fbpx

ଟି-୨୦ ବିଶ୍ୱ କପ୍ ପୂର୍ବରୁ ବିରାଟ କୋହଲିଙ୍କୁ ବଡ ଆଶ୍ୱସ୍ତି, ଫର୍ମକୁ ଫେରିଲେ ୨ ଘାତକ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ପୂର୍ବରୁ ଫର୍ମକୁ ଫେରିଲେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ । ଉଭୟ ଖେଳାଳି ଫର୍ମକୁ ଫେରିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଶ୍ୱସ୍ତିକର ଖବର । ଇଶାନ ଲଗାତାର ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି । କିଶନ ଏବଂ ସୂର୍ଯ୍ୟକୁମାରଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ମୁମ୍ବାଇ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୩୫ ରନ କରିଥିଲା, ଯାହା ଆଇପିଏଲ ଇତିହାସରେ ଏହା ଦଳର ସର୍ବୋଚ୍ଚ ସ୍କୋର ଥିଲା । ଇଶାନ ୩୨ ବଲରୁ ୮୪ ରନ କରିଥିବା ବେଳେ ସୂର୍ଯ୍ୟକୁମାର ୪୦ ବଲରୁ ୮୨ ରନ କରିଥିଲେ । ଇଶାନ ନିଜ ଇନିଂସରେ ୧୧ ଚୌକା ଓ ଚାରି ଛକା ମାରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୧୩ ଚୌକା ଓ ୩ ଛକା ମାରିଥିଲେ ।

ଗତ ମ୍ୟଚ୍ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଇଶାନ ଫର୍ମକୁ ଫେରି ୨୫ ବଲରୁ ୫ ଚୌକା ଓ ୩ ଛକା ଜରିଆରେ ଅପରାଜିତ ୫୦ ରନ କରିଥିଲେ । ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ସେ ମାତ୍ର ୧୬ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହା ଆଇପିଏଲ ୨୦୨୧ରେ ଦ୍ରୁତତମ ଅର୍ଦ୍ଧଶତକ । ଇଶାନ ଆଇପିଏଲର ପ୍ରଥମ ଚାରି ଓଭରରେ ଅର୍ଦ୍ଧଶତକ ହାସଲ କରିବାରେ ଦ୍ୱିତୀୟ ବ୍ୟାଟସମ୍ୟାନ । ଏହା ପୂର୍ବରୁ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଲୋକେଶ ରାହୁଲ ୨୦୧୮ରେ ତକ୍ରାଳୀନ ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ୨୦୧୯ରେ ଚେନ୍ନାଇ ସୁପରକିଙ୍ଗସ ବିରୋଧରେ ଏହି କାରନାମା କରିଥିଲେ ।

ଚୂଡାନ୍ତ ଏକାଦଶରେ ସାମିଲ୍ ହୋଇ ପାରନ୍ତି ଇଶାନ-ସୂର୍ଯ୍ୟକୁମାର

ଭାରତୀୟ ଦଳ ପକ୍ଷରୁ କେଏଲ ରାହୁଲ ଓ ରୋହିତ ଶର୍ମା ଓପନିଂ କରିବା ନିଶ୍ଚିତ । ରାହୁଲ ବର୍ତ୍ତମାନ ଚମକ୍ରାର ଫର୍ମରେ ଅଛନ୍ତି । ସେ ଲଗାତାର ଆଇପିଏଲର ଚତୁର୍ଥ ସିଜିନରେ ୫୭୫ରୁ ଅଧିକ ରନ କରିଛନ୍ତି । ତୃତୀୟ ନମ୍ବରରେ ନିଜେ ବ୍ୟାଟିଂ କରିବେ ଅଧିନାୟକ ବିରାଟ କୋହଲି । ଋଷଭ ପନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରୁଛନ୍ତି । ତେଣୁ ଟି-୨୦ ବିଶ୍ୱ କପରେ କୋହଲି ତାଙ୍କୁ ଏହି ସ୍ଥାନରେ ବ୍ୟାଟିଂ କରିବାକୁ ଛାଡି ପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁ ନାହାନ୍ତି ଏବଂ ତାଙ୍କର ଫିଟନେସ୍ ସମସ୍ୟା ଏବେ ମଧ୍ୟ ପ୍ରଶ୍ନ ଘେରରେ ରହିଛି । ତେଣୁ ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରି ପାରନ୍ତି । ଅଲରାଉଣ୍ଡର ଭୂମିକା ରବୀନ୍ଦ୍ର ଜାଡେଜା ନିଭାଇବେ ଏବଂ ସେ ସପ୍ତମରେ ବ୍ୟାଟିଂ କରି ପାରନ୍ତି ।

ଭାରତର ୧୫ ଜଣିଆ ବିଶ୍ୱ କପ୍ ଟିମ୍

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି ।
ରିଜର୍ଭ ଖେଳାଳି- ଶ୍ରେୟସ ଆୟର, ଶାର୍ଦ୍ଦୁଳ ଠାକୁର ଓ ଦୀପକ ଚହର ।

Get real time updates directly on you device, subscribe now.