fbpx

ସାଧାରଣତନ୍ତ୍ର ଦିବସ ସମାରୋହକୁ ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାପାଇଁ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ବୁଧବାର ପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ ନିମନ୍ତ୍ରଣ କରିଥିବା ନେଇ ଗାର୍ସେଟି କହିଛନ୍ତି।

ଏଠାରେ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍‌ଙ୍କୁ ଭାରତରେ ସ୍ୱାଗତ କରିବା ସହ ଭାରତ ଓ ଆମେରିକା ମଧ୍ୟରେ ଘନିଷ୍ଠ ଏବଂ ସ୍ଥାୟୀ ଭାଗିଦାରୀକୁ ଦୋହରାଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ, ଜୁନ୍‌ ୨୦୨୩ ଓ୍ଵାଶିଂଟନ ଗସ୍ତର ମୂଳ ସଫଳତାକୁ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ଯଥେଷ୍ଟ ଅଗ୍ରଗତି ପାଇଁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।ଏହି ଅବସରରେ ବିଶ୍ୱାସ ଏବଂ ପାରସ୍ପରିକ ବୁଝାମଣା ଆଧାରରେ ଦୁଇଦେଶର ବହୁମୁଖୀ ବୈଶ୍ୱିକ ଏଜେଣ୍ଡାର ସମସ୍ତ ଦିଗରେ ଭାରତ-ଆମେରିକା ରଣନୈତିକ ଭାଗିଦାରୀକୁ ପରିବର୍ତ୍ତନ କରିବା କାର୍ଯ୍ୟ ଜାରି ରଖିବାକୁ ଦୁଇ ନେତା ସହମତ ହୋଇଥିଲେ।

Get real time updates directly on you device, subscribe now.