fbpx

ବୁମରାହ ଇନ… ଉମେଶ ଆଉଟ, ଦ୍ୱିତୀୟ ଟି-୨୦ରେ ଏମିତି ବଦଳିପାରେ ଟିମ ଇଣ୍ଡିଆର Playing XI

Advertisement

ନୂଆଦିଲ୍ଲୀ: ଆଜି ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଟି-୨୦ ସିରିଜର ଦ୍ୱିତୀୟ ଫାଇଟ । ପ୍ରଥମ ମ୍ୟାଚରେ ଭାରତକୁ ୪ ୱିକେଟରେ ପରାସ୍ତ କରିବା ପରେ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି କଙ୍ଗାରୁ ଦଳ । କିନ୍ତୁ ଏପଟେ ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଏବଂ କୋୁ ରାହୁଲ ଦ୍ରାବିଡ । ତେବେ ସବୁଠୁ ବଡ ପ୍ରଶ୍ନ ରହିଛି ବୋଲରଙ୍କୁ ନେଇ । ଦ୍ୱିତୀୟ ମ୍ୟାଚରେ କ’ଣ ରହିବ ଟିମ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନ? କିଏ ଦଳକୁ କରିବେ କମବ୍ୟାକ ଆଉ କିଏ ପଡିବେ ବାଦ?

ଟିମ ଇଣ୍ଡିଆ ପାଇଁ ପ୍ରଥମ ମ୍ୟାଚରେ ପରାଜୟର ମୁଖ୍ୟ କାରଣ ପାଲଟିଥିଲା ବୋଲିଂ । ବୋଲରମାନଙ୍କ ଖରାପ ପ୍ରଦର୍ଶନ ଭାରତ ହାତରୁ ମ୍ୟାଚ ଛଡାଇ ନେଇଥିଲା । ଫଳରେ ୨୦୮ ରନର ବଡ ଲକ୍ଷ୍ୟକୁ ବି ସହଜରେ ହାତେଇ ନେଇଛି ଅଷ୍ଟ୍ରେଲିଆ । ତେଣୁ ଆଜିର ଦ୍ୱିତୀୟ ମ୍ୟାଚରେ ଯଦି ଭାରତୀୟ ଦଳରେ ପରିବର୍ତ୍ତନ ହୁଏ, ତେବେ ଏହି ବିଭାଗରେ ହିଁ ପରିବର୍ତ୍ତନ ହେବ ବୋଲି ଆଶା ରହିଛି । ଏବେ ପ୍ରଶ୍ନ କିଏ ଦଳରୁ ବାଦ ପଡିବେ ଏବଂ କିଏ ତାଙ୍କ ସ୍ଥାନରେ ମାରିବେ ଏଣ୍ଟ୍ରି ।

ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଦଳରେ ଉମେଶ ଯାଦବଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଭୁବନେଶ୍ୱର କୁମାରଙ୍କୁ ବିଶ୍ୱକପ ପାଇଁ ଅଧିକରୁ ଅଧିକ ସୁଯୋଗ ଦେବାକୁ ଚାହିଁବ ଟିମ ଇଣ୍ଡିଆ । ଯାହାଦ୍ୱାରା ସେ ନିଜର ଭୁଲକୁ ସୁଧାରିବାର ସମୟ ପାଇବେ । ତେଣୁ ଜଶପ୍ରୀତ ବୁମରାହ ଏବଂ ଉମେଶ ଯାଦବଙ୍କ ନେଇ ଏହି ଗୋଟିଏ ପରିବର୍ତ୍ତନର ଅଧିକ ଆଶା ରହିଛି ।

ତେବେ ଡେଥ ଓଭର ବୋଲର ଭାବରେ ରୋହିତଙ୍କ ପାଇଁ ଦୀପକ ଚହର ମଧ୍ୟ ଟିମରେ ମହଜୁଦ ଅଛନ୍ତି । କିନ୍ତୁ ତାଙ୍କ ଖେଳିବା ନ ଖେଳିବା ବୁମରାହଙ୍କ ଫିଟନେସ ଉପରେ ନିର୍ଭର କରିବ । ତେବେ ଖେଳାଳି ପରିବର୍ତ୍ତନ ନହେଲେ ମଧ୍ୟ ବ୍ୟାଟିଂ ଅର୍ଡରରେ ସାମାନ୍ୟ ପରିବର୍ତ୍ତନ କରିପାରନ୍ତି ରୋହିତ ଶର୍ମା । ଏସିଆ କପରେ ବିରାଟଙ୍କ ଦମଦାର ଶତକ ଏବଂ କେ.ଏଲ ରାହୁଲଙ୍କ ଫର୍ମକୁ ନଜରରେ କୋହଲିଙ୍କୁ ଓପନିଙ୍ଗ କରାଇପାରନ୍ତି ହିଟମ୍ୟାନ ।

Get real time updates directly on you device, subscribe now.