fbpx
BJD SKY
BJD SKY

ଚନ୍ଦ୍ରରେ ପୁଣି ଉଠିବେ ବିକ୍ରମ-ପ୍ରଜ୍ଞାନ! ଚନ୍ଦ୍ରଦିବସ ସରିବା ପରେ ସକ୍ରିୟ ହେବ ଭାରତର ଚନ୍ଦ୍ରଯାନ-୩

BJD

ନୂଆଦିଲ୍ଲୀ: ଚନ୍ଦ୍ରଯାନର ସଫଳତାକୁ ନେଇ ଦେଶରେ ଯେଉଁ ପ୍ରତ୍ୟେଖ ଭାରତୀୟଙ୍କ ଉତ୍ସାହ ଧିରେ ଧିରେ ଫିକା ପଡିଯାଇଛି । କାରଣ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାର ନିର୍ଦ୍ଦିଷ୍ଟ ସମୟ ପରେ ନିଷ୍କ୍ରିୟ ହୋଇଯାଇଛି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଆଉ ସେହି ନିର୍ଦ୍ଦିଷ୍ଟ ସମୟ ଭିତରେ ଇସ୍ରୋକୁ ଚନ୍ଦ୍ରପୃଷ୍ଠରୁ ଯେତିକି ସୂଚନା ମିଳିଥିଲା ସେହି ଆଧାରରେ ଗବେଷଣା ଆରମ୍ଭ ହୋଇଥିଲା । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଗତିଶୀଳ ହୋଇ ବିଭିନ୍ନ ତଥ୍ୟ ପ୍ରେରଣ କରୁଥିଲା । ଚନ୍ଦ୍ରପୃଷ୍ଠରେ ଗନ୍ଧକ ଥିବାର ସନ୍ଧାନ ମିଳିବା ପରେ ସେଠାରେ ଜଳର ଅବସ୍ଥିତି ସମ୍ପର୍କରେ ମଧ୍ୟ ବୈଜ୍ଞାନିକମାନେ ଆକଳନ ଆରମ୍ଭ କରିଦେଇଥିଲେ ।

ତେବେ ଏହାରି ଭିତରେ ଗତ କିଛିଦିନ ତଳେ ସ୍ଲିପ୍ ମୋଡ୍ କୁ ଚାଲି ଯାଇଥିଲା ରୋଭର ପ୍ରଜ୍ଞାନ । କିନ୍ତୁ ଏବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପୁଣିଥରେ ସକାଳ ହେବାକୁ ଯାଉଛି । ଏହା ସହିତ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସକ୍ରିୟ ହୋଇ ଉଠିବାର ଆଶା ମଧ୍ୟ ଦେଖା ଦେଇଛି । ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପରବର୍ତ୍ତୀ ସୂର୍ଯ୍ୟ କିରଣ ପଡିବ । ତେଣୁ ପୁଣିଥରେ ଲ୍ୟାଣ୍ଡର ଓ ରୋଭର ସକ୍ରିୟ ହୋଇ କାମ ଆରମ୍ଭ କରିବା ଦିଗରେ ଉଦ୍ୟମ କରିବ ଇସ୍ରୋ । ଚନ୍ଦ୍ରର ଗୋଟିଏ ଦିନ ପାଇଁ ଲ୍ୟାଣ୍ଡରକୁ ପ୍ରସ୍ତୁତ କରାଯାଇଥିଲା । ଚନ୍ଦ୍ରପୃଷ୍ଠର ଗୋଟିଏ ଦିନ ପୃଥିବୀ ପୃଷ୍ଠର ୧୪ ଦିନ ସହ ସମାନ । ତେଣୁ ସେହି ଅନୁସାରେ ଲ୍ୟାଣ୍ଡର ବିକ୍ରମକୁ ପ୍ରସ୍ତୁତ କରିଥିଲା ଇସ୍ରୋ ।

ଗତ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଥିଲା । ଏହା ପରେ ରୋଭର ପ୍ରଜ୍ଞାନ ବାହାରି ୧୨ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲା । ଏହା ପରେ ରୋଭରକୁ ସ୍ଲିପ୍ ମୋଡ୍ ରେ ରଖାଯାଇଥିଲା । ଏଠାରେ ଆମେ କହି ରଖିବାକୁ ଚାହିଁବୁ କି ପର୍ଯ୍ୟାପ୍ତ ପରିମାଣର ଉର୍ଜା ବା ଶକ୍ତି ପାଇବା ପାଇଁ ଲ୍ୟାଣ୍ଡର ଓ ରୋଭରର ଏଲିଭେସନ୍ ସୂର୍ଯ୍ୟର ୬ରୁ ୯ ଡିଗ୍ରୀରେ ରହିବା ଆବଶ୍ୟକ । ଏଥିପାଇଁ ଚନ୍ଦ୍ର ପୃଷ୍ଠରେ ରାତି ହେବାର ଗୋଟିଏ ଦିନ ପୂର୍ବରୁ ରୋଭରକୁ ସ୍ଲିପ୍ ମୋଡ୍ ରେ ରଖାଯାଇଥିଲା ।

ରାତିରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ତାପମାତ୍ରା ମାଇନସ୍ ୨୪୦ ଡିଗ୍ରୀ ପର୍ଯ୍ୟନ୍ତ ଖସିଥାଏ । ଏଥିପାଇଁ ଚନ୍ଦ୍ର ପୃଷ୍ଠରେ ତିଷ୍ଠି ରହିବା ଏକପ୍ରକାର ଅସମ୍ଭବ । ଯାହାକୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩ରେ ଲିଥିୟନ୍ ଆୟନ୍ ବ୍ୟାଟେରୀ ବ୍ୟବହାର କରାଯାଇଛି । ଯାହା କମ୍ ତାପମାତ୍ରାରେ ଖରାପ ହୁଏନାହିଁ ଏବଂ ଶକ୍ତି ସଞ୍ଚୟ କରି ରଖିଥାଏ । ତେଣୁ ଆସନ୍ତା ୨୨ ତାରିଖ ଅର୍ଥାତ୍ ଆଉ ଗୋଟିଏ ଦିନ ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟ କିରଣ ପଡିବାକୁ ଯାଉଥିବାରୁ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ପୁଣି ଥରେ କାମ କରିବା ନେଇ ଆଶା ସଞ୍ଚାର ହୋଇଛି । ଯଦି ଲ୍ୟାଣ୍ଡର ଓ ରୋଭରକୁ ସକ୍ରିୟ କରିବାରେ ଇସ୍ରୋ ସକ୍ଷମ ହୁଏ ତେବେ ଏହା ବହୁତ ବଡ ସଫଳତା ହେବ । ଏବଂ ଚନ୍ଦ୍ର ପୃଷ୍ଠରୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ସମ୍ଭବ ହୋଇପାରିବ ।

Get real time updates directly on you device, subscribe now.