fbpx

ସାଧାରଣ ଲୋକଙ୍କ ସମସ୍ୟା:ଆରମ୍ଭ ହେଲା ଓଭରବ୍ରିଜ କାର୍ଯ୍ୟ ହେଲେ ସରିବ କେବେ ?

ଭୁବନେଶ୍ୱର: କଥା ରହିଛି ଚେଇଁ ଶୋଇଥିବ ଯିଏ, ତାକୁ ଜଗାଇବ କିଏ? ରାଜଧାନୀରେ ରାସ୍ତା ସମସ୍ୟା ସାଧାରଣ କଥା । ଏହା ପ୍ରଶାସନକୁ ମଧ୍ୟ ଅଛପା ନୁହେଁ । ଏହାକୁ ନେଇ ବାରମ୍ବାର ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ସମସ୍ୟାର ତୁରନ୍ତ ସମାଧାନ ହେଇ ପାରୁ ନାହିଁ । ଯାହା ଫଳରେ ଲୋକଙ୍କୁ ନିତିଦିନ ସମସ୍ୟାର ସମ୍ମୁଖୀନ୍ନ ହେବାକୁ ପଡୁଛି । କେଉଁଠାରେ କାମ ଆରମ୍ଭ କରାଯାଇ ରାସ୍ତାକୁ ଖୋଳା ଖୋଳି କରାଯାଇ ଅଧାରେ ଛାଡି ଦିଆଯାଇଛି ତ ଆଉ କେଉଁଠାରେ ବାଲି, ଗୋଡି ପଡିରହିଛି ।

ତେବେ ଏହି ସବୁ ଅବହେଳା ଭିତରେ ଭିଏସଏସ ନଗରରେ ଥିବା ଟ୍ରେନଲାଇନ ରାସ୍ତା ମଧ୍ୟ ଗୋଟିଏ । ମଞ୍ଚେଶ୍ୱରରୁ ଭିଏସଏସ ନଗରକୁ ସଂଯୋଗ କରୁଥିବା ଏକ ସର୍ଟକଟ ରାସ୍ତା ହେଉଛି ଟ୍ରେନଲାଇନ ରାସ୍ତା । ତେବେ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଥିବା ବେଳେ ଏହି ଟ୍ରେନ କ୍ରସିଙ୍ଗ ରାସ୍ତାର ଅବସ୍ଥା ଶୋଚନୀୟ । ବହୁଥର ଏଠାରେ ଭିଡ ପାଇଁ ଦୁର୍ଘଟଣା ହେଉଥିବାର ମଧ୍ୟ ଖବର ପ୍ରସାରଣ ହୋଇଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ଏଠାରେ ଏକ ଓଭରବ୍ରିଜ ନିର୍ମାଣ କରିବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି। ସୂଚନା ମୁତାବକ ୨୦୧୦ ରୁ ଏହି ଦାବି ଲୋକେ କରି ଆସୁଛନ୍ତି । ଭିଏସଏସ ନଗର ଏବଂ ମଞ୍ଚେଶ୍ଵର ଶିଳ୍ପାନୁଷ୍ଠାନକୁ ଏହି ରାସ୍ତା ସଂଯୋଗ କରୁଥିବାରୁ ଏହା ଉପରେ ବହୁଲୋକ ନିର୍ଭରଶୀଳ।

କିନ୍ତୁ ଏବେ ଓଭରବ୍ରିଜ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ ପୂର୍ବରୁ ଥିବା ଲେବଲ କ୍ରସିଙ୍ଗକୁ ବନ୍ଦ କରାଯାଇ ଏହା ପାଖରେ ଆଉ ଏକ ରାସ୍ତା କରାଯାଇଛି । ଯାହା ଦେଇ ଲୋକ ଯାତାୟତ କରୁଛନ୍ତି । କିନ୍ତୁ ସମସ୍ୟାର କାରଣ ହେଲା ଏହାର ଓସାର ଏତେ ଛୋଟ ଯେ ଦୁଇ ପାଶ୍ୱର୍ରେ ଯାତାୟତ କରିବା ମୁସ୍କିଲ ହୋଇ ଯାଉଛି । ପ୍ରତିଦିନ ଏଠାରେ ଟ୍ରେନ ଯିବା ସମୟରେ ଫାଟକ ପଡିବା ପରେ ଯେଉଁ ମାତ୍ରାରେ ଗାଡି ଭିଡ ହେଉଛି ଫାଟକ ଉଠିବା ପରେ ଏହି ଛୋଟ ଓସାରିଆ ପଥରେ ଗାଡି ଯିବାକୁ ବହୁ ଅସୁବିଧା ହେଉଛି । ଫଳରେ ରାସ୍ତା ପାର କରବା ପାଇଁ ଲୋକଙ୍କୁ ୧୫ ମିନିଟରୁ ଅଧିକ ସମୟ ଛିଡା ହେବାକୁ ପଡୁଛି । ଯାହକୁ ନେଇ ଜନ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳୁଛି ।

ଯଦି ପ୍ରଶାସନ ଦ୍ୱାରା ଓଭର ବ୍ରିଜ କାର୍ଯ୍ୟକୁ ତ୍ୱରାନିତ କରାଯିବ ତେବେ ଏହି ସମସ୍ୟା ଖୁବ ଶୀଘ୍ର ସମାଧାନ ହୋଇ ପାରିବ ବୋଲି ସ୍ଥାନୀୟଲୋକ ମାନେ ମତପ୍ରକାଶ କରିଛନ୍ତି । ତେଣୁ ପ୍ରଶାସନ ଯଥା ଶୀଘ୍ର ଏହି ସମସ୍ୟାର କିଛି ବାଟ ଫିଟାଇବେ ବୋଲି ଲୋକ ଆଶାବାଦୀ ଅଛନ୍ତି । କେବଳ ଦେଖିବା ବାକି ରହିଲା ଏହି ସ୍ଥାନୀୟବାସୀଙ୍କ ଦୁଃଖ କେତେ ଶୀଘ୍ର ଦୂର ହେଉଛି ।

Get real time updates directly on you device, subscribe now.