fbpx

ଦେଶର ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି-ରାଜ୍ୟପାଳ କିପରି ଗିରଫ ହୋଇଥାନ୍ତି: ଭାରତରେ ଏ ବାବଦରେ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ଗତ ୧୬ ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ୯ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । କେଜ୍ରିୱାଲଙ୍କୁ ସିବିଆଇ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିବା ବେଳେ ଏହି ସମୟରେ ଆପର ସର୍ବୋଚ୍ଚ ନେତାଙ୍କୁ ଗିରଫ କରାଯାଇପାରେ ବୋଲି ଦଳ ପକ୍ଷରୁ ଆଶଙ୍କା ପ୍ରକାଶ କରି ଜରୁରୀ ବୈଠକ ଡକାଯାଇଥିଲା । ଦିଲ୍ଲୀ ମଦ ଘୋଟାଲା ମାମଲାରେ କେଜ୍ରିଙ୍କ ସମ୍ପୃକ୍ତି ନେଇ ସିବିଆଇ ପକ୍ଷରୁ ସମନ୍ ଜାରି କରାଯାଇଥିଲା ।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଟିମ୍ ପଚରାଉଚରା ଚଳାଇଥିବା ବେଳେ ଅନ୍ୟପଟେ ତାଙ୍କର ଗିରଫଦାରୀ ନେଇ ଆପ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ କେଜ୍ରିୱାଲଙ୍କୁ ଗିରଫ ନକରି ପଠାଇ ଦିଆଯାଇଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ, ଗୋଟିଏ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ କ’ଣ ଏକ କେନ୍ଦ୍ରୀୟ ଏଜେନ୍ସି ସିଧାସଳଖ ଗିରଫ କରିପାରିବ? ସେହିପରି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଗିରଫଦାରୀ ପାଇଁ ଭାରତରେ କ’ଣ ନିୟମ ରହିଛି ।

କୋଡ୍ ଅଫ୍ ସିଭିଲ ପ୍ରୋସିଜରର ଧାରା ୧୩୫ ଅନୁଯାୟୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ସଦସ୍ୟ, ମୁଖ୍ୟମନ୍ତ୍ରୀ, ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କୁ ଗିରଫଦାରୀ ନେଇ ଛାଡ଼ କରାଯାଇଛି । ଏହି ଛାଡ଼ କେବଳ ସିଭିଲ ମାମଲା କ୍ଷେତ୍ରରେ ଲାଗୁ ହୋଇଥିବା ବେଳେ କ୍ରିମିକାଲ ମାମଲାରେ ହୋଇନଥାଏ । ଏହି ଧାରା ଅନୁଯାୟୀ, ସଂସଦ ବା ବିଧାନସଭା ବା ବିଧାନ ପରିଷଦର କୌଣସି ସଦସ୍ୟଙ୍କୁ ଗିରଫ କରିବା ବା ହେଫାଜତକୁ ନେବାକୁ ହେଲେ ସଦନର ଅଧ୍ୟକ୍ଷଙ୍କ ଠାରୁ ଅନୁମତି ନେବା ଜରୁରୀ । ଅଧିବେଶନର ୪୦ ଦିନ ପୂର୍ବରୁ, ଅଧିବେଶନ ସମୟରେ ଓ ଅଧିବେଶନର ୪୦ ଦିନ ପରେ କୌଣସି ସଦସ୍ୟଙ୍କୁ ଗିରଫ କରାଯାଇ ପାରିବ ନାହିଁ କି ହେପାଜତକୁ ନିଆଯାଇ ପାରିବ । ନାହିଁ ।

କେବଳ ଏତିକି ନୁହେଁ, ସଂସଦ / ବିଧାନସଭା / ବିଧାନ ପରିଷଦ ପରିସରରେ କୌଣସି ସଦସ୍ୟଙ୍କୁ ଗିରଫ କରାଯାଇ ପାରବ ନାହିଁ କି ହେପାଜତକୁ ନିଆଯାଇ ପାରିବ ନାହିଁ । କାରଣ ସେ କ୍ଷେତ୍ରରେ ଅଧ୍ୟକ୍ଷଙ୍କ ଆଦେଶ ଚାଲିଥାଏ । ପ୍ରଧାନମନ୍ତ୍ରୀ ସଂସଦର ଓ ମୁଖ୍ୟମନ୍ତ୍ରୀ ବିଧାନସଭା ବା ବିଧାନ ପରିଷଦର ସଦସ୍ୟ ହୋଇଥାନ୍ତି । ତେଣୁ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହୋଇଥାଏ । କ୍ରିମିନାଲ ମାମଲାରେ ସଂସଦ, ବିଧାନସଭା, ବିଧାନ ପରିଷଦର ସଦସ୍ୟଙ୍କୁ ଗିରଫ କରାଯାଇ ପାରିବ । ମାତ୍ର ଏ ବାବଦରେ ଅଧ୍ୟକ୍ଷଙ୍କୁ ଅବଗତ କରାଇବାକୁ ପଡ଼ିବ ।

ସେହିପରି ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁଯାୟୀ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ମଧ୍ୟ ଛାଡ଼ ଦିଆଯାଇଛି । ରାଷ୍ଟ୍ରପତି ଓ ରାଜ୍ୟପାଳ ନିଜ ପଦରେ ରହିଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇ ପାରିବ ନାହିଁ କି ହେପାଜତକୁ ନିଆଯାଇ ପାରିବ ନାହିଁ । ଏଥିସହିତ ସେମାନଙ୍କ ବିରୋଧରେ କୌଣସି ଅଦାଲତ କିଛି ବି ଆଦେଶ ଜାରି କରିପାରିବେ ନାହିଁ । ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସିଭିଲ ଓ କ୍ରିମିନାଲ ଉଭୟ ମାମଲାରେ ଛାଡ଼ ଦିଆଯାଇଛି । ମାତ୍ର ପଦରୁ ହଟିବା ପରେ ସେମାନଙ୍କୁ ଗିରଫ କରାଯିବା ସହିତ ହେପାଜତକୁ ନିଆଯାଇ ପାରିବ ।

Get real time updates directly on you device, subscribe now.