ସୀମା ଶୁଳ୍କରେ ଠକିଛି ଭିଭୋ ଇଣ୍ଡିଆ, ଦେବାକୁ ପଡ଼ିବ ୨,୨୧୭ କୋଟି ଟ୍ୟାକ୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଇଣ୍ଡିଆ ଦ୍ୱାରା ପ୍ରାୟ ୨,୨୪୭ କୋଟି ଟଙ୍କାର ସୀମା ଶୁଳ୍କ ଚୋରି କରିଥିବାନେଇ କହିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ)  । ଅର୍ଥ ମନ୍ତ୍ରାଳୟ ତରଫରୁ ବୁଧବାର ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ କହିଛନ୍ତି ଯେ ଯାଞ୍ଚ ସମୟରେ ଡିଆରଆଇର ଅଧିକାରୀମାନେ ଭିଭୋ ଇଣ୍ଡିଆର ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟର ତଲାସି କରି ଜାଣିବାକୁ ପାଇଥିଲେ ଯେ ମୋବାଇଲ ଫୋନ ନିର୍ମାଣରେ ବ୍ୟବହାର ହେଉଥିବା କିଛି ସାମଗ୍ରୀର ଜାଣିଶୁଣି ଭୁଲ୍ ତଥ୍ୟ ଦିଆଯାଇଥିବାର ପ୍ରମାଣ ମିଳିଛି ।

ବୟାନରେ କୁହାଯାଇଛି ଯେ ଭୁଲ୍ ତଥ୍ୟ ଆଧାରରେ ଭିଭୋ ଇଣ୍ଡିଆ ୨,୨୧୭ କୋଟି ଟଙ୍କାର କଷ୍ଟମ ଡ୍ୟୁଟି ଫାଙ୍କିଛି । ମନ୍ତ୍ରାଳୟ ଅନୂଯାୟୀ ଯାଞ୍ଚ ପୂରା ହେବା ପରେ ଭିଭୋ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ନୋଟିସରେ ସୀମା ଶୁଳ୍କ ଅଧିନିୟମ ୧୯୬୨ ଅନୂଯାୟୀ ୨୨୧୭ କୋଟି ଟଙ୍କା ସୀମା ଶୁଳ୍କ ଭରିବାକୁ କୁହାଯାଇଛି । ସେପଟେ ଭିଭୋ ଇଣ୍ଡିଆ ନିଜର ଭିନ୍ନ ଭିନ୍ନ ସୀମା ଶୁଳ୍କ ବାବଦକୁ  ୬୦ କୋଟି ଜମା କରିଛି । ସୂଚନାଯୋଗ୍ୟ, ଡିଆରଆଇ ନିକଟରେ ଓପ୍ପୋ କମ୍ପାନୀକୁ ମଧ୍ୟ ୪୩୮କୋଟି ଟଙ୍କା ସୀମା ଶୁଳ୍କ ପୈଠ କରିବା ପାଇଁ ନୋଟିସ ଜାରି କରିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ରାଜ୍ୟସଭାରେ କହିଥିଲେ ଯେ ଚୀନର ତିନି କମ୍ପାନୀ ଓପ୍ପୋ, ଭିଭୋ ଏବଂ ସାଓମି ଟ୍ୟାକ୍ସରେ ହେରଫେର କରିବା ସାମ୍ନାକୁ ଆସିଛି । ଏମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସୀମାନେ ଯାଞ୍ଚ କରୁଛନ୍ତି ।  ଅର୍ଥମନ୍ତ୍ରୀ କହିଥିଲେ ଯେ ଭିଭୋ ସହ ଜଡ଼ିତ ୧୮ ଅନୁବନ୍ଧିତ କମ୍ପାନୀଙ୍କ ବିରୋଧରେ ଯାଞ୍ଚ କରାଯାଉଛି । ସେ କହିଥିଲେ ଯେ ଭିଭୋ ଭାରତରେ ହୋଇଥିବା ୧.୨୫ ଲକ୍ଷ କୋଟି ଟଙ୍କାର ବିକ୍ରିର ଏକ ବଡ଼ ଅଂଶ ଏହି ୧୮ କମ୍ପାନୀ ଦ୍ୱାରା ଦେଶ ବାହାରକୁ ପଠାଇଛି ।

ଗତ ୨୫ ଜୁଲାଇରେ ଇଡି ଦିଲ୍ଲୀ ହାଇକୋର୍ଟରେ ଭିଭୋ ବିରୋଧରେ ବୟାନ ଦେଇ କହିଥିଲା ଯେ ମାମଲା କେବଳ ଅପରାଧିକ ନୁହେଁ ବରଂ ଏହା ଦେଶର ଆର୍ଥିକ ପ୍ରଣାଳୀକୁ ଅସ୍ଥିର କରିବା ଏବଂ ରାଷ୍ଟ୍ରର ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରିବାର ପ୍ରୟାସ । ଇଡି ଅଦାଲାତରେ କହିଥିଲା ଯେ କମ୍ପାନୀର ଜବତ ହୋଇଥିବା ଆକାଉଣ୍ଟରୁ ଜଣାପଡ଼ୁଛି ଯେ କମ୍ପାନୀ ମନିଲଣ୍ଡ୍ରିଂରେ ସାମିଲ ଅଛି ।