fbpx

ମୁମ୍ବାଇରେ ଡେରା ପକାଇଲେ ଦିଦି: ଉଦ୍ଧବ, ଶରଦଙ୍କ ସହ ସାକ୍ଷାତ ପରେ ଆରମ୍ଭ ହେବ ଗେମ୍ ପ୍ଲାନ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମାୟାନଗରୀ ଗସ୍ତ ଅବସରରେ ଦିଦି ଏନସିପି ମୁଖ୍ୟ ଶରଦ ପାୱାର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିବେ । ତେବେ ପୂର୍ବରୁ ଦିଦି ତ୍ରିପୁରା, ଗୋଆ, ଉତ୍ତରପ୍ରଦେଶ, ଦିଲ୍ଲୀରେ ନିଜର ଏଣ୍ଟ୍ରି ମାରିସାରିଥିବା ବେଳେ ଏବେ ମହାରାଷ୍ଟ୍ରରେ ଖେଲା ଆରମ୍ଭ କରିବାକୁ ଯାଉଛନ୍ତି । ଏହାଛଡ଼ା ଦିଦି ମୁମ୍ବାଇରେ କିଛି ଉଦ୍ୟୋଗପତିଙ୍କୁ ସାକ୍ଷାତ କରିବା ସହ ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ବେଙ୍ଗଲ ବିଶ୍ୱ କାରବାର ସମ୍ମିଳନୀରେ ଯୋଗଦେବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରିବେ ।

ଉଭୟ ଶରଦ ଓ ଉଦ୍ଧବ ମହାବିକାଶ ଅଘାଡ଼ି ଗଠବନ୍ଧନରେ ପାର୍ଟନର ଅଟନ୍ତି । ତେବେ ଏହି ଗସ୍ତ ଅବସରରେ ଦିଦି କଂଗ୍ରେସର କୌଣସି ନେତାଙ୍କ ସହ ସାକ୍ଷାତ କରିବାର କୌଣସି ଯୋଜନା ନାହିଁ । ଏହା ପୂର୍ବରୁ ଦିଦି ଦିଲ୍ଲୀ ଗସ୍ତରେ ଯାଇ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦଙ୍କୁ ଟିଏମସିରେ ସାମିଲ କରାଇଥିଲେ । ତେଣୁ ମୁମ୍ବାଇରେ ମଧ୍ୟ ଦିଦି ଅନ୍ୟ ରାଜ୍ୟ ପରି ଖେଲା ଆରମ୍ଭ କରିବେ ବୋଲି ଆଶା କରାଯାଉଛି । ୨୦୨୪ ନିର୍ବାଚନ ପୂର୍ବରୁ ଦିଦି ନିଜକୁ ଜାତୀୟ ଚେହେରା ଭାବେ ଉପସ୍ଥାପିତ କରିବା ପ୍ରୟାସରେ ଦିନରାତି ଏକ କରିଦେଇଛନ୍ତି । ପୂର୍ବରୁ ଏନେଇ ସେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା । ଏହାପରେ ଦିଦି ‘ଅକେଲା ଚଲୋ ରେ’ ନୀତିକୁ ଆପଣାଇ ନିଜର ଜଙ୍ଗ ଆରମ୍ଭ କରିଦେଇଛନ୍ତି । ଗତକାଲି ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ କଂଗ୍ରେସ ଦ୍ୱାରା ଡକାଯାଇଥିବା ବିପକ୍ଷ ଦଳ ବୈଠକରେ ଟିଏମସି ସାମିଲ ହୋଇ ନଥିଲା । ତେବେ କଂଗ୍ରେସ ଓ ଟିଏମସି ପରସ୍ପରଠାରୁ ଦୂରତ୍ୱ ବଜାୟ ରଖୁଥିବାରୁ ଭବିଷ୍ୟତରେ ମୋଦିଙ୍କୁ ଟକ୍କର ଦେବାକୁ କିଏ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବ, ତାହାକୁ ନେଇ କଂଗ୍ରେସ ଓ ଟିଏମସି ମଧ୍ୟରେ କଡ଼ା ଟକ୍କର ନିଶ୍ଚୟ ଦେଖାଦେବ ।

Get real time updates directly on you device, subscribe now.