ହ୍ୱାଟ୍ସଆପରେ ଆସିଲା ଦମଦାର ଫିଚର, ଚୁଟକିରେ ଜାଣିପାରିବେ ଫଟୋ ଅସଲି ନା ନକଲି

ନୂଆଦିଲ୍ଲୀ: ଦିନକୁ ଦିନ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହା ଏକ ଲୋକପ୍ରିୟ ମେସେଜିଂ ଆପ୍ ପାଲଟିଯାଇଛି । ଏହା ଦ୍ୱାରା ଆମେ ପରିବାର, ସାଙ୍ଗସାଥି, ଅଫିସ କର୍ମଚାରୀ ଆଦି ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଆଧାରରେ ଯୋଡ଼ି ହୋଇଥାଉ । କିନ୍ତୁ ଅନେକ ସମୟରେ ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ମିଥ୍ୟା(ଫେକ୍) ଫଟୋ, ଭିଡିଓ ଓ ସୂଚନା ପ୍ରଚାର ହେଉଥିବାର ନଜିର ରହିଛି । ଏନେଇ ଅନେକ ସମୟରେ ଲୋକମାନେ ଅନଲାଇନ୍ ଠକାମୀର ଶିକାର ମଧ୍ୟ ହେଉଛନ୍ତି । ଏବେ ହ୍ୱାଟ୍ସଆପରେ AI ଫିଚର ମଧ୍ୟ ଯୋଡ଼ି ହୋଇଛି । ଫଳରେ ମିଥ୍ୟା ଓ ଗୁଜବ ଖବରକୁ ନେଇ ସାଧାରଣ ଲୋକଙ୍କୁ ସହଜରେ ଭୂଆଁ ବୁଲାଉଛନ୍ତି ଅନଲାଇନ୍ ଠକ ।

ଏଭଳି ସମସ୍ୟା ଠାରୁ ବର୍ତ୍ତିବା ପାଇଁ ହ୍ୱାଟ୍ସଆପ୍ ଏକ ନୂତନ ଫିଚର ଲଞ୍ଚ୍ କରିବା ପ୍ରସ୍ତୁତିରେ ଅଛି । ଏହି ଫିଚର ସାହାଯ୍ୟରେ ୟୁଜର୍ସ ସହଜରେ ଫଟୋ କିମ୍ବା ଭିଡିଓର ସତ୍ୟତା ଜାଣିପାରିବେ । ନିକଟରେ ହ୍ୱାଟ୍ସଆପର ଆଣ୍ଡ୍ରଏଡ୍ ବିଟା ଭର୍ସନରେ ‘Search on web’ ନାମକ ଏକ ଫିଚର ଯୋଡ଼ାଯାଇଛି । ଏହି ଫିଚର ସାହାଯ୍ୟରେ ୟୁଜର ଗୁଗୁଲ ଲେନ୍ସର ବ୍ୟବହାର କରି କୌଣସି ଫଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିପାରିବେ । ଏଥିପାଇଁ ପ୍ରଥମେ ବାସ୍ତବତା ଯାଞ୍ଚ କରିବାକୁ ଚାହୁଁଥିବା ଫଟୋ କିମ୍ବା ଭିଡିଓ ଉପରେ କ୍ଲିକ୍ କରନ୍ତୁ । ପରେ ଡାହାଣ କୋଣରେ ଥିବା ୩ଟି ବୁନ୍ଦୁ ଉପରେ କ୍ଲିକ୍ କରିବାକୁ ହେବ । ଏହି ଉପାୟରେ ୟୁଜର୍ସଙ୍କୁ ବ୍ରାଉଜରରେ ଗୁଗୁଲ ଲେନ୍ସ ଆପ୍ ଖୋଲିବାକୁ ପଡ଼ିବନାହିଁ । ବର୍ତ୍ତମାନ ଏହି ଫିଚର କେବଳ ହ୍ୱାଟ୍ସଆପର ବିଟା ଭର୍ସନର କିଛି ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଅନ୍ୟ ୟୁଜର୍ସଙ୍କ ପାଇଁ ଏହା ରୋଲ୍ ଆଉଟ୍ ହେବାକୁ ସମୟ ଲାଗିବ । ନିକଟରେ ହ୍ୱାଟ୍ସଆପରେ ୨ଟି ନୂତନ ଫିଚର ଲଞ୍ଚ୍ କରାଯାଇଥିଲା । ପ୍ରଥମ ୟୁଜର୍ସଙ୍କୁ ହ୍ୱାଟ୍ସଆପରେ କନଟାକ୍ଟସ ସେଭ୍ କରିବା ପାଇଁ ସୁବିଧା ପ୍ରଦାନ କରିଥାଏ । ଦ୍ୱିତୀୟ ଇନଷ୍ଟାଗ୍ରାମ ଷ୍ଟୋରି ଭଳି ହ୍ୱାଟ୍ସଆପ୍ ଷ୍ଟାଟସରେ ଅନ୍ୟକୁ ମେନସନ୍ କରିବାର ସୁବିଧା ପ୍ରଦାନ କରୁଛି ।