fbpx

OSSC ପିଏସଙ୍କ କାରନାମା: ଭିଜିଲାନ୍ସ ଚଢାଉରେ ଘରୁ ମିଳିଲା ପୁଳା ପୁଳା ଟଙ୍କା, ଗଣି ଗଣି ହାଲିଆ ହେଲେଣି ଅଧିକାରୀ

ଭୁବନେଶ୍ୱର : ଚାକିରି ଦେବା ନାଁରେ ଅର୍ଥ ଆଦାୟ କରି ମାଲାମାଲ ହେଉଥିଲେ ପିଏସ୍ । ଭିଜିଲାନ୍ସ ଚଢାଉ ପରେ ଖୋଲିଲା ଓଏସଏସସି ସଦସ୍ୟଙ୍କ ପିଏସଙ୍କ କାରନାମା । ଘରୁ ଏତେ ଟଙ୍କା ମିଳିଲା ଯେ, ତାକୁ ଗଣି ଗଣି ହାଲିଆ ହୋଇଗଲେଣି ଅଧିକାରୀ । ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ ହେବା ପରେ ଏହାର ଗଣତି ଚାଲିଛି । ଏ ହେଉଛି ଷ୍ଟାଫ ସିଲେକ୍ସମନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ କାରନାମା ।

କୌଣସି ସୂତ୍ରରୁ ଖବର ପାଇ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିରଞ୍ଚିଙ୍କ ୬ଟି ଜାଗାରେ ରେଡ୍ ହୋଇଛି । ରେଡରେ ସାମିଲ ଥିଲେ ଭିଜିଲାନ୍ସର ୪ ଡିଏସପି, ୧୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ । ରେଡ୍ ୨ଟି ଦୁଇ ମହଲା କୋଠା, ୯ଟି ଜମି ଠାବ କରାଯାଇଥିବା ସୂଚନା ମିଳିଛି । ଏପରିକି ସଂପର୍କୀୟଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଠାବ କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ ପିଏସଙ୍କ ଘରୁ ଜବତ ହୋଇଛି ୧୦ ଲକ୍ଷ ଟଙ୍କା ।

ପ୍ରାଥମିକ ତଦନ୍ତରୁ ୨ ଥର ବିଦେଶ ଗସ୍ତର ଡକ୍ୟୁମେଣ୍ଟ ଓ ଘରୁ ବିଦେଶୀ ନୋଟ୍ ବିଡା ମଧ୍ୟ ଠାବ କରାଯାଇଛି । କଟକ, ଭୁବନେଶ୍ୱରରେ ୬ଟି ଜାଗାରେ ରେଡ୍ ଚାଲିଥିବା କହିଛନ୍ତି ଏସପି । ବିରଞ୍ଚିଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଠାବ କରାଯାଇଛି । ଏତେ ଟଙ୍କା ଓ ସଂପତ୍ତି କେଉଁଠୁ ଆସିଲା ଏବଂ କିପରି ଆସିଲା ସେ ନେଇ ତଦନ୍ତ ଜାରି ରହିଥିବା ଏସପି କହିିଛନ୍ତି । ଏପରିକି ଦୁଇ ଥର ବିଦେଶ ଯାଇଥିବା ପିଏସ ମାନିଛନ୍ତି । ଚଢାଉ ବେଳେ ଘର ପଛ ପଟକୁ ଟଙ୍କା ଓ ଗହଣା ଫୋପାଡିବାକୁ ଉଦ୍ୟମ କରାଯାଇଛି ।

ଏସପି କହିଛନ୍ତି ଯେ, ଚାକିରି ପାଇଁ କୌଣସି ପ୍ରାର୍ଥୀଙ୍କଠୁ ଟଙ୍କା ନେଇଛନ୍ତି କି ନାହିଁ ତାର ତଦନ୍ତ କରାଯିବ । ତାଙ୍କର ଦରମା ଏତେ ବଡ ମଧ୍ୟ ନୁହେଁ । ନିଶ୍ଚିତ ରୂପେ ଅସାଧୁ ଉପାୟରେ ସେ ଧନ ଅର୍ଜନ କରିଛନ୍ତି । ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଥିବା କହିଛନ୍ତି ଭିଜିଲାନ୍ସ ଏସପି ଆର ପ୍ରକାଶ ।

Get real time updates directly on you device, subscribe now.