ନୂଆଦିଲ୍ଲୀ: ଲୋକେ ଦିନକୁ ଦିନ ବେଶ୍ ହିଂସ୍ର ଆଉ ଖତରନାକ ହୋଇଗଲେଣି । ମାନବିକତା ଏବଂ ଦୟାଭାବ ହରାଇ ବସୁଛି ଏ ମଣିଷ ସମାଜ । ସୋସିଆଲ ମିଡିଆରେ ମଧ୍ୟ ବର୍ତ୍ତମାନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀ ସହ ଝଗଡ଼ା ପରେ ଜଣେ ବ୍ୟକ୍ତି ନିଜ ଘର ଏବଂ ଘରେ ଥିବା ଜିନିଷପତ୍ର ଜଳାଇ ଦେଇଛନ୍ତି । ଏହାପରେ ବାବୁ ଜଣକ ଆରାମରେ ସିଗାରେଟ୍ ଟାଣି ବାହାରେ ବୁଲୁଥିବାର ଭିଡିଓରେ ଦେଖାଯାଇଛି । ଏହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି ।
ମଧ୍ୟପ୍ରଦେଶ ଗ୍ୱାଲିୟରରେ ଏହି ଘଟଣା ଘଟିଯାଇଛି । ଆନନ୍ଦ ନଗରର ବହୋଦାପୁର ଅଞ୍ଚଳରେ ଶ୍ରୀରାମ କୁସୱାହା ଏବଂ ପତ୍ନୀ ରଜନୀ କୁସୱାହାଙ୍କ ମଧ୍ୟରେ କିଛି ଦିନରୁ ପାଟିୁତଣ୍ଡ ଲାଗି ରହୁଥିଲା । ତେବେ ଆଜି ଏହି ପାରିବାରିକ କଳହ ଏକ ଭୟଙ୍କର ରୂପ ନେଇଛି । ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଶ୍ରୀରାମ ଗରେ ତାଣ୍ଡବ ସୃଷ୍ଟି କରିଛନ୍ତି । ପତ୍ନୀଙ୍କ ସହ ଝଗଡ଼ା ପରେ ସେ ଘରର ସମସ୍ତ ଜିନିଷପତ୍ର ବାହାରକୁ ଫିଙ୍ଗି ଦେଇଥିଲେ । ଫର୍ଣ୍ଣିଚର, ଇଲେକ୍ଟ୍ରୋନିକ୍ସ ଏବଂ ଅନ୍ୟ ସମସ୍ତ ଜିନିଷକୁ ବାହାରେ ଫିଙ୍ଗି ଦେବା ସହିତ ସେଥିରେ ନିଆଁ ଲଗାଇ ଦେଇଛନ୍ତି ଶ୍ରୀରାମ । କେବଳ ସେତିକି ନୁହେଁ, ଗରେ ନିଆଁ ଲଗାଇ ଦେବା ପରେ ଶ୍ରୀରାମ ଆରାମରେ ବାହାରେ ସିଗାରେଟ୍ ଟାଣୁଥିବାର ଭିଡିଓରେ ଦେଖାଯାଇଛି । ତେବେ ସାମାନ୍ୟ କଳି ଝଗଡ଼ା ପରେ ଏମିତି କାଣ୍ଡ ଦେଖି ପଡ଼ୋଶୀ ନିଜକୁ ମଧ୍ୟ ବିଶ୍ୱାସ କରି ପାରି ନାହାନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି ।
Gwalior: Man Sets Household Items On Fire After Fight With Wife; Video Surfaces#MadhyaPradesh #MadhyaPradeshnews #Gwalior pic.twitter.com/Q9GEVdlj7T
— Free Press Madhya Pradesh (@FreePressMP) November 27, 2024
ମାମଲା ବଢିବା ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଦମକଳ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ । ତେବେ ଉଭୟ ବିଭାଗ ଘଟରାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହାପରେ ପୋଲିସ ମାମଲାକୁ ଦୃଷ୍ଟିରେ ରକି ଦମ୍ପତିଙ୍କୁ ଥାନାକୁ ନେଇ ଯାଇଛି । ତେବେ ଘରେ ନିଆଁ ଲାଗିବା ଦେଖି ଲୋକେ ଏହାକୁ ଏକ ସର୍ଟ ସର୍କିଟ ବୋଲି ଭାବିଥିଲେ । କିନ୍ତୁ ପୋଲିସର ପଚରାଉଚରା ପରେ ପ୍ରକୃତ ଘଟଣା ସାମନାକୁ ଆସିଛି । ପତ୍ନୀଙ୍କ ସହ କଳହ ପରେ ଶ୍ରୀରାମ ରାଗିଯାଇ ଅଗ୍ନିକାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି । ତେବେ ଉଭୟଙ୍କୁ ବୁଝାସୁଝା କରି ପୋଲିସ ଭବିଷ୍ୟତରେ ଏଭଳି କାଣ୍ଡରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ।