fbpx
BSKY
BJD MC SKY
BJD YOUTH SKY

ମାଳଦ୍ୱୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ପରେ କ’ଣ ହେବ? ଏନେଇ ସୂଚନା ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମାଳଦ୍ୱୀପ ସହ ସଂଘର୍ଷର ବାତାବରଣ ମଧ୍ୟରେ ସେଠାରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ପରେ କ’ଣ ହେବ ଏନେଇ ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟ। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ମାଳଦ୍ୱୀପରେ ଥିବା ଭାରତୀୟ ସୈନିକଙ୍କ ପ୍ରତ୍ୟାହାର ପରେ ସେମାନଙ୍କ ସ୍ଥାନରେ ଭାରତର ବୈଷୟିକ ଦଳ ନିୟୋଜିତ ହେବେ। ମାଳଦ୍ୱୀପ ମାର୍ଚ୍ଚ ୧୫ ସୁଦ୍ଧା ଭାରତକୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଥିଲା।

ତେବେ ଚଳିତ ସପ୍ତାହରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ସଂସଦକୁ ସମ୍ବୋଧିତ କରିବା ବେଳେ ସେ କହିଥିଲେ, ଆମେ ଭାରତକୁ ଆନୁଷ୍ଠାନିକ ଭାବେ ମାଳଦ୍ୱୀପରୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଛୁ। ଏହାକୁ ନେଇ ଆଲୋଚନା ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଆଲୋଚନା ଅନୁଯାୟୀ, ୨୦୨୪ ମାର୍ଚ୍ଚ ୧୦ ସୁଦ୍ଧା ତିନୋଟି ଏବିଏସନ୍ ମଧ୍ୟରୁ ଗୋଟିଏରୁ ସୈନିକଙ୍କୁ ଡକାଯିବ। ଅବଶିଷ୍ଟ ଦୁଇଟି ଏବିଏସନରେ ଥିବା ସୈନିକମାନଙ୍କୁ ୨୦୨୪ ମେ ୧୦ ସୁଦ୍ଧା ଡକାଯିବ।

ଏହା ପୂର୍ବରୁ ଫେବ୍ରୁଆରି ୨ ରେ ଭାରତ ଓ ମାଳଦ୍ୱୀପର ଉଚ୍ଚସ୍ତରୀୟ କୋର ଗ୍ରୁପର ଦ୍ୱିତୀୟ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ମାଳଦ୍ୱୀପ ପାଇଁ ବଜେଟ୍ ହ୍ରାସ ସମ୍ପର୍କିତ ପ୍ରଶ୍ନରେ ଜୟସ୍ୱାଲ କହିଛନ୍ତି ଯେ ବାସ୍ତବରେ ଏହି ରାଶି ବୃଦ୍ଧି ପାଇଛି। ଚୂଡ଼ାନ୍ତ ତଥ୍ୟ ଆସିବା ପରେ ସହାୟତା କେତେ ବଢ଼ିଛି ତାହା ସ୍ପଷ୍ଟ ହେବ।

ମହମ୍ମଦ ମୁଇଜୁ ରାଷ୍ଟ୍ରପତି ହେବା ପରଠାରୁ ମାଳଦ୍ୱୀପ ଓ ଭାରତ ମଧ୍ୟରେ ସମ୍ପର୍କରେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ମୁଇଜୁ ଚୀନ୍ ପ୍ରତି ଆଗ୍ରହୀ ବୋଲି ବିବେଚନା କରାଯାଏ। ନିର୍ବାଚନ ପ୍ରଚାରରେ ସେ ‘ଇଣ୍ଡିଆ ଆଉଟ୍’ର ସ୍ଲୋଗାନ ଦେଇଥିଲେ।

Get real time updates directly on you device, subscribe now.