fbpx

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ବିନେଶ ଫୋଗଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ବିନେଶ ଫୋଗଟ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏସୀୟ ଅଲିମ୍ପିକ୍ସ କ୍ୱାଲିଫାୟରର ସେମିଫାଇନାଲରେ ବଡ଼ ବିଜୟ ହାସଲ କରିଛନ୍ତି ବିନେଶ । ଏହି ବିଜୟ ଫଳରେ ବିନେଶ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ମହିଳା ୫୦ କେଜି ବର୍ଗରେ ବିନେଶ ଦେଶ ପାଇଁ ଅଲିମ୍ପିକ୍ସ କୋଟା ହାସଲ କରିଛନ୍ତି । ସେମିଫାଇନାଲରେ ବିନେଶ ଗନିକ୍ୟଜୀଙ୍କୁ ୧୦-୦ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଥିବା ରେସଲରଙ୍କୁ ନିଜ ଦେଶ ପାଇଁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର କୋଟା ମିଳିବ ।

ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ବିନେଶ କୋରିଆର ପ୍ରତିଦ୍ୱନ୍ଦ୍ୱୀ ମିରାନ ଚିୟୋନଙ୍କୁ ଏକ ମିନିଟ ୩୯ ସେକେଣ୍ଡରେ ପରାସ୍ତ କରିଥିଲେ । ପରବର୍ତ୍ତୀ ମୁକାବିଲାରେ ବିନେଶ କାମ୍ବୋଡ଼ିଆର ଏସମାନାଙ୍ଗ ଡିଟଙ୍କୁ ୬୭ ସେକେଣ୍ଡରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ଏବେ ସେମିରେ ବିନେଶ ବିଜୟ ହାସଲ କରିବା ସହିତ ବଡ଼ ସଫଳତା ହାସଲ କରିଛନ୍ତି । ନିକଟରେ ପଟିୟାଲାରେ ଆୟୋଜିତ ହୋଇଥିବା ଚୟନ ଟ୍ରାଏଲରେ ବିନେଶ ୫୦ କେଜି ସହିତ ୫୩ କେଜି ବର୍ଗରେ ଭାଗ ନେଇଥିଲେ । ୫୩ କେଜି ବର୍ଗରେ ସେମିଫାଇନାଲରେ ସେ ହାରି ଯାଇଥିଲେ । ମାତ୍ର ୫୦ କେଜି ବର୍ଗରେ ଏସୀୟ ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ସେ ୫୦ କେଜି ଭାର ବର୍ଗରେ ଫାଇନାଲରେ ଶିବାନୀଙ୍କୁ ପରାସ୍ତ କରିଥିଲେ ।

Get real time updates directly on you device, subscribe now.