fbpx

ନାମାଙ୍କନର ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ଫୋଗଟ୍

ଜିନ୍ଦ: କଂଗ୍ରେସରେ ସାମିଲ ହେବାର ମାତ୍ର ଦିନ ଦୁଇଟା ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କୁସ୍ତି ଯୋଦ୍ଧା ଭିନେଶ ଫୋଗଟ । ହରିଆଣା ବିଧାନସଭା ନିର୍ବାଚନର ମାତ୍ର ଗୋଟିଏ ମାସ ପୂର୍ବରୁ ଦୁଇ ଦିନ ତଳେ ଭିନେଶ ଓ ବଜରଙ୍ଗ ପୁର୍ନିଆ କଂଗ୍ରେସରେ ସାମିଲ ହୋଇଥିଲେ । ଭିନେଶଙ୍କୁ ଦଳ ଜୁଲାନା କ୍ଷେତ୍ରରେ ଦକଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ପୁର୍ନିଆଙ୍କୁ ଦଳ ସର୍ବ ଭାରତୀୟ କିସାନ କଂଗ୍ରେସର ସଭାପତି ଭାର ଦେଇଛି ।

ରବିବାର ଭିନେଶ ଚୁଡିଦାର ପଞ୍ଜାବୀ ପିନ୍ଧି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ସେ ଲୋକଙ୍କୁ ଭେଟିବା ସହ ତାଙ୍କୁ ଭୋଟ ଦେବା ପାଇଁ ଅପିଲ କରୁଛନ୍ତି । ନିର୍ବାଚନକୁ ହାତରେ ଆଉ ମାତ୍ର ଏକ ମାସ ସମୟ ରହିଛି । ଏମିତି ସମୟରେ ଭିନେଶ ପ୍ରଚାରକୁ ନ ଓହ୍ଲେଇଲେ ଏହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ସେଥିପାଇଁ ରବିବାରଠୁ ସେ ନିଜ ଅଞ୍ଚଳରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ।

ଭିନେଶ ଯେଉଁଠିକୁ ଯାଉଛନ୍ତି ସେଠି ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଭିନେଶଙ୍କୁ ଦେଖିବାକୁ ରହିଛି ଆଗ୍ରହ । ଏଥି ସହ ଭିନେଶଙ୍କ ବିଜେପି ବିରୋଧୀ ଆଭିମୁଖ୍ୟ ପାଇଁ ମଧ୍ୟ ସେ ଲୋକଙ୍କ ମଧ୍ୟରେ ଆଦୃତ ହେଉଛନ୍ତି । ଭିନେଶ କଂଗ୍ରେସରେ ମିଶିବା ପରେ ପରେ ହିଁ ବିଜେପିକୁ ମହିଳା ଓ କୃଷକ ବିରୋଧୀ ବୋଲି ପରୋକ୍ଷରେ କହିଦେଇଥିଲେ ।

ଶୁକ୍ରବାର କଂଗ୍ରେସରେ ସାମିଲ ହେବା ପରେ ଶନିବାର ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂହ ହୁଡାଙ୍କୁ ଭେଟି ଥିଲେ । ଏନେଇ ଏକ୍ସ ଆକାଉଣ୍ଟରେ ଭିନେଶ କହିଛନ୍ତି କି, ଗତକାଲି ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ହୁଡା ତଥା ତାଙ୍କ ବଡ ପୁଅ ତଥା ଲୋକସଭା ସାଂସଦ ଦୀପେନ୍ଦର ହୁଡାଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟି ବେଶ ଖୁସି । ହୁଡାଙ୍କ କ୍ରିଡା ପଲିସି ହରିଆଣାକୁ ସ୍ପୋର୍ଟସରେ ଶୀର୍ଷକୁ ଆଣିଛି । ତାଙ୍କ କାର୍ଯ୍ୟକାଳରେ ଖେଳାଳୀଙ୍କୁ ପୋଲିସ ଡିଏସପି ପଦବୀ ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ଯାହା କ୍ରୀଡା ପ୍ରତି ଯୁବବର୍ଗଙ୍କୁ ଆକୃଷ୍ଟ କରିଛି ବୋଲି କହିଛନ୍ତି ଫୋଗଟ ।

 

Get real time updates directly on you device, subscribe now.