Uniform Civil Code କ’ଣ: ଲୋକସଭା ନିର୍ବାଚନ ପୂର୍ବରୁ ଯଦି ଏହା ଲାଗୁ ହୁଏ ତେବେ ଦେଶବାସୀଙ୍କୁ କ’ଣ ସବୁ ଫାଇଦା ମିଳିବ?
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଉ ମାତ୍ର କିଛି ମାସ ବାକି ରହିଥିବା ବେଳେ ଏନେଇ ଦେଶରେ ରାଜନୈତିକ ମାହୋଲ ଦେଖିବାକୁ ମିଳିଲାଣି । ତେବେ ଏପରି ସ୍ଥିତିରେ ଜନତାଙ୍କ ଭୋଟ ହାତେଇବା ପାଇଁ ବିଭିନ୍ନ ପାର୍ଟି ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରାଯାଇଛି । ତେବେ ଆଗାମୀ ନିର୍ବାଚନ ପୂର୍ବରୁ ପୁଣି ଥରେ ଦେଶରେ ସମାନ ନାଗରିକା ସଂହିତା (ୟୁସିସି) ଲାଗୁ କରିବାକୁ ନେଇ ତର୍କ ଆରମ୍ଭ ହୋଇଯାଇଛି । ବାସ୍ତବରେ ଏହାକୁ ଲାଗୁ କରିବା ପାଇଁ କ’ଣ ସାମ୍ବିଧାନିକ ନିୟମ ରହିଛି ଓ ଏହାଦ୍ୱାରା ଜନସାଧାରଣଙ୍କୁ କ’ଣ ସବୁ ଫାଇଦା ମିଳିବ ତାହା ଜାଣିବ ଦରକାର ।
ୟୁସିସି ମାଧ୍ୟମରେ ଦେଶର ସବୁ ଧର୍ମ, ସମ୍ପ୍ରଦାୟର ଲୋକମାନେ ସମାନ ଆଇନଗତ ଅଧିକାର ପାଇବେ । ସହଜ ଭାଷାରେ କହିବାକୁ ଗଲେ ସବୁ ଧର୍ମର, ସବୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏକ ସମାନ ଆଇନ ଲାଗୁହେବ । ୟୁସିସି ସମ୍ବିଧାନର ଧାରା ୪୪ ଅଧିନରେ ଆସୁଛି । ସାରା ଭାରତବର୍ଷର ଲୋକଙ୍କ ପାଇଁ ଏକ ସମାନ ନାଗରିକ ସଂହିତା ସୁନିଶ୍ଚିତ କରିବା ପାଇଁ ସେଥିରେ କୁହାଯାଇଛି । ଏହି ଧାରା ଅଧିନରେ ଦେଶରେ ୟୁସିସି ଲାଗୁ କରିବାକୁ ଦାବି କରାଯାଉଛି । ଜନସଂଖ୍ୟା ବୃଦ୍ଧିକୁ ରୋକିବା ଓ ନିୟନ୍ତ୍ରଣ କରିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି ।
ଦୀର୍ଘ ଦିନ ହେଲା ଏହା ରାଜନୈତିକ ପ୍ରସଙ୍ଗର କେନ୍ଦ୍ରବିନ୍ଦୁ ହୋଇ ରହି ଆସିଛି । ବିଜେପି ଏହାକୁ ସର୍ବଦା ଏକ ପ୍ରାଥମିକ ଏଜେଣ୍ଡା ଭାବେ ଉପସ୍ଥାପିତ କରିଆସିଛି । ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ୟୁସିସିକୁ ନେଇ ସଂସଦରେ ଆଇନ ପ୍ରସ୍ତୁତ କରିବା ପାଇଁ ଗୁରୁତ୍ୱ ଦେଇଥିଲା । ଏବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ଶିରୋନାମା ପାଲଟିଛି । ୟୁସିସି ଲାଗୁ କରିବା ନେଇ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନିର୍ବାଚନୀ ଘୋଷଣାପତ୍ରରେ ସାମିଲ କରିଥିଲା ।
ୟୁନିଫର୍ମ ସିଭିଲ କୋଡ କ’ଣ?
୧- ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଓ ସମ୍ପତ୍ତି କ୍ଷେତ୍ରରେ ସମସ୍ତଙ୍କର ଗୋଟିଏ ଅଧିକାର ରହିବ ।
୨- ପରିବାରର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ଅଧିକାର କ୍ଷେତ୍ରରେ ସମାନତା ରହିବ ।
୩- ଜାତି, ଧର୍ମ ବା ପରମ୍ପରା ଆଧାରରେ ନିୟମରେ କୌଣସି ଛାଡ଼ ରହିବ ନାହିଁ ।
୪- କୌଣସି ଧର୍ମର ଲୋକଙ୍କ ପାଇଁ ଅଲଗା ନିୟମ ରହିବ ନାହିଁ ।
ୟୁସିସି ଲାଗୁ ହେଲେ କ’ଣ ହେବ?
୧- ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ପାଇଁ ଗୋଟିଏ ଆଇନ ହେବ ।
୨- ଯେଉଁ ଆଇନ ହିନ୍ଦୁଙ୍କ ପାଇଁ ରହିବ, ତାହା ଅନ୍ୟ ଧର୍ମ ପାଇଁ ମଧ୍ୟ ରହିବ ।
୩- ବିନା ଛାଡ଼ପତ୍ରରେ ଗୋଟିଏ ଅଧିକ ଥର ବିବାହ କରିପାରିବେ ନାହିଁ ।
ୟୁସିସି ଲାଗୁ ହେଲେ କ’ଣ ବଦଳିବନି?
୧- ଧାର୍ମିକ ମାନ୍ୟତା କ୍ଷେତ୍ରରେ କୌଣସି ଫରକ ପଡ଼ିବନି ।
୨- ଧାର୍ମକ ରୀତି-ନୀତିରେ କ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିବନି ।
୩- ଖାଇବା-ପିଇବା, ପୂଜା-ପାଠ, ବେଶ-ଭୂଷା ଉପରେ ପ୍ରଭାବ ପଡ଼ିବନି ।