ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାକୁ ମିଳିବ ଏକ ବଡ଼ ସଫଳତା । ଓଡ଼ିଶା ପାଇଁ ‘ହାଇ ସ୍ପିଡ’ରେ ଆଗେଇ ଆସୁଛି ସଫଳତାର ଏକ ନୂଆ କାହାଣୀ । ୨୦୨୭ ସୁଦ୍ଧା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ପଡ଼ିବ ବୋଲି ସୂଚନା ମିଳିଛି । ଦୀର୍ଘ ଦିନର ଅପେକ୍ଷା ପରେ ଏ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ୨୦୨୭ ମସିହା ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ମିଳିବ ବୋଲି କହିଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ ।
ଭୁବନେଶ୍ୱର ସାଂସଦଙ୍କ ସୂଚନା ଅନୁସାରେ, ପ୍ରଥମେ ଓଡ଼ିଶାରେ ୨୬ କିଲୋମିଟରରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ପ୍ରଥମ ୨୦ଟି ଷ୍ଟେସନରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟର ବାର୍ତ୍ତା ରହିବ ବୋଲି ସେ କହିଛନ୍ତି । ଏହି ରୁଟରେ ମୋଟ ୧୩ଟି ଟ୍ରେନ ଚଳାଚଳ କରିବ । ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ ଏବଂ ପ୍ରତ୍ୟେକ ଦିନ ପ୍ରାୟ ୯୫ ହଜାର ଲୋକ ଯିବାର କ୍ଷମତା ରଖିବ ଓଡ଼ିଶାର ମେଟ୍ରୋ ପ୍ରକଳ୍ପ । ଏଥିପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳିସାରିଛି । ବାକି ୧୫ ଏକର ଖୁବଶୀଘ୍ର ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ । ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ୍ ୬୨୫୬ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାର ବହନ କରିବେ । ତେବେ ଏହାପରେ ଆବଶ୍ୟକ ପଡ଼ିଲେ କେନ୍ଦ୍ରର ସହାୟତା ନିଆଯାଇପାରେ ।