ଧଳା ନା କଳା ରାଶି ? ଶୀତ ଦିନେ କେଉଁଟା ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଓଡ଼ିଶା ଭାସ୍କର: ଶୀତ ଦିନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ଏମିତିରେ ଥଣ୍ଡା ପବନ ତ୍ୱଚାକୁ ଅଧିକ ଶୁଷ୍କ କରିଥାଏ । ତେଣୁ ଖାଦ୍ୟ ପେୟର ବିଶେଷ ଧ୍ୟାନ ରଖିବା ଉଚିତ । ଏହି ଋତୁରେ ନିଜ ଡାଏଟ୍ ଚାର୍ଟରେ ଶରୀରକୁ ଉଷ୍ମ ରଖୁଥିବା ଖାଦ୍ୟ ପେୟ ସାମିଲ କରିବା ଉଚିତ । ଏଥିମଧ୍ୟରୁ ରାଶି ଅନ୍ୟତମ । ଫାଇବର, ପ୍ରୋଟିନ୍‌, କ୍ୟାଲସିୟମ, ମ୍ୟାଗନେସିୟମ, ଫସଫରସ, ଫ୍ୟାଟ୍‌, ଆଣ୍ଟି ଅକ୍ସିଡାଣ୍ଟ ଭଳି ଅନ୍ୟାନ୍ୟ ପୋଷକ ତତ୍ୱରେ ଭରୁପର ରାଶି । ଏହା ଫ୍ଲୁ, ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ । ବେଳେ ବେଳେ ଲୋକମାନେ ଦ୍ୱନ୍ଦ୍ୱରେ ଥାନ୍ତି କି ଶୀତ ଦିନେ କେଉଁ ରାଶି ସେବନ କରିବା ଉଚିତ ।

ସାଧାରଣତଃ ଶୀତ ଦିନେ ରାଶି ଲଡୁର ଲୋକପ୍ରିୟତା ଦେଖିବାକୁ ମିଳିଥାଏ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ ଔଷଧ ଭଳି କାମ କରିଥାଏ । ଆର୍ଥରାଇଟିସ୍‌, ଡାଇବେଟିସ, କଲେଷ୍ଟ୍ରୋଲ, ମାଇଗ୍ରେନ୍ ଭଳି ସମସ୍ୟା ପାଇଁ ଲାଭଦାୟକ ଅଟେ । ଆୟୁର୍ବେଦରେ ଉଭୟ ଧଳା ଏବଂ କଳା ରାଶି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ । କଳା ରାଶିରେ କ୍ୟାଲସିୟମ, ଲୌହ, ମ୍ୟାଗନେସିୟମ ଏବଂ ଜିଙ୍କ ଭଳି ତତ୍ୱ ରହିଛି । ଏହା ହାଡ଼କୁ ମଜବୁତ ରଖିିଥାଏ ଏବଂ ଶରୀରର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ । ଅପରପକ୍ଷରେ ପ୍ରୋଟିନ୍‌, କାର୍ବେହାଇଡ୍ରେଟ୍ ଏବଂ ଫ୍ୟାଟରେ ଭରପୁର ଧଳା ରାଶି । ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଶୀତ ଦିନେ କଳା ରାଶି ସେବନ କରିବା ଅଧିକ ଫଳପ୍ରଦ ବିବେଚିତ କରାଯାଇଛି । ଏହା ଲୌହ ଏବଂ ଫାଇବରର ଉତ୍ତମ ସ୍ରୋତ । କଳା ରାଶି ଚୋପା ସହ ଆସିଥାଏ ଯାହା ଅଧିକ ପୋଷକ ତତ୍ୱରେ ଭରପୁର । ଧଳା ରାଶିର ସ୍ୱାଦ ହାଲୁକା ମିଠା ଏବଂ ନରମ ଅଟେ । ରାଶିକୁ ଲଡୁ, ସୁପ୍‌, ଚିକ୍କି, ପିଠା, ବିଭିନ୍ନ ଉପାୟରେ ସେବନ କରାଯାଇପାରିବ ।

ଶୀତ ଦିନେ ରାଶି ସେବନ କରିବାର ଫାଇଦା

– ହାଡ଼କୁ ମଜବୁତ ରଖିଥାଏ

– ଆଣ୍ଟିଅକ୍ସିଡାଣ୍ଟସରେ ଭରପୁର

– ଅବସାଦ ଓ ଚାପରୁ ମୁକ୍ତି ଦେଇଥାଏ

– ରକ୍ତସ୍ତରକୁ ନିୟନ୍ତ୍ରିତ କରିଥାଏ
– ପାଚନ ପ୍ରକ୍ରିୟାକୁ ଉତ୍ତମ ରଖିଥାଏ