ବ୍ରେନ ଟ୍ୟୁମର ହେବାର ବିପଦ କେଉଁ ଲୋକଙ୍କଠାରେ ଅଧିକ ରହିଥାଏ ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ବ୍ରେନ ଟ୍ୟୁମର ହେଉଛି ମସ୍ତିଷ୍କରେ କୋଷମାନଙ୍କର ଅସ୍ୱାଭାବିକ ବୃଦ୍ଧି। ଯେତେବେଳେ ମସ୍ତିଷ୍କର କୋଷମାନେ ନିୟନ୍ତ୍ରଣ ବିନା ବଢ଼ିବାକୁ ଲାଗନ୍ତି, ସେତେବେଳେ ଏହା ଏକ ଗଣ୍ଠି ବା ଟ୍ୟୁମରର ରୂପ ନିଏ। ଏହି ଟ୍ୟୁମର କେତେକ ସମୟରେ ଧୀରେ ଧୀରେ ବଢ଼େ, କିନ୍ତୁ କିଛି କ୍ଷେତ୍ରରେ ଏହା ଦ୍ରୁତ ଗତିରେ ବ୍ୟାପି ମସ୍ତିଷ୍କର ଅନ୍ୟ ଅଂଶକୁ କ୍ଷତି ପହଞ୍ଚାଇପାରେ। ମସ୍ତିଷ୍କ ଟ୍ୟୁମର ମୁଖ୍ୟତଃ ଦୁଇ ପ୍ରକାରର – ବେନାଇନ (ଯାହା କର୍କଟ ରୋଗ ନୁହେ) ଓ ମାଲିଗ୍ନାଣ୍ଟ (ଯାହା କର୍କଟ ରୋଗୀୟ)। ଏହାର କାରଣ ମଧ୍ୟରେ ରେଡିଏସନ ଏକ୍ସପୋଜର, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି, କିଛି ଭୁତାଣୁ କିମ୍ବା ପାରିବାରିକ ଇତିହାସ ସାମିଲ ହୋଇପାରେ। ତେବେ ଅନେକ ସମୟରେ ଏହାର ସ୍ପଷ୍ଟ କାରଣ ମିଳେ ନାହିଁ। ତେଣୁ ସମୟ ଥାଉଁ ଲକ୍ଷଣ ଚିହ୍ନି ଚିକିତ୍ସା କରାଇବା ଅତ୍ୟନ୍ତ ଜରୁରୀ।

ମସ୍ତିଷ୍କ ଟ୍ୟୁମରର ପ୍ରଭାବ ଓ ଲକ୍ଷଣ
ମସ୍ତିଷ୍କ ଟ୍ୟୁମର ମସ୍ତିଷ୍କର କାର୍ଯ୍ୟକୁ ବାଧା ସୃଷ୍ଟି କରେ, ଯାହା ଶରୀର ଉପରେ ଅନେକ ପ୍ରକାରର ଖରାପ ପ୍ରଭାବ ପକାଇପାରେ। ଟ୍ୟୁମରର ଆକାର ବଢ଼ିବା ସହ ଏହା ମସ୍ତିଷ୍କର ସ୍ନାୟୁ ଓ ଟିସୁ ଉପରେ ଚାପ ସୃଷ୍ଟି କରେ, ଯାହା ଫଳରେ ମୁଣ୍ଡବିନ୍ଧା, ବାନ୍ତି, ମୂର୍ଚ୍ଛା, ଆଖିର ଦୃଷ୍ଟିଶକ୍ତି କମିବା, କଥା କହିବା ବା ବୁଝିବାରେ ଅସୁବିଧା ଏବଂ ଚାଲିବା ବେଳେ ସନ୍ତୁଳନ ହରାଇବା ଭଳି ଲକ୍ଷଣ ଦେଖାଯାଏ। ଅନେକ ସମୟରେ ହାତଗୋଡ଼ରେ ଅସାଡ଼, ଶରୀରର ଗୋଟିଏ ପାର୍ଶ୍ୱ ଦୁର୍ବଳ ହେବା କିମ୍ବା ବ୍ୟବହାରରେ ପରିବର୍ତ୍ତନ ମଧ୍ୟ ଦେଖାଯାଏ। ଏହା ନିର୍ଭର କରେ ଟ୍ୟୁମର ମସ୍ତିଷ୍କର କେଉଁ ଅଂଶରେ ଅଛି ତାହା ଉପରେ। ଯଦି ସମୟ ଥାଉଁ ଚିକିତ୍ସା ନ ହୁଏ, ତେବେ ଏହା ମସ୍ତିଷ୍କର ଗୁରୁତ୍ୱପୂର୍ଣ୍ଣ ଅଂଶକୁ କ୍ଷତି ପହଞ୍ଚାଇପାରେ ଏବଂ ଜୀବନ ପାଇଁ ବିପଦ ହୋଇପାରେ। ତେଣୁ ପ୍ରାରମ୍ଭିକ ଲକ୍ଷଣକୁ ଆଦୌ ହାଲୁକା ଭାବେ ନେବା ଉଚିତ ନୁହେ।

କାହାଙ୍କୁ ଅଧିକ ବିପଦ?
ସର୍ଭୋଦୟ ହସ୍ପିଟାଲର ନ୍ୟୁରୋସର୍ଜରୀ ବିଭାଗରେ ଡାକ୍ତର ଗଙ୍ଗେଶ ଗୁଞ୍ଜନ କୁହନ୍ତି ଯେ କିଛି ଲୋକଙ୍କୁ ମସ୍ତିଷ୍କ ଟ୍ୟୁମରର ବିପଦ ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ। ଯେଉଁମାନଙ୍କ ପରିବାରରେ ମସ୍ତିଷ୍କ ଟ୍ୟୁମର ବା ଅନ୍ୟ ନ୍ୟୁରୋଲୋଜିକାଲ ରୋଗର ଇତିହାସ ରହିଛି, ସେମାନଙ୍କୁ ଏହାର ବିପଦ ଅଧିକ। ଏହା ବ୍ୟତୀତ, ଯେଉଁମାନେ ଦୀର୍ଘ ସମୟ ଧରି ରେଡିଏସନ ଥେରାପି ନେଇଛନ୍ତି, ଯେପରିକି କର୍କଟ ରୋଗର ଚିକିତ୍ସା କରିଥିବା ଲୋକେ, ସେମାନଙ୍କ ମସ୍ତିଷ୍କ କୋଷ ଅସ୍ୱାଭାବିକ ଭାବେ ବଢ଼ିପାରେ। ଶିଳ୍ପ କ୍ଷେତ୍ରରେ କାମ କରୁଥିବା ଲୋକେ, ଯେଉଁଠାରେ ରାସାୟନିକ ପଦାର୍ଥ ଓ ବିଷାକ୍ତ ପଦାର୍ଥର ଅଧିକ ସଂସର୍ଗ ହୁଏ, ସେମାନେ ମଧ୍ୟ ବିପଦ ଜୋନରେ ରହିଛନ୍ତି।

କିଛି ଜେନେଟିକ ରୋଗ ଯେପରିକି Li-Fraumeni syndrome, Neurofibromatosis ଓ Tuberous sclerosis ଥିବା ଲୋକେ ମଧ୍ୟ ଏହାର ଶିକାର ହୋଇପାରନ୍ତି। ଏହା ବ୍ୟତୀତ, ମହିଳାଙ୍କ ତୁଳନାରେ ପୁରୁଷମାନଙ୍କୁ ମସ୍ତିଷ୍କ ଟ୍ୟୁମରର ସମ୍ଭାବନା ଅଳ୍ପ ଅଧିକ। ବୟସ ବଢ଼ିବା ସହ ଏହି ବିପଦ ଆହୁରି ବଢ଼େ। ତେବେ ଏହି ରୋଗ ଶିଶୁ ଓ ଯୁବକମାନଙ୍କୁ ମଧ୍ୟ ହୋଇପାରେ। ମୋବାଇଲ, ଓ୍ୱାୟାରଲେସ ଡିଭାଇସ ଓ ହରମୋନାଲ ଅସନ୍ତୁଳନକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଫଳାଫଳ ମିଳିନାହିଁ।

କିପରି କରିବେ ରକ୍ଷା?
ଅଧିକ ସମୟ ଧରି ମୋବାଇଲ କିମ୍ବା ଓ୍ୱାୟାରଲେସ ଡିଭାଇସ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ।
ସ୍ୱାସ୍ଥ୍ୟକର, ଆଣ୍ଟିଅକ୍ସିଡାଣ୍ଟ-ଯୁକ୍ତ ଓ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ।
ମୁଣ୍ଡବିନ୍ଧା, ଚକ୍କର ବା ମୂର୍ଚ୍ଛା ଭଳି ଲକ୍ଷଣ ଥିଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ।
ଯଦି ପରିବାରରେ କାହାକୁ ମସ୍ତିଷ୍କ ଟ୍ୟୁମର ହୋଇଥାଏ, ତେବେ ସମୟ ସମୟରେ ନ୍ୟୁରୋଲୋଜିକାଲ ଚେକଅପ କରାନ୍ତୁ।
ନିୟମିତ ବ୍ୟାୟାମ କରନ୍ତୁ ଓ ମାନସିକ ଚାପ କମ କରିବାକୁ ଚେଷ୍ଟା କରନ୍ତୁ।
ଯଦି ଆପଣ କ୍ଷତିକାରକ ରାସାୟନିକ ପଦାର୍ଥ ବା ପ୍ରଦୂଷଣ ଥିବା ସ୍ଥାନରେ କାମ କରୁଛନ୍ତି, ତେବେ ସୁରକ୍ଷାର ଧ୍ୟାନ ରଖନ୍ତୁ।