fbpx

T20 WC ସେମି ଫାଇନାଲରେ ଖେଳିବେନି ବିରାଟ! ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆରୁ ବାଦ୍ ପଡ଼ିବେ କି କୋହଲି?

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପର ସେମି ଫାଇନାଲ ପାଇଁ ପାଦ ବଢାଉଛି ଟିମ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ସମସ୍ତ ମ୍ୟାଚ ଜିତି ସୁପର-୮ ପର୍ଯ୍ୟାୟରୁ ସେମି ପାଇନାଲରେ ପ୍ରବେଶ କରିବାକୁ ଯାଉଛି ରୋହିତ ସେନା । ତେବେ ସେମି ଫାଇନାଲ ପୂର୍ବରୁ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି ଭାରତ । ଏହି ମ୍ୟାଚରେ ବିଜୟୀ ହେଲେ ସେମି ଫାଇନାଲରେ ଦଳ ଇଂଲଣ୍ଡକୁ ଭେଟିବ । କିନ୍ତୁ ଇଂଲଣ୍ଡ ବିପକ୍ଷ ସେମି ଫାଇନାଲରେ ଖେଳି ନ ପାରନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ବଡ଼ ନକ୍ ଆଉଟ୍ ମ୍ୟାଚରେ ଦଳରୁ ତାଙ୍କୁ ବାଦ୍ ଦେଇ ଷ୍ଟାର ବ୍ୟାଟର ଯଶସ୍ୱୀ ଜଏସ୍ୱାଲଙ୍କୁ ସୁଯୋଗ ଦେଇପାରେ ଟିମ ମ୍ୟାନେଜମେଣ୍ଟ ।

ସେମିଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ ଟିମକୁ ଲାଗିଛି ଶକ୍ତ ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ସୁପର-୮ ମୁକାବିଲାରେ ମଧ୍ୟ ଶସ୍ତାରେ ଆଉଟ ହୋଇଛନ୍ତି ବିରାଟ କୋହଲି । ଦ୍ୱିତୀୟ ଓଭରରେ ଖାତା ଖୋଲିବା ପୂର୍ବରୁ ହିଁ ନିଜ ୱିକେଟ ହରାଇ ପାଭିଲିୟନ ଫେରିଛନ୍ତି ବିରାଟ । ତେଣୁ ସେମି ଫାଇନାଲରେ ତାଙ୍କ ସ୍ଥାନକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି । ଶୁଣିବାକୁ ମିଳୁଛି ଯେ, ଜୁନ ୨୭ରେ ଗୟାନା ମୈଦାନରେ ହେବାକୁ ଥିବା ସେମି ଫାଇନାଲରେ ଭାରତ ସୁଯୋଗ ପାଇଲେ ଦଳରୁ ବିରାଟ କୋହଲିଙ୍କୁ ବାଦ୍ ଦେଇପାରେ ଟିମ୍ ମ୍ୟାନଜେମେଣ୍ଟ । କୋହଲିଙ୍କୁ ନେଇ ଆରମ୍ଭ ହୋଇଥିବା ଏମିତି ଚର୍ଚ୍ଚା ସବୁ କ୍ରୀଡାପ୍ରେମୀଙ୍କୁ ନିରାଶ କରିଛି । ଭାରତୀୟ ଟିମର ବିରାଟ ସବୁଠାରୁ ସଫଳଏବଂ ବେଷ୍ଟ କ୍ରିକେଟର ହୋଇଥିଲେ ମଧ୍ୟ ଟି-୨୦ ବିଶ୍ୱକପରେ ତାଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଶାନ୍ତ ରହିଛି । ତେଣୁ ତାଙ୍କ ସ୍ଥାନରେ ଯଶସ୍ୱୀ ଜଏସ୍ୱାଲ କିମ୍ବା ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଯାଇପାରେ । ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ବାହାର କରିବା ପାଇଁ ବିଚାର କରିପାରେ ବୋଲି ଖୁବ ଆଲୋଚନା ହେବାରେ ଲାଗିଛି ।

ପୂର୍ବରୁ କୁହାଯାଉଥିଲା ଯେ, ଯଦି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ କୋହଲି ବଡ଼ ସ୍କୋର ନ କରନ୍ତି, ତେବେ ତାଙ୍କୁ ବିନା ସଂକୋଚରେ ପ୍ଲେଇଂ ୧୧ରୁ ବାହାର କରିବା ପାଇଁ ମ୍ୟାନେଜମେଣ୍ଟ ବିଚାର କରିପାରେ । ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଖାତା ନ ଖୋଲି ଆଉଟ ହୋଇଛନ୍ତି କୋହଲି । ବିରାଟଙ୍କ ଖରାପ ଫର୍ମ ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବଡ଼ ବିଷୟ ପାଲଟିଛି । ସେ ଟି୨୦ ବିଶ୍ୱକପ-୨୦୨୪ରେ ବିଶେଷ ପ୍ରଦର୍ଶନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ପ୍ରତି ମ୍ୟାଚରେ ଫ୍ୟାନ୍ସ ତାଙ୍କ ଠାରୁ କିଛି ବଡ ଆଶା ରଖିଛନ୍ତି । କିନ୍ତୁ ସେ ଦର୍ଶକଙ୍କୁ ନିରାଶ କରିଛନ୍ତି । ଯେଉଁ କାରଣ ପାଇଁ ମ୍ୟାନେଜମେଣ୍ଟ ତାଙ୍କୁ ବିଦା କରିବାକୁ ଚିନ୍ତା କରିପାରେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ବିରାଟଙ୍କ ଭଳି ବଡ଼ ଖେଳାଳିଙ୍କୁ ଦଳରୁ ବାଦ୍ ନ ଦେଇ ତାଙ୍କୁ ୩ ନମ୍ବରରେ ଖେଳିବାକୁ ସୁଯୋଗ ଦେବାକୁ ମଧ୍ୟ ଚିନ୍ତା କରିପାରନ୍ତି ଅଧିନାୟକ ରୋହିତ । ମେଗା ଇଭେଣ୍ଟର ନକ୍ ଆଉଟ୍ ମ୍ୟାଚରେ ବିଜୟୀ ଦଳ ପରିବର୍ତ୍ତନ କରି ରିସ୍କ ନେବାକୁ ଚାହିଁବନି ଟିମ ମ୍ୟାନେଜମେଣ୍ଟ ।

Get real time updates directly on you device, subscribe now.