fbpx

(Video) ମହାପ୍ରଭୁଙ୍କ ସ୍ନାନ ପାଇଁ ଜଳ କେଉଁଠୁ ଆସେ? କେତେ ଗରା ଜଳରେ ହୁଏ କେଉଁ ବିଗ୍ରହଙ୍କ ଦିବ୍ୟ ସ୍ନାନ? ଦେଖନ୍ତୁ ସ୍ପେଶାଲ ରିପୋର୍ଟ…

Advertisement

ଓଡ଼ିଶା ଭାସ୍କର: ଆଜି ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ରଥଯାତ୍ରା ପୂର୍ବରୁ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପାରମ୍ପରିକ ରୀତିରେ ବେଦଧ୍ୱନୀ ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରିୁଛନ୍ତି ଦାରୁଦିଅଁ । ବର୍ତ୍ତମାନ ସ୍ନାନବେଦୀରେ ଚତୁର୍ଦ୍ଧା ବିଗ୍ରହଙ୍କର ଜଳ ବିଜେ ନୀତି ଆରମ୍ଭ ହୋଇଯାଇଛି । ଗରାବଡ଼ୁ ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କ ଜଳ ବିଜେ ନୀତି ଆରମ୍ଭ ହୋଇଛି । ତେବେ ଆପଣ ଜାଣିଛନ୍ତି କି, ଏହି ୧୦୮ ଗରା ଜଳ କେଉଁଠୁ ଆସେ? ଏ ଜଳକୁ କେମିତି ପ୍ରସ୍ତୁତ କରାଯାଏ? କେଉଁ ଦିଅଁଙ୍କୁ କେତେ ଗରା ଜଳରେ ସ୍ନାନ କରାଯାଏ?

ଦେବସ୍ନାନ ପୂର୍ଣ୍ଣିମାର କିମ୍ବଦନ୍ତୀ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ପୂଜା ବିଧି । ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚସ୍ନାନ ବୋଲି ଉଲ୍ଲେଖ ହୋଇଛି ।

କେଉଁଠୁ ଆସେ ୧୦୮ ଗରା ଜଳ?

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିଥାନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହା ପୂର୍ବଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ’ ବୋଲି କୁହାଯାଏ ।

ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ ‘ପ୍ରତ୍ୟେକ୍ଷ ଅବକାଶ’ କୁହାଯାଏ । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ସୂଚନାଯୋଗ୍ୟ, ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ ।

Get real time updates directly on you device, subscribe now.