fbpx

ଉଷୁମ ଟିକା କଣ? ଭାରତକୁ ସୁଫଳ ମିଳିବ କି? ଜାଣନ୍ତୁ ସବିଶେଷ…

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ଆଥର୍ମୋଟୋଲେରାଣ୍ଟ ବା ଉଷୁମ ଟିକା (ୱାର୍ମ ଭାକ୍ସିନ୍) ଭାରତ ପାଇଁ ହୋଇପାରେ ଭାଗ୍ୟ ନିର୍ଦ୍ଧାରକ । ବହୁ ଜନସଂଖ୍ୟା ଦୃଷ୍ଟିରୁ ଦେଶର ଅନେକ ଲୋକ ଟିକା ପାଇଁ ଚାହିଁ ବସିଥିବାବେଳେ ଏହି ଉଷୁମ ଟିକା ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି । ତେବେ କଣ ଏହି ଉଷୁମ ଟିକା? ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସୋସାଇଟି ଫର୍ ଇନୋଭେସନ୍ ଆଣ୍ଡ ଡେଭଲୋପମେଣ୍ଟ୍ (ଏସଆଇଡି) ସହଯୋଗରେ ମିନଭାକ୍ସ ନାମକ ଟିକା ନିର୍ମାତା କମ୍ପାନି ଏଭଳି ଉଷୁମ ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଚଳାଇଛି ।

ସାଧାରଣତଃ ସମସ୍ତ ପ୍ରକାର ଟିକା ପରିବହନ ଓ ଯୋଗାଣ ପାଇଁ ଏକ କୋଲ୍ଡ ଚେନ୍ ବା ଥଣ୍ଡା ପରିବେଶ ଶୃଙ୍ଖଳା ଆବଶ୍ୟକ । ୨ରୁ ୮ ଡିଗ୍ରୀ ସେଲସିଅସ୍ ଭିତରେ ସୁରକ୍ଷିତ ଭାବେ ଟିକା ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯୋଗାଣ ହୋଇଥାଏ । ସେଭଳି ସାଇତି ରଖିବା ପାଇଁ ମଧ୍ୟ କୋଲ୍ଡ ଚେନ୍ ଜରୁରୀ । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି ଯେ ପ୍ରାୟତଃ ସମସ୍ତ କୋଭିଡ୍ ଟିକା ଓ ପ୍ରସ୍ତୁତ ହେବାକୁ ଥିବା ଟିକାକୁ ଶୂନ ଡିଗ୍ରୀ ସେଲସିଅସଠୁ କମ୍ ତାପାମାତ୍ରାରେ ସଂରକ୍ଷଣ କରାଯିବା ଆବଶ୍ୟକ । ତେବେ ପ୍ରଥମେ କୋଭିଡଶିଲ୍ଡ ଓ କୋଭାକ୍ସିନ୍ ଯୋଗଣ ଏବଂ ସଂରକ୍ଷଣ ପାଇଁ ସବ୍-ଜିରୋ ବା ଶୂନ ଡିଗ୍ରୀର କମ୍ ତାପମାତ୍ରା ଆବଶ୍ୟକ ନଥିବା କୁହାଯାଇଥିଲା । ସେହିପରି ପରେ ମଡର୍ଣ୍ଣା ଓ ସ୍ପୁଟନିକ୍ ଟିକାକୁ ସମାନ ଅନୁମତି ମିଳିଥିଲା ।

ସେହି ଦୃଷ୍ଟିକୋଣରୁ ପ୍ରସ୍ତୁତି ଚାଲିଥିବା ଉଷୁମ ଟିକା କିଭଳି ଭାରତରେ ସୁଫଳ ଦେବ ଜାଣିବା ଆବଶ୍ୟକ ।

ଟିକା ଯୋଗାଣ ବା ବଣ୍ଟନରେ ବୃଦ୍ଧି ଘଟିବ:

ଭାରତ ଭଳି ଗ୍ରୀଷ୍ମ ପ୍ରବାହ ଦେଶରେ ବିଶେଷକରି ଅଗମ୍ୟ ଅଞ୍ଚଳ ସମେତ ଗ୍ରାମୀଣ ଅଞ୍ଚଳରେ ଏହି ଉଷୁମ ଟିକା ବେଶ୍ ସୁହାଇବ । ଗରମ ସହ୍ୟ କରି ଦୀର୍ଘ ସମୟ ଟିକା ରହିପାରିଲେ ଲୋକଙ୍କ ମଧ୍ୟରେ ଟିକାକରଣ ହାର ବୃଦ୍ଧି ପାଇବ ଏବଂ ଟିକା ନଷ୍ଟ ହେବାର ଆଶଙ୍କା ରହିବନି । ମିନଭାକ୍ସ ଟିକା ପ୍ରସ୍ତୁତ କରୁଥିବା ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଏହି ଉଷୁମ ଟିକା ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ୯୦ ମିନିଟି ସଂରକ୍ଷଣ ରହିପାରିବ । ସେହିପରି ୭୦ ଡିଗ୍ରୀ ତାପମାତ୍ରା ସହ୍ୟ କରି ପ୍ରାୟ ୧୬ ଘଣ୍ଟା ଏବଂ ୩୭ ଡିଗ୍ରୀରୁ ଅଧିôକ ତାପମାତ୍ରାରେ ଏକ ମାସରୁ ଅଧିକ କାଳ ଟିକା ସୁରକ୍ଷିତ ରହିପାରିବ । ଟିକା ବିଶେଷଜ୍ଞ ଜୁଲିଏନ୍ ପୋଟେଟ୍ କହିଛନ୍ତି ଯେ ଗୋଷ୍ଠୀ ଟିକାକରଣ ଅଭିଯାନ ପାଇଁ ଏହି ଟିକା ବେଶ୍ ଫଳପ୍ରଦ ସାବ୍ୟସ୍ତ ହେବ । ଗୋଟିଏ ସମୟରେ ହଜାର ହଜାର ଟିକା ଯୋଗାଣ ବେଳରେ କମ୍ ସମୟ ମଧ୍ୟରେ ଅଧିକ ଟିକା ପହଞ୍ଚାଇ ହେବ । ଅନ୍ୟପକ୍ଷରେ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତ ନିଜସ୍ୱ ଉଦ୍ୟମରେ କୋଲ୍ଡ ଷ୍ଟୋରେଜ୍ ଫେସିଲିଟିରେ ଟିକା ସୁରକ୍ଷିତ ରଖିପାରୁଥିବାବେଳେ ଠିକ୍ ସମୟରେ ବିଭିନ୍ନ କେନ୍ଦ୍ରକୁ ଟିକା ଯୋଗାଣ ଏକ ସମସ୍ୟା ହୋଇରହିଛି । ସେ କ୍ଷେତ୍ରରେ ଉଷୁମ ଟିକା ମିନଭାକ୍ସ ବେଶ୍ ଲାଭଦାୟକ ହେବ ।

ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ପଡ଼ିବ କମ୍ ଚାପ:

ଟିକାକରଣ ଅଭିଯାନରେ ସାମିଲ୍ ହୋଇଥିବା ଆଗଧାଡ଼ିର ଯୋଦ୍ଧା ତଥା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ସଂରକ୍ଷିତ ରଖିବା ନେଇ ଅନେକ ସମୟରେ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଟିକାର ରକ୍ଷଣାବେକ୍ଷଣ ନେଇ ଅଧିକ ଗୁରୁତ୍ୱ ଦେବାକୁ ପଡ଼େ । କାରଣ ଉପଯୁକ୍ତ ତାପମାତ୍ରା ନମିଳିଲେ ଟିକା ନଷ୍ଟ ହେବାର ଆଶଙ୍କା ରହିଛି । ସେଥିପାଇଁ ଭ୍ରାମ୍ୟ ଫ୍ରିଜ୍, ପୋର୍ଟବୁଲ୍ ରେଫ୍ରିଜେରେଟର୍, ଆଇସ୍ ବକ୍ସ, ବରଫ ଦିଆ ପ୍ୟାକ୍ ଆଦି ଉପଯୋଗ କରିବାକୁ ପଡୁଛି । ସେ ଦୃଷ୍ଟିରୁ ଉଷୁମ ଭାକ୍ସିନ୍ ବେଶ୍ ସହାୟକ ହୋଇପାରିବ ।

ମିନଭାକ୍ସ ଭାକ୍ସିନ୍ ସମ୍ପର୍କରେ:

ବେଙ୍ଗାଲୁରୁ ସ୍ଥିତ ବାୟୋଟେକ୍ କମ୍ପାନି ମିନଭାକ୍ସ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସର ସହଯୋଗରେ ଏଭଳି ଉଚ୍ଚତାପ ସହଣ କାରୀ ଉଷୁମ କୋଭିଡ୍ ଟିକା ପାଇଁ ଗବେଷଣା ଜାରି ରଖିଛି । ଅଷ୍ଟ୍ରେଲିଆର ସେଣ୍ଟର୍ ଫର୍ ଡିଜିଜ୍ ପ୍ରିପେଡନେସ୍ ପକ୍ଷରୁ ପ୍ରକାଶିତ ଜର୍ଣ୍ଣାଲ୍ରେ ଏ ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରକାଶ ପାଇଛି । ଡେଲଟା ଭାରିଆଣ୍ଟ ସମେତ କରୋନା ଭାଇରସ୍ ର ସମସ୍ତ ଭାରିଆଣ୍ଟ୍ କ୍ଷେତ୍ରରେ ଏହି ନୂତନ ଟିକା ସଫଳତାର ସହ କାମ କରିପାରିବ ବୋଲି ଡା. ଏସଏସ୍ ଭାସନ୍ ମତ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.