ହିମାଚଳ ପ୍ରଦେଶ ନିର୍ବାଚନରେ ଜାତିର କେତେ ପ୍ରଭାବ ରହିଛି ? କେଉଁ ସଂପ୍ରଦାୟ ପାଖରେ ରହିଛି କ୍ଷମତାର ଚାବି, ଫଳାଫଳ ଡିସେମ୍ବର ୮ରେ

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ସଂପ୍ରତି ଜାତି ଏବଂ ଧର୍ମ ଏକ ବଡ ପ୍ରସଙ୍ଗ ପାଲଟିଛି। ଏହି ଦୁଇଟି କାରକକୁ ନେଇ ରାଜନୀତି ଖୁବ୍ କରାଯାଉଛି। ନେତା ମାନେ ତ ଜାତି ଏବଂ ଧର୍ମ ଆଧାରରେ ଭୋଟ୍ ବ୍ୟାଙ୍କ ରାଜନୀତି ବେଶ କୌଶଳର ସହ କରୁଛନ୍ତି। ନିର୍ବାଚନ ଲଢେଇ ସେ ମରୁଭୂମିରେ ହେଉ କି ପାହାଡିଆ ଅଞ୍ଚଳରେ। ନିକଟରେ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ସଂପନ୍ନ ହୋଇ ସାରିଛି। ଫଳାଫଲ ଡିସେମ୍ବର ୮ରେ ପ୍ରକାଶ ପାଇବ। ତେବେ ମନରେ ପ୍ରଶ୍ନ ଉଠେ ଯେ, କଣ ବିହାର, ଉତ୍ତର ପ୍ରଦେଶ, ହରିୟାଣା ପରି ପାହାଡି ଅଞ୍ଚଳରେ ଜାତି ରାଜନୀତି କେମିତି ହୋଇଥାଏ ? କଣ ଜାତି ଏକ ନିର୍ବାଚନୀ ଫ୍ୟାକ୍ଟର ? ଏଥିରୁ ବୁଝିବାକୁ ପଡିବ ଯେ, ଅଞ୍ଚଳଭିତ୍ତିକରେ ଜାତିଭିତ୍ତିକ ରାଜନୀତି କେମିତି କରାଯାଏ।

ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ନିର୍ବାଚନ ସରି ସାରିଛି। ଏଠାକାର ବିଧାନସଭା ଆସନ ସଂଖ୍ୟା ୬୮। ଏଥିରୁ ୧୭ ବିଧାନସଭା ଆସନ ଅନୁସୂଚିତ ଜାତି(ଏସସି) ପାଇଁ ଏବଂ ତିନି ଆସନ ଅନୁସୂଚିତ ଜନଜାତି(ଏସଟି) ପାଇଁ ସଂରକ୍ଷିତ ରହି ଆସିଛି। ଏମିତିରେ ଜାତିର ସମୀକରଣ ବି ଜାଣିବା ଜରୁରୀ ଯଦ୍ଵାରା କେବଳ ହିମାଚଳ ପ୍ରଦେଶ ନୁହେଁ ଉତ୍ତର ପ୍ରଦେଶ, ଗୁଜରାଟ, ରାଜସ୍ଥାନ, ହରିୟାଣାର  ଭୋଟ୍ ଖେଳକୁ ବୁଝାଯାଇ ପାରିବ।

୨୦୧୧ ଜନଗଣନା ଅନୁଯାୟୀ, ହିମାଚଳ ପ୍ରଦେଶର ଜନସଂଖ୍ୟା ୭୦ ଲକ୍ଷରୁ ବି କମ। ଏଠାକାର ରାଜନୀତିରେ ରାଜପୁତ ଏବଂ ବ୍ରାହ୍ମଣ ସମୁଦାୟଙ୍କ ଦବଦବା ସର୍ବଦା ରହି ଆସିଛି। କାରଣ ରାଜ୍ୟରେ ସବର୍ଣ୍ଣଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ୨୦୧୧ ଜନଗଣନା ଅନୁସାରେ ହିମାଚଳ ପ୍ରଦେଶରେ ପ୍ରାୟ ୫୧ ପ୍ରତିଶତ ଜନସଂଖ୍ୟା ସବର୍ଣ୍ଣ। ଏଥିରୁ ୩୩ ପ୍ରତିଶତ ରାଜପୁତ ଏବଂ ୧୮ ପ୍ରତିଶତ ବ୍ରାହ୍ମଣ।
ଏହି କାରଣରୁ ରାଜ୍ୟରେ ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ରାଜପୁତ ସଂପ୍ରଦାୟ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି। ଯଦି ଦ୍ଵିତୀୟ ଜାତି ଉପରେ ନଜର ପକାଇବା ତେବେ ପ୍ରାୟ ୨୫ ପ୍ରତିଶତ ଅନୁସୂଚିତ ଜାତି, ୫ ପ୍ରତିଶତ ଅନୁସୂଚିତ ଜନଜାତି, ୧୩-୧୪ ପ୍ରତିଶତ ଓବିସି ଏବଂ ୫ ପ୍ରତିଶତ ଅନ୍ୟ ସମୁଦାୟର।

ରାଜପୁତ ଏବଂ ବ୍ରାହ୍ମଣଙ୍କ ସଂଖ୍ୟାରୁ ସେମାନଙ୍କର ଭୋଟିଂ ଶକ୍ତିକୁ ଦେଖି ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ଉଭୟ ଦଳ ୨୮-୨୮ ରାଜପୁତଙ୍କୁ ପ୍ରାର୍ଥୀ କରାଇଥିଲା। କଂଗ୍ରେସ ବିଜେପି ତୁଳନାରେ ଅଧିକ ବ୍ରାହ୍ମଣଙ୍କୁ ଟିକେଟ୍ ଦେଇଥିଲା। ବିଜେପି ୯ ତ କଂଗ୍ରେସ ୧୨ ବ୍ରାହ୍ମଣଙ୍କୁ ପ୍ରାର୍ଥୀ କରିଥିଲା।

ବଡ ପ୍ରଶ୍ନ କଣ ଜାତି ଏକ ଫ୍ୟାକ୍ଟର ? ଏହାର ଉତ୍ତର ନିଶ୍ଚିତ ଭାବେ ହଁ ଏବଂ ନା ଉଭୟରେ ରହିବ। କାରଣ ହିମାଚଳ ପ୍ରଦେଶରେ ଜାତିକୁ ନେଇ ଭୋଟିଂ ପରମ୍ପରା ବହୁତ କମ ଦେଖିବାକୁ ମିଳେ। ମାତ୍ର ମୁଖ୍ୟମନ୍ତ୍ରୀ ଅଦ୍ୟାବଧି ସବର୍ଣ୍ଣ ସଂପ୍ରଦାୟରୁ ହୋଇ ଆସିଛନ୍ତି। ଏଠାରେ ବିହାର ଏବଂ ଉତ୍ତର  ପ୍ରଦେଶ ପରି ଓବିସି, ଦଳିତ କିମ୍ବା ପଛୁଆ ଜାତି ଆଧାରରେ କୌଣସି ବଡ ନେତା ମଇଦାନକୁ ଓହ୍ଲାନ୍ତି ନାହିଁ।
ହୋଇପାରେ ରାଜପୁତ ଏବଂ ବ୍ରାହ୍ମଣଙ୍କ ହାତରେ କ୍ଷମତାର ଚାବି କାଠି ରହୁଛି। ମାତ୍ର ପ୍ରାୟ ୩୦ ପ୍ରତିଶତ ଏସସି/ଏସଟି ଜନସଂଖ୍ୟା ଜୟ-ପରାଜୟ ପାଇଁ ବଡ କାରକ ସାବ୍ୟସ୍ତ ହେଉଛନ୍ତି। ରାଜ୍ୟରେ ଦଳିତ ଏବଂ ଆଦିବାସୀ ମୋଟ୍ ଜନସଂଖ୍ୟାର ୩୦ ପ୍ରତିଶତ। ଅନୁସୂଚିତ ଜାତିର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ଏବଂ କଂଗ୍ରେସ ବହୁତ ଉଦ୍ୟମ କରିଛନ୍ତି।

କାହାକୁ କେଉଁ ଜାତିର ସମର୍ଥନ ମିଳିଛି
୨୦୧୭ ବିଧାନସଭା ନିର୍ବାଚନରେ ରାଜପୁତଙ୍କ ପସନ୍ଦର ପାର୍ଟି ବିଜେପି ରହିଥିଲା। ଉକ୍ତ ନିର୍ବାଚନରେ ବିଜେପିକୁ ରାଜପୁତଙ୍କ ୪୯ ପ୍ରତିଶତ ଭୋଟ୍ ମିଳିଥିବା ବେଳେ କଂଗ୍ରେସକୁ ୩୬ ପ୍ରତିଶତ ଭୋଟ୍ ମିଳିଥିଲା। ସେମିତି ସଂରକ୍ଷିତ ୧୭ ଆସନରୁ ବିଜେପି ୧୩ଟିରେ ବିଜୟ ହାସଲ କରିଥିଲା। କିନ୍ତୁ ଭୋଟ୍ ପ୍ରତିଶତ ଉପରେ ନଜର ପକାଇଲେ ୨୦୧୭ ବିଧାନସଭା ନିର୍ବାଚନରେ ୪୮ ପ୍ରତିଶତ ଦଳିତ ଭୋଟ୍ କଂଗ୍ରେସ ଖାତାକୁ ଏବଂ ୪୭ ପ୍ରତିଶତ ବିଜେପି ଖାତାକୁ ଯାଇଥିଲା।

ଏ ପର୍ଯ୍ୟନ୍ତ ଓବିସି ସମୁଦାୟ ଉପରେ କମ୍ ଫୋକସ ରହିଲେ ମଧ୍ୟ ପ୍ରାୟ ୧୩ଟି ଆସନରେ ଓବିସି ସମୁଦାୟ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇ ପାରନ୍ତି। ହିମାଚଳ ପ୍ରଦେଶରେ ୧୮ ବିଧାନସଭାରେ ଏହି ସମୁଦାୟର ଦବଦବା ରହିଛି।  ଗତ ନିର୍ବାଚନରେ ଓବିସି ମତଦାତାଙ୍କ ପ୍ରଥମ ପସନ୍ଦର ପାର୍ଟି ଥିଲା ବିଜେପି। ୨୦୧୭ରେ ବିଜେପିକୁ ଓବିସିର ୪୮ ପ୍ରତିଶତ ଏବଂ କଂଗ୍ରେସକୁ ୪୩ ପ୍ରତିଶତ ଭୋଟ୍ ମିଳିଥିଲା। ଏହା ବ୍ୟତୀତ ଅନ୍ୟ ପାର୍ଟିକୁ ପ୍ରାୟ ୯ ପ୍ରତିଶତ ଭୋଟ୍ ମିଳିଥିଲା।

୨୦୨୨ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୮ରେ ପ୍ରକାଶ ପାଇବ। ତେବେ ଦେଖିବା ବାକି ରହିଲା ଯେ, କେଉଁ ଜାତି ଏବଂ କେଉଁ ସମୁଦାୟର ଭୋଟ୍ କେଉଁ ଦଳକୁ ମିଳୁଛି। କଂଗ୍ରେସ ଏବଂ ବିଜେପି ଦୁଇ ଦଳ ମଧ୍ୟରୁ କିଏ ଜିତିବ ତାହା ଆସନ୍ତା ୮ରେ ଜଣା ପଡିବ।

Get real time updates directly on you device, subscribe now.