‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ କ’ଣ ? ଜାଣନ୍ତୁ ଚୀନକୁ କିପରି କଡା ଚ୍ୟାଲେଞ୍ଜ କରିବ ଏହି ଗାଁ..

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି । ଚୀନ ଧୀରେ ଧୀରେ ଭାରତ ଆଡକୁ ମାଡି ଆସୁଛି । ଭାରତର କେତେକ ରାଜ୍ୟରେ ଚୀନ ନିଜ ଦଖଲ ଜାହିର କଲାଣି । ସେହିଭଳି ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ଜନବସତି ଗଢି ସାରିଲାଣି । ୨୦୨୧ରେ ଆମେରିକା ଏନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟ ଭାରତବାସୀଙ୍କୁ ଜାଗ୍ରତ କରିଥିଲା । ଯାହାର ଫଳ ସ୍ୱରୂପ ଭାରତ ମଧ୍ୟ ଏବେ ସୀମାନ୍ତରେ ଜନବସତିକୁ ପୁନଃଜୀବିତ କରିବା ପାଇଁ ପ୍ରୟାସ ଆରମ୍ଭ କଲାଣି । ଗୃହମନ୍ତ୍ରୀ ଅମିତ ଶାହା ଅରୁଣାଚଳର କିବିଥୁ ଗ୍ରାମରେ ସୋମବାର ଏକ କାର‌୍ୟ୍ୟକ୍ରମରେ ଯୋଗ ଦେଇ ଏହାର ଚର୍ଚ୍ଚା କରିଥିଲେ ।

ଭାଇବ୍ରେଣ୍ଟ ଭିଲେଜ୍ କ’ଣ?
ସୀମାନ୍ତ ଗ୍ରାମଗୁଡିକର ବିକାଶ ପାଇଁ ମୋଦୀ ସରକାର ‘ଭାଇବ୍ରେଣ୍ଟ ଭିଲେଜ୍ ପ୍ରୋଗ୍ରାମ୍’ ଆରମ୍ଭ କରିଛନ୍ତି। ଏହି କାର‌୍ୟ୍ୟକ୍ରମ ଅନ୍ତର୍ଗତ ଅରୁଣାଚଳ ପ୍ରଦେଶ, ସିକ୍କିମ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଲଦାଖର ଗ୍ରାମଗୁଡିକ ଚିହ୍ନଟ କରାଯାଇଛି । ମୋଟ୍ ୧୯ଟି ଜିଲ୍ଲାର ୨ ହଜାର ୯୬୭ ଟି ଗାଁର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପ୍ରାରମ୍ଭରେ ୬୬୨ଟି ଗାଁକୁ ଚିହ୍ନଟ କରାଯାଇଛି । ସେମଧ୍ୟରୁ ଅରୁଣାଚଳ ପ୍ରଦେଶର ୪୫୫ ଟି ଗାଁ, ହିମାଚଳ ପ୍ରଦେଶର ୭୫, ଉତ୍ତରପ୍ରଦେଶର ୫୧, ସିକ୍କିମର ୪୬ ଏବଂ ଲଦାଖର ୩୫ଟି ଗ୍ରାମରେ ଏହା କାର୍ଯ୍ୟକାରୀ ହେବ ।

ଗାଁ ଗୁଡ଼ିକରେ କ’ଣ ହେବ ?

୧. ଗାଁର ଆର୍ଥିକ ବିକାଶ, ଯାହାଦ୍ୱାରା ଲୋକମାନେ ରୋଜଗାରର ମାଧ୍ୟମ ପାଇବେ ।

୨. ସଡକ ସଂଯୋଗ ବୃଦ୍ଧି ।

୩. ଗ୍ରାମ ଏବଂ ଘରର ଭିତ୍ତିଭୂମି ମଜବୁତ ।

୪. ପାରମ୍ପାରିକ କିମ୍ବା ସୌର ଶକ୍ତି ମାଧ୍ୟମରେ ଗ୍ରାମଗୁଡ଼ିକୁ ଅକ୍ଷୟ ଶକ୍ତି ଯୋଗାଇ ଦିଆଯିବ ।

୫. ଗ୍ରାମଗୁଡିକରେ ଦୁରଦର୍ଶନ ଏବଂ କମ୍ୟୁନିକେସନ୍ କନେକ୍ଟିଭିଟି ସ୍ଥାପନା ହେବ ।

୬. ପର୍ଯ୍ୟଟନ ଏବଂ ସଂସ୍କୃତିର ପ୍ରୋତ୍ସାହନ ଦିଆଯିବ ।

୭. ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀତା ବୃଦ୍ଧି କରାଯିବ ।

୮. ସ୍ଥାନୀୟ ସ୍ତରରେ ସମବାୟ ସମିତିର ବିକାଶ କରାଯିବ, ଯାହାଫଳରେ ଗ୍ରାମରେ କୃଷି, ଔଷଧୀୟ ବୃକ୍ଷ ଏବଂ ଜଡିବୁଟି ଭଳି ଚାଷ କରି ଲୋକମାନେ ଜୀବିକା ନିର୍ବାହ କରିପାରିବେ ।

ଏହି ସମସ୍ତ ମୂଲ୍ୟ କେତେ ହେବ?

– ଏହି କାର୍ଯକ୍ରମ ୨୦୨୨-୨୩ ରୁ ୨୦୨୫-୨୬ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି । ଏଥିପାଇଁ ୪, ୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସେଥିମଧ୍ୟରୁ ୨୫୦୦ କୋଟି ଟଙ୍କା କେବଳ ସଡ଼କ ସଂଯୋଗ ଖର୍ଚ୍ଚ କରାଯିବ ।

କିନ୍ତୁ ଏହି କାର୍ଯକ୍ରମର ଆବଶ୍ୟକତା କାହିଁକି?

ଭାରତ ଏବଂ ଚୀନ୍ ସୀମାର ଲମ୍ବ ୩,୪୮୮ କିଲୋମିଟର । ଚୀନ୍ ଜାମ୍ମୁ କାଶ୍ମୀର ସହିତ ୧,୫୯୭ କିଲୋମିଟର ସୀମା, ଅରୁଣାଚଳ ପ୍ରଦେଶ ସହିତ ୧, ୧୨୬ କିଲୋମିଟର, ଉତ୍ତରାଖଣ୍ଡ ସହିତ ୩୪୫ କିଲୋମିଟର, ହିମାଚଳ ପ୍ରଦେଶ ସହିତ ୨୦୦ କିଲୋମିଟର ଏବଂ ସିକ୍କିମ୍ ସହିତ ୨୨୦ କିଲୋମିଟର ସୀମାନ୍ତ ଅଞ୍ଚଳ ରହିଛି। ଏହି ସବୁ ସୀମାନ୍ତରେ ଥିବା ଗାଁ ଗୁଡିକ ଲୋକଶୂନ୍ୟ ହୋଇଯାଇଛି । ଲୋକମାନେ ଗାଁ ଛାଡି ସହରମୁଖା ହୋଇଛନ୍ତି । ଏହାର କାରଣ ସ୍ଥାନୀୟ ଅଞ୍ଚଳରେ ବିକାଶର ଅଭାବ ।

ସୀମାନ୍ତରେ ଥିବା ଏହି ଗ୍ରାମଗୁଡ଼ିକ ଭାରତୀୟ ସେନା ପାଇଁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଗାଁର ଲୋକମାନେ ଭାରତୀୟ ସେନା ବାହିନୀର ପ୍ରଥମ ଗୁପ୍ତଚର । ଏହା ବ୍ୟତୀତ ସେମାନେ ସୀମାରେ ଅତ୍ୟାବଶ୍ୟକ ସାମଗ୍ରୀ ବିତରଣ କରିବାରେ ମଧ୍ୟ ସାହାଯ୍ୟ କରନ୍ତି । ଏଭଳି ପରିସ୍ଥିତିରେ ଖାଲି ପଡିବା ଭାରତୀୟ ସେନା ପାଇଁ ଏକ ବଡ ସମସ୍ୟା ପାଲଟିଛି। ତେଣୁ ଏହି ନିଛାଟିଆ ଗ୍ରାମଗୁଡିକର ପୁନଃଥଇଥାନ ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଯାହା ଫଳରେ ଗାଁର ଲୋକଙ୍କୁ ଆଖପାଖ ଅଞ୍ଚଳରେ ନିଯୁକ୍ତି ମଧ୍ୟ ମିଳିବ ।

ଚୀନକୁ ଟକ୍କର କିପରି ଦେବ ?

ଭାରତ ସୀମାନ୍ତରେ ଚୀନ ପ୍ରାୟ ୫୦୦ ରୁ ଅଧିକ ଗାଁ ନିର୍ମାଣ କରିଛି । ଚୀନ୍ ସେନାମାନେ ଏହି ଗାଁକୁ ପ୍ରତିରକ୍ଷା ପୋଷ୍ଟ ଭାବରେ ବ୍ୟବହାର କରୁଛନ୍ତି । କେବଳ ସେତିକି ନୁହେଁ ଗାଁର ଲୋକଙ୍କୁ ମଧ୍ୟ ଅସ୍ତ୍ରଶସ୍ତ୍ର ଚଳାଇବା ଟ୍ରେନଂ ଦେଉଛି ।

ଅରୁଣାଚଳ ପ୍ରଦେଶର ୯୦ ହଜାର ବର୍ଗ କିଲୋମିଟର ଅଂଶ ଏବଂ ଲଦାଖର ପ୍ରାୟ ୩୮ ହଜାର ବର୍ଗ କିଲୋମିଟର ଚୀନ୍ ନିଜ ଦଖଲକୁ ନେଇଛି । ଏହା ବ୍ୟତୀତ ୧୯୬୩ ମାର୍ଚ୍ଚ ୨ରେ ହୋଇଥିବା ଏକ ଚୁକ୍ତିନାମାରେ ପାକିସ୍ତାନ ୫, ୧୮୦ ବର୍ଗ କିଲୋମିଟର ଅଂଶ ଚୀନକୁ ଦେଇଥିଲ।।

ଚୀନ୍ ତୁଳନାରେ ଭାରତର ମଡେଲ୍ ଭଲ କାହିଁକି?
– ପ୍ରଥମ କଥା ହେଉଛି ଅରୁଣାଚଳ ପ୍ରଦେଶ ସହ ଯେଉଁ ସୀମା ଲାଗିଛି ଯାହା ହେଉଛି ତବ୍ଦ୍ୱତମାନଙ୍କର ,ଚୀନ୍ ନୁହେଁ । ଚୀନ ଦାବି କରୁଛି ତିବ୍ଦତ ତାଙ୍କର ଏକ ଅଂଶ କିନ୍ତୁ ତିବ୍ଦତୀୟମାନେ ନିଜକୁ ସ୍ୱାଧୀନ ବୋଲି କହିଛନ୍ତି। ତେଣୁ ତିବ୍ଦତୀୟମାନେ ଚୀନର ବିରୋଧ କରିପାରିବେ । ଏସବୁ ଉପରେ ଭାରତୀୟ ସେନାର ମଧ୍ୟ ନଜର ରହିଛି ।

-ଅନ୍ୟପକ୍ଷରେ କହିବାକୁ ଗଲେ କେବଳ ଚୀନ ନୁହେଁ, ବିପକ୍ଷରେ ଭାରତର ମଧ୍ୟ ଲାଭ ହେବ । ଗ୍ରାମଗୁଡିକ ବିକାଶ ହେବା ସହ ସ୍ଥାନୀୟ ବାସିନ୍ଦାଙ୍କ ଜୀବିକା ନିର୍ବାହ ବାଟ ବାହାରିବ । ଏସବୁ ପରେ ଭାରତର ଲକ୍ଷ୍ୟ ହେଉଛି ଲୋକମାନେ ଏଠାରେ ବସବାସ କରିବା ଦ୍ୱାରା ସେନାମାନଙ୍କର ମଧ୍ୟ ସାହାଯ୍ୟ ହୋଇପାରିବ ।