ଗୃହ ବିଭାଗ ସଚିବ, କ୍ରାଇବ୍ରାଞ୍ଚ ଏଡିଜି, ସିବିଆଇ ନିର୍ଦ୍ଦେଶକ, ପୋଲିସ ଡିଜିଙ୍କୁ ପକ୍ଷଭୁକ୍ତ କରିଛନ୍ତି । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି ଦ୍ୱାରା ଏହି ମାମଲାର ତଦନ୍ତ କରିବାକୁ ଅଭିରାମ ପିଟିସନରେ କହିଛନ୍ତି ।

Get real time updates directly on you device, subscribe now.