ଭୁବନେଶ୍ୱର: ସାରା ଓଡ଼ିଶାରେ ଆଗାମୀ ବାତ୍ୟା ‘ଦାନା’କୁ ନେଇ ପୂର୍ବ ପ୍ରସ୍ତୁତି ଜାରି ରହିଛି । ସମୁଦ୍ରରେ ବଳ ଗୋଟାଉଥିବା ବାତ୍ୟା ଆସନ୍ତା ୨୪ ତାରିଖରେ ଲାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ବାତ୍ୟାର ପ୍ରଭାବରେ ପ୍ରାୟ ୧୦୦-୧୨୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଏସଆରସିଙ୍କ ତରଫରୁ ସୂଚନା ଦିଆଯାଇଛି । ତେବେ ଆଜି ଘୂର୍ଣ୍ଣିବଳୟ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ଏହାପରେ ୨୪ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।
ବାତ୍ୟା ‘ଦାନା’କୁ ନେଇ ସତର୍କ କରାଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ଦାନା । ଆସନ୍ତା ୨୩ ତାରିଖରେ ଏହା ବାତ୍ୟାରେ ପରିଣତ ହେବ । ୨୪ ତାରିଖରେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହି ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୩ରୁ ୨୫ ପର୍ୟ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବା ସମୟରେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ଶୁକ୍ରବାର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ଆଜି ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହେବ । ଏହାପରେ ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ୨୪ ତାରିଖ ସକାଳେ ଉପକୂଳ ଛୁଇଁବ ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ବର୍ଷାର ପରିମାଣ ଯଥେଷ୍ଟ ଅଧିକ ରହିବ । ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଏପରିକି କେତେକ ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହେବାକୁ ଥିବାବେଳେ ଆଉ କେତେକ ସ୍ଥାନରେ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ୨୬ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି । ଯେଉଁମାନେ ବି ସମୁଦ୍ର ଭିତରେ ରହିଛନ୍ତି, ସେମାନେ ୨୧ ତାରିଖ ସୁଦ୍ଧା ଫେରି ଆସିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାପରେ ସମ୍ଭାବ୍ୟ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେ ନେଇ ସ୍ପଷ୍ଟ ହେବ । ତେବେ ପ୍ରାଥମିକ ଆକଳନ ଅନୁଯାୟୀ ଏହା ଓଡ଼ିଶା- ପଶ୍ଚିମବଙ୍ଗ ମୁହାଁ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।