fbpx

ସାବଧାନ୍ ବାଂଲାଦେଶ! World Cupରେ ନୂଆ ଅବତାର ନେଉଛନ୍ତି ରୋହିତ: ଅଶ୍ୱୀନ ହେଲେ ଗୁରୁ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଭାରତର ଅଧିନାୟକ ରୋହିତ ଶର୍ମା ଦମଦାର ଫର୍ମରେ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଶତକ ହାସଲ କରିବା ପରେ ପାକିସ୍ତାନ ବିପକ୍ଷରେ ଧୂଆଁଧାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ରୋହିତ । ତେବେ ଆଗାମୀ ମ୍ୟାଚରେ ଭାରତ ବାଂଲାଦେଶକୁ ସାମନା କରିବ । ଏହାପୂର୍ବରୁ ରୋହିତ ଆଉ ଏକ ନୂଆ ଅବତାର ନେଉଛନ୍ତି । ଏହି ମ୍ୟାଚରେ ରୋହିତ ଦଳ ପାଇଁ ଏକ ନୂଆ ରୂପ ଏବଂ ନୂଆ ଦାୟିତ୍ୱ ଗ୍ରହଣ କରିପାରନ୍ତି । ଭାରତ ପାଇଁ ରୋହିତ ଜଣେ ଓପନର ସହିତ ବୋଲରର ଭୂମିକାରେ ନଜର ଆସିପାରନ୍ତି ।

ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ବାଂଲାଦେଶ ଦଳକୁ ଏକ ଅଜଣା ଭୟ ଘାରିଛି । ବିଶେଷ କରି ଟିମ ଇଣ୍ଡିଆର ରୋହିତ ଶର୍ମାଙ୍କ ବ୍ୟାଟିଂକୁ ନେଇ ଭୟରେ ଥିବା ବେଳେ ତାଙ୍କର ନୂଆ ରୂପ ଆହୁରି ଚିନ୍ତା ବଢାଇ ଦେଇଛି । ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ରୋହିତ ବୋଲିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ପୁଣେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଦଳ ଅଭ୍ୟାସ କରୁଥିବା ବେଳେ ରୋହିତ ବ୍ୟାଟିଂ ଛାଡ଼ି ବୋଲିଂ ଅଭ୍ୟାସ କରିଛନ୍ତି । ତେଣୁ ବାଂଲାଦେଶ ବିପକ୍ଷରେ ରୋହିତ ବୋଲିଂ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ବୋଲିଂ ଅଭ୍ୟାସ ସମୟରେ ସେ ଦଳର ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି । ବୋଲିଂ ପାଇଁ ଅଶ୍ୱୀନ ରୋହିତଙ୍କୁ ଟିପ୍ସ ଦେଉଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବର୍ତ୍ତମାନ ଭାରତୀୟ ଦଳର ଟପ୍ ଅର୍ଡରରେ କୌଣସି କେଳାଳି ବୋଲିଂ କରିବାର ଦକ୍ଷତା ରଖୁ ନଥିବା ବେଳେ ରୋହିତ ଏହି ଦାୟିତ୍ୱ ନିଜ କାନ୍ଧରେ ନେଇଛନ୍ତି । ଭାରତୀୟ ଦଳରେ ଚୟନ ହେବା ସମୟରେ ରୋହିତ ଜଣେ ଅଫ୍ ସ୍ପିନର ଭାବରେ ଦଳରେ ସ୍ଥାନ ପାଇଥିଲେ । କିନ୍ତୁ ସମୟାନୁସାରେ, ସେ ବର୍ତ୍ତମାନ ଦଳର ଓପନର ଭାବରେ ଖେଳିଛନ୍ତି । କିନ୍ତୁ ବର୍ତ୍ତମାନ ମଧ୍ୟ ତାଙ୍କ ବୋଲିଂ କରିବାର କ୍ଷମତା ରହିଛି । ଆଇପିଏଲ ୨୦୦୯ରେ ଡେକାନ୍ ଚାର୍ଜର୍ସ ପକ୍ଷରୁ ଖେଳି ରୋହିତ ହାଟ୍ରିକ ୱିକେଟ ଅକ୍ତିଆର କରିଥିଲେ । ତେଣୁ ବାଂଲାଦେଶ ବିପକ୍ଷରେ ରୋହିତ ଦଳ ପାଇଁ ବୋଲିଂ କରି ଗୋଲ୍ଡେନ ଆର୍ମ ବୋଲର ରୂପରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.