କେଉଁ ଜିଲ୍ଲାକୁ କେତେ ବିପଦ ‘ଦାନା’? ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା, ବଢିବ ପବନର ବେଗ

ଓଡ଼ିଶା ଭାସ୍କର: ଓଡ଼ିଶା ଉପକୂଳ ଅଭିମୁଖେ ଧୀରେ ଧୀରେ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଗୁରୁବାର (୨୪ ତାରିଖ) ସନ୍‌ଧ୍ୟାରୁ ଶୁକ୍ରବାର (୨୫ ତାରିଖ) ପୂର୍ବାହ୍ନ ପର୍ଯ୍ୟନ୍ତ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । କେନ୍ଦ୍ରାପଡ଼ାର ଭିତରକନିକାରୁ ଭଦ୍ରକର ଧାମରା ମଧ୍ୟରେ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ଏହା ପ୍ରଭାବରେ ନିକଟସ୍ଥ ଅଞ୍ଚଳରେ ଗୁଡ଼ିକରେ ବାତ୍ୟାର ପ୍ରଭାବ ଅଧିକ ରହିବ । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ପ୍ରଭାବ ପକାଇବ ବାତ୍ୟା ‘ଦାନା’ ।

୨୪ ତାରିଖ(ଗୁରୁବାର) ପାଇଁ ରାଜ୍ୟର ମୋଟ ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା ଭିତରକନିକାରୁ ଧାମରା ଭିତରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ଆଶା କରାଯାଉଥିବା ବେଳେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଏବଂ କଟକ ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି । ଏହିସବୁ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ ୫ଟି ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ ତାଲିକାରେ ରହିଛି । କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଖୋର୍ଦ୍ଧା ଏବଂ ପୁରୀ ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହାବ୍ୟତୀତ ୬ଟି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଅନ୍ତର୍ଭୁକ୍ତ ରହିଛି ।

ସେହିପରି ୨୫ ତାରିଖ(ଶୁକ୍ରବାର) ପାଇଁ ରାଜ୍ୟର ୪ଟି ଜିଲ୍ଲାରେ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ । ମୟୁରଭଞ୍‌ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକରେ ବାତ୍ୟା ପ୍ରଭାବ ଅଧିକ ରହିବ । ତେବେ କିଛି ଜିଲ୍ଲାରେ ଲ୍ୟାଣ୍ଡଫଲ ପରେ ବାତ୍ୟାର ପ୍ରଭାବ କମ୍ ହୋଇପାରେ । ତେଣୁ ଯାଜପୁର, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାବ୍ୟତୀତ ୬ଟି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଅନ୍ତର୍ଭୁକ୍ତ ରହିଛି ।

ବର୍ତ୍ତମାନ ସୁଦ୍‌ଧା ବାତ୍ୟା ‘ଦାନା’ ପାରାଦୀପ ଠାରୁ ପ୍ରାୟ ୪୨୦ କିଲୋମିଟର ଦୂରରେ ଥିବା ରେକର୍ଡ କରାଯାଇଛି । ସେହିପରି ଧାମରା ବନ୍ଦରରୁ ମଧ୍ୟ ବାତ୍ୟା ପ୍ରାୟ ୪୫୦ କିଲୋମିଟର ଦୂରରେ ରହିଛି । ଅନ୍ୟ ପକ୍ଷରେ ସାଗର ଦ୍ୱୀପରୁ ଏହି ବାତ୍ୟା ପ୍ରାୟ ୫୦୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗତ ୬ ଘଣ୍ଟାରୁ ସମୁଦ୍ର ଭିତରେ ବାତ୍ୟାର ବେଗ ପ୍ରାୟ ୧୨ କିଲୋମିଟର ରହିଛି । ଗୁରୁବାର ସକାଳେ ଏହା ଭୀଷଣ ବାତ୍ୟାର ରୂପ ନେବ ଏବଂ ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।