ପୁଅ ସାଜିଲା ରାକ୍ଷସ, ଗୀତ ଶୁଣିବାକୁ ବାରଣ କଲାରୁ ମାଆକୁ ମାରି ଖଟରେ କବର ଦେଇଦେଲା

ମାଆକୁ ମାରି 90 କିଲୋ ଓଜନର ଲାସକୁ ଖଟରେ ପୂରେଇଦେଲା ପୁଅ

କାନପୁର: ଖଟ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କାନପୁରର ରାୱତପୁରରେ। ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର ତାଙ୍କ ମାଆଙ୍କୁ ହତ୍ୟା କରିଥିଲେ। ସେ ପୁଣି ତାଙ୍କୁ ଗୀତ ଶୁଣିବାକୁ ମନା କଲାରୁ।

କାନପୁରର ରାୱତପୁରରେ, ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ତାଙ୍କ ମାଆଙ୍କୁ ଓଢଣୀ ସାହାଯ୍ୟରେ ବେକ ଚିପି ହତ୍ୟା କରିଥିଲା ଏବଂ ତା’ପରେ 90 କିଲୋ ଓଜନର ମୃତଦେହକୁ ଖଟ ଭିତରେ ରଖିଥିଲା। ଯେତେବେଳେ ମୃତ ମହିଳାଙ୍କ ସାନ ପୁଅ ସ୍କୁଲରୁ ଫେରି ତାଙ୍କ ମାଆଙ୍କୁ ଖୋଜିବା ଆରମ୍ଭ କଲେ ସେତେବେଳେ ଘଟଣାଟି ସାମ୍ନାକୁ ଆସିଲା।

ଉର୍ମିଳା ରାଜପୁତ କାନପୁରର ରାୱତପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ସହ ଲିଭ-ଇନ୍ ସମ୍ପର୍କରେ ରହୁଥିଲେ। ତାଙ୍କର ଦୁଇ ପିଲା ମଧ୍ୟ ତାଙ୍କ ସହିତ ରହୁଥିଲେ। ସୂଚନା ଅନୁଯାୟୀ, ଉର୍ମିଳାଙ୍କ ପ୍ରଥମ ସ୍ୱାମୀଙ୍କର ଏକ ପୁଅ ଅଛି, ଯିଏ ଦ୍ୱାଦଶ ଶ୍ରେଣୀରେ ପଢ଼େ। ଦ୍ୱିତୀୟ ପୁଅ ଦଶମ ଶ୍ରେଣୀରେ ପଢ଼େ।

ଦୁଇ ପୁଅଙ୍କ ମଧ୍ୟରେ ଘରକାମ ବାଣ୍ଟି ଦିଆଯାଇଥିଲା। ମଙ୍ଗଳବାର ଦିନ, ବଡ଼ ପୁଅ ଘରେ ଥିବା ବେଳେ ସାନ ପୁଅ ସ୍କୁଲ ଯାଇଥିଲା। ମାଆ ବଡ଼ ପୁଅକୁ ବାସନକୁସନ ଧୋଇବାକୁ କହି ନିଜେ ବିପି ଔଷଧ ଖାଇ ଶୋଇପଡ଼ିଲେ।

ଏସିପି ରଞ୍ଜିତ କୁମାରଙ୍କ ମତରେ, ପୁଅଟି ବହୁତ ଜୋରେ ସାଉଣ୍ଡ ଦେଇ ଗୀତ ଶୁଣୁଥିଲା। ଉର୍ମିଳାଙ୍କ ରକ୍ତଚାପ ଅଧିକ ଥିବାରୁ ସେ ତାଙ୍କ ପୁଅକୁ ଗୀତ ଶୁଣିବାକୁ ମନାକଲେ। ପୁଅ ରାଜି ନହେବାରୁ ଉର୍ମିଳା ସ୍ପିକର ଭାଙ୍ଗି ଦେଲେ।

ଏଥିରେ ବଡ଼ ପୁଅ ରାଗିଗଲା ଏବଂ ତା’ ମାଆକୁ ଠେଲି ଦେଲା। ଠେଲା ଯୋଗୁଁ ମାଆ ତଳେ ପଡ଼ିଗଲେ ଏବଂ ତାଙ୍କ ନାକ ଫାଟିଗଲା। ବଡ଼ ପୁଅ ଭାବିଲା ଯେ ତା’ ମାଆ ସମସ୍ତଙ୍କୁ କହିଦେବ, ତେଣୁ ସେ ତା’ ମାଆଙ୍କୁ ଏକ ଓଢଣୀ ସାହାର୍ଯ୍ୟରେ ବେକ ଚିପି ମାରିଦେଲା ଏବଂ ମୃତଦେହକୁ ଲୁଚାଇବା ପାଇଁ ବିଛଣା ଭିତରେ ପ୍ୟାକ୍ କରିଦେଲା।

ଏସିପି ରଞ୍ଜିତ କୁମାରଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ପଚରାଉଚରା ସମୟରେ ବଡ଼ ପୁଅ ରାଗରେ ତାଙ୍କ ମାଆଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି।