fbpx

କୋଭିଡ ଜାଲ୍ ରିପୋର୍ଟ ମାଷ୍ଟରମାଇଣ୍ଡ ଗଲା କୁଆଡ଼େ, ଏହା ପଛରେ ସରକାରୀ ନା ଘରୋଇ ହସ୍ପିଟାଲ କିଏ ସମ୍ପୃକ୍ତ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟଙ୍କା ଦେଇ ଜାଲ୍ କୋଭିଡ୍ ରିପୋର୍ଟ ପ୍ରସ୍ତୁତିକୁ ନେଇ ବଢ଼ୁଛି ସନ୍ଦେହ । ଇତିମଧ୍ୟରେ ଏହି ଘଟଣାକୁ ୫ ଦିନି ବିତିଯାଇଥିଲେ ହେଁ ଏହାର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରିନାହିଁ ପ୍ରଶାସନ । ଆଇସିଏମଆର ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯିବା ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏତେ ଘଟଣା ଘଟିବା ପରେ ବି ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ମୁଣ୍ଡରେ ଚେତା ପଶୁନାହିଁ । ତେବେ ଏବେ ବି ଏହି ଘଟଣାର ଯାଞ୍ଚ ପୋଲିସ ଆରମ୍ଭ ନ କରିବା ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ କଥା ।

ନମୂନା ସଂଗ୍ରହ କରିଥିବା ଘରୋଇ ହସ୍ପିଟାଲ କର୍ମଚାରୀ ଜଣଙ୍କର ବୟାନରୁ ଏନେକ କିଛି ଗୁମର ଖୋଲିଛି । ସେ ଏହି ଘଟଣାର ମୁଖ୍ୟ କାର୍ପଟଦାରଙ୍କୁ ଜାଣିଥିବା କହିଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାଲ୍ ରିପୋର୍ଟ ପ୍ରସ୍ତୁତ କରୁଥିବା ଲ୍ୟାବକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଏତେସବୁ ଘଟଣା ଘଟିଗଲା ପରେ ବି ପୋଲିସ ବିଭାଗକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇନାହିଁ । ଉକ୍ତ ଦଲାଲ ଜଣଙ୍କ ସହିତ ଅନ୍ୟ କେଉଁ ସରକାରୀ କର୍ମଚାରୀ, ଘରୋଇ କର୍ମଚାରୀ, ହସ୍ପିଟାଲ ସାମିଲ ରହିଛନ୍ତି କି ନା ତାହା ତଦନ୍ତ ହେବା ଜରୁରୀ । ସେ ଏହି କାର୍ଯ୍ୟରେ କେବେଠାରୁ ରହିଛନ୍ତି ପ୍ରଥମ ଲହର ସମୟରୁ ନା ଦ୍ୱିତୀୟ ଲହର ଆରମ୍ଭରୁ । କୌଣସି ହସ୍ପିଟାଲ କିମ୍ବା ଲ୍ୟାବର କର୍ମଚାରୀ ନହୋଇ ବି ଦଲାଲ ଜଣଙ୍କ ଜାଲ କୋଭିଡ୍ ରିପୋର୍ଟ ପ୍ରସ୍ତୁତ କରିବାକୁ ସାହାସ କଲା କିପରି? ତେଣୁ ଏହା ପଛରେ ଏକ ବଡ଼ଧରଣର ରାକେଟ ରହିଥିବା ଅନୁମାନ କରାଯାଉଛି । ଜାଲ୍ ଆରଟିପିସିଆର ରିପୋର୍ଟଗୁଡ଼ିକ ଆଇସିଏମଆର ପୋର୍ଟାଲରେ ଅପଲୋଡ୍ ନିହାତି ହୋଇଥିବ । ଯଦି କରୋନାର ପ୍ରଥମ ଲହର ସମୟର ଏହି ଖେଳ ଆରମ୍ଭ ହୋଇଥିବ, ତେବେ ଏହା ସଂକ୍ରମଣ ବୃଦ୍ଧିର ଯେ ଅନ୍ୟତମ କାରଣ ତାହାକୁ ଉପେକ୍ଷା କରିହେବ ନାହିଁ । ତେଣୁ ମାଷ୍ଟରମାଇଣ୍ଡକୁ ଧରି ଏହି ରିପୋର୍ଟ ଘରୋଇ କି ସରକାରୀ ଲ୍ୟାବରେ ପ୍ରସ୍ତୁତ ହୋଇଥିଲା, ତାହାକୁ ପଦାକୁ ଆଣିବା ଜରୁରୀ ।

Get real time updates directly on you device, subscribe now.