fbpx

ଦର୍ଶକରେ ଗୁଞ୍ଜି ଉଠିବ ଇଡେନ ଗାର୍ଡେନ୍ସ ଷ୍ଟାଡିୟମ, ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ସିରିଜରେ ଦର୍ଶକଙ୍କୁ ମିଳିଲା ଅନୁମତି

AAKASH

କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଫେବୃଆରୀ ୧୬ରୁ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ତେବେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପଶ୍ଚିମବଙ୍ଗ ସରକାର କ୍ରିକେଟ୍ ପ୍ରେମୀଙ୍କୁ ଦେଇଛନ୍ତି ବଡ ଖୁସିର ଖବର। ରାଜ୍ୟ ସରକାର ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମର ଦର୍ଶକରେ ସଂପୂର୍ଣ୍ଣ ଭର୍ତ୍ତି ହେବ ନାହିଁ। କାରଣ ରାଜ୍ୟ ସରକାର ସିରିଜ୍ ପାଇଁ ୭୫ ପ୍ରତିଶତ ଦର୍ଶକଙ୍କ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର କ୍ରୀଡାକୁ ନେଇ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ସମସ୍ତ ଇଣ୍ଡୋର ଏବଂ ଆଉଟଡୋର ଖେଳରେ ୭୫ ପ୍ରତିଶତ ଦର୍ଶକଙ୍କ ଅନୁମତି ଦିଆଯାଇଛି। ଏହି ସଂଖ୍ୟା ଷ୍ଟାଡିୟମର ଦର୍ଶକ କ୍ଷମତା ଅନୁଯାୟୀ ରହିବ। ଏହି ହିସାବରେ ଇଡେନ ଗାର୍ଡେନ୍ସରେ ମ୍ୟାଚ୍ ଦେଖିବା ପାଇଁ ୭୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଛି। ଇଡେନ ଗାର୍ଡେନ୍ସରେ ଗତ ବର୍ଷ ନଭେମ୍ବରରେ ମଧ୍ୟ ୭୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଥିଲା। ସେହି ସମୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଖେଳାଯାଇଥିଲା।

କ୍ରିକେଟ୍ ଆସୋସିଏସନ ଅଫ ବଙ୍ଗାଲ(ସିଏବି) ପଶ୍ଚିମବଙ୍ଗ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ସିଏବି ଅଧ୍ୟକ୍ଷ ଅଭିଷେକ ଡାଲମିୟା କହିଛନ୍ତି, ଆମେ ଏଥିପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି କୃତଜ୍ଞ। ଷ୍ଟାଡିୟମରେ ୭୫ ପ୍ରତିଶତ ଦର୍ଶକଙ୍କ ପ୍ରବେଶ ଅନୁମତି ପାଇଁ ଆମେ ମୁଖ୍ୟ ସଚିବ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛୁ।

 

Get real time updates directly on you device, subscribe now.