‘ଭାରତରେ ଚୟନକର୍ତ୍ତା ଜନ୍ମ ହୋଇ ନାହାନ୍ତି…’, ବିରାଟ କୋହଲିଙ୍କୁ ନେଇ ପାକିସ୍ତାନ ପୁର୍ବତନ ଅଧିନାୟକଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ଯାହାକୁ ଅନେକ ସମାଲୋଚନା କରୁଥିବା ବେଳେ ଅନେକ ତାଙ୍କ ସମର୍ଥନରେ ବାହାରିଛନ୍ତି । ପାକିସ୍ତାନର ପୁର୍ବତନ ଅଧିନାୟକ ରଶିଦ ଲତିଫ ବିରାଟ କୋହଲିଙ୍କୁ ନେଇ ଏବେ ବଡ଼ ବୟାନ ଦେଇଛନ୍ତି । ଲତିଫ କହିଛନ୍ତି ଯେ, ଭାରତରେ କୋଣସି ଚୟନକର୍ତ୍ତା ଜନ୍ମ ହୋଇ ନାହାନ୍ତି ଯିଏ ବିରାଟ କୋହଲିଙ୍କୁ ଟିମ୍‌ରୁ ବାହାର କରିଦେବେ ।

ବିରାଟ ତାଙ୍କ ଖେଳ ଜୀବନର ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ୨୦୨୨ରେ ବିରାଟ ଆଭରେଜ୍ ମାତ୍ର ୨୫.୫୦ ରହିଛି । ଯାହା ଏକ କ୍ୟାଲେଣ୍ଡର ବର୍ଷରେ ତାଙ୍କର ସବୁଠୁ କମ୍ ଆଭରେଜ । ସେହିପରି ୨୦୧୯ରେ ବିରାଟ ତାଙ୍କର ଶେଷ ଶତକ ହାସଲ କରିଥିଲେ । କୋହଲିଙ୍କୁ ଟିମ୍‌ରୁ ବାହାର କରିବା ବିଷୟରେ ପଚରାଯିବାରୁ ରଶିଦ ଲତିଫ କହିଥିଲେ ଭାରତରେ କୌଣସି ଚୟନକର୍ତ୍ତା ଜନ୍ମ ହୋଇନାହାନ୍ତି ଯିଏ ତାଙ୍କୁ ଦଳରୁ ବାହାର କରିଦେବେ ।

ସମ୍ପ୍ରତି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାରି ରହିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ୧୦ ଉଇକେଟରେ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଶୋଚନୀୟ ପରାଜୟର ସାମ୍ନା କରିଥିଲା । ବିରାଟ ଏହି ମ୍ୟାଚ୍‌ରେ ମାତ୍ର ୧୬ ରନ୍ କରିପାରିଥିଲେ । ଏହା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ବିରାଟଙ୍କୁ ସମର୍ଥନ କରି ଟ୍ୱିଟ୍ କରିଥିଲେ । ବାବର କହିଥିଲେ,’ଏହି ସମୟ ଚାଲି ଯିବ. ଦୃଢ଼ ରୁହ’ ।