fbpx

ବଡ଼ ଖବର! IPL-2024ରେ ବି ଖେଳି ନ ପାରନ୍ତି ବିରାଟ: RCBକୁ ଲାଗିବ ଶକ୍ତ ଝଟକା

ରାଞ୍ଚି: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏହାପୂର୍ବରୁ ଏହି ଟୁର୍ଣ୍ଣାମେଣ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ବର୍ତ୍ତମାନ ସବୁଠୁ ବଡ଼ ଖବର ଜାଣିବାକୁ ମିଳିଛି ଯେ, ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଇପିଏଲରେ ମଧ୍ୟ ଖେଳି ନ ପାରନ୍ତି । ଇଂଲଣ୍ଡ ବିପକ୍ଷ ସିରିଜ ପରେ ଆଇପିଏଲରୁ ମଧ୍ୟ ବ୍ରେକ ନେଇ ପାରନ୍ତି କିଙ୍ଗ କୋହଲି । କୋହଲିଙ୍କ ଆଇପିଏଲ ଖେଳିବା ନେଇ ଆଶଙ୍କା ଜାହିର କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ।

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରାଞ୍ଚିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଏଠାରେ ତାଙ୍କୁ ବିରାଟ କୋହଲିଙ୍କ ସମ୍ପର୍କରେ ମଧ୍ୟ ପ୍ରଶ୍ନ ହୋଇଥିଲା । କ୍ରିକେଟରୁ ଲମ୍ବା ବ୍ରେକ ପରେ ଆଇପିଏଲରେ କମବ୍ୟାକ କରି ବିରାଟ କିପରି ପ୍ରଦର୍ଶନ କରିବେ? କୋହଲି ରନ୍ କରିବା ପାଇଁ ସେ ବ୍ୟଗ୍ର ଥିବେ କି ବୋଲି ଫ୍ୟାନ୍ସ ପ୍ରଶ୍ନ ପଚାରିଥିଲେ । ତେବେ ଏହାର ଉତ୍ତରରେ ସୁନୀଲ କହିଛନ୍ତି ଯେ, ସତରେ ସେ କ’ଣ ଖେଳିବେ… ସେ କିଛି କାରଣରୁ ଖେଳୁନାହାନ୍ତି । ଏମିତି ବି ହୋଇପାରେ, ସେ ଆଇପିଏଲ ମଧ୍ୟ ଖେଳି ନ ପାରନ୍ତି ବୋଲି ବୟାନ ଦେଇଛନ୍ତି ସୁନୀଲ ଗାଭାସ୍କର । ତେବେ ବିରାଟ ଆଇପିଏଲରୁ ଦୂରେଇ ରହିଲେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଏହା ଏକ ଶକ୍ତ ଝଟକା ହୋଇପାରେ ।

ଆଇପିଏଲ-୨୦୨୪ ସିଜନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଏହାପୂର୍ବରୁ ଆରସିବିକୁ ଲାଗିପାରେ ଏକ ଶକ୍ତ ଝଟକା । ଦଳର ଷ୍ଟାର ବ୍ୟାଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରନ୍ତି । ଆଇପିଏଲ ପୂର୍ବରୁ ବିରାଟ କୋହଲି ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି । ଏଥିପାଇଁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବିରତୀ ନେଇଛନ୍ତି । ତେବେ ଏଥିପାଇଁ ବିରାଟଙ୍କ ଆଇପିଏଲ ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.