ଇସ୍ରାଏଲ ଏବଂ ହାମାସ ମଧ୍ୟରେ ତୃତୀୟ ‘ଖେଳାଳି’ କିଏ? ଆକ୍ରମଣ କରିବା ପାଇଁ କାହିଁକି ବାଛିଲା ଅକ୍ଟୋବର ୬ ତାରିଖ …

ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍ ଅକ୍ଟୋବର ୬ ରେ ଆକ୍ରମଣ କରିଥିଲା । ତାହାର ପ୍ରତି ଉତ୍ତରରେ ଇସ୍ରାଏଲ ମଧ୍ୟ ଯୁଦ୍ଧର ଘୋଷଣା କରିଥିଲା । ହଜାର ହଜାର ଲୋକ ଫେଷ୍ଟିଭାଲ୍‌ରେ ଥିବା ବେଳେ ହମାସ ଗୁଳିର ବର୍ଷା କରିଥିଲା । ଏହି ଆକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ବର୍ତ୍ତମାନ ଏହି ଯୁଦ୍ଧ ଏବେ ଭୟଙ୍କର ରୂପ ନେଲଣି । ଏହି ଯୁଦ୍ଧର ଉଭୟ ପଟୁ ୧୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାର ଜଣାଯାଇଛି । ହମାସ୍ ଗୋଟିଏ ପରେ ଗୋଟିଏ ୫୦୦୦ ରକେଟ ଗୁଳି ଚଳାଇଲା ଏବଂ ଇସ୍ରାଏଲର ସୁରକ୍ଷା କର୍ଡନ ଭାଙ୍ଗି ସୀମା ଅଞ୍ଚଳରେ ପ୍ରବେଶ କରିଥିଲା । ସର୍ବଶେଷରେ ମନରେ ଏକ ପ୍ରଶ୍ନ ଆସିଲା ଯେ, ହମାସ୍ ଆକ୍ରମଣ ପାଇଁ କାହିଁକି ଅକ୍ଟୋବର ୬ ତାରିଖକୁ ବାଛି ନେଲା ? କୁହାଯାଉଛି, ଏହାର କାରଣ ଏକ ୫୦ ବର୍ଷ ପୁରୁଣା ଘଟଣାରେ ଲୁଚି ରହିଛି ।

ସୂଚନାଯୋଗ୍ୟ ଯେ, ୫୦ ବର୍ଷ ପୂର୍ବେ, ଅକ୍ଟୋବର ୬, ୧୯୭୩ ରେ, ଆରବ ଦେଶ ସଂଗଠନ ଠିକ ଏହିଭଳି ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ସେହି ଦିନ ଯିହୁଦୀମାନଙ୍କର ପବିତ୍ର ପର୍ବ ୟୋମ କିପୁର ଥିଲା । ଇସ୍ରାଏଲୀୟମାନେ ଏହି ପର୍ବରେ ବ୍ୟସ୍ତ ଥିଲେ, ହଠାତ୍ ଆକ୍ରମଣ ହୋଇଥିବାରୁ ସେମାନେ ଆଶ୍ଚର‌୍ୟ୍ୟ ହୋଇଗଲେ । ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେଇଥିଲା। ପ୍ରାୟ ୨୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ଆରବ ଦେଶମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ଯୁଦ୍ଧ ୧୯୭୩ ର ୟୋମ କିପୁର ଯୁଦ୍ଧ ଭାବରେ ଜଣାଶୁଣା ।

ଅକ୍ଟୋବର ୬, ୨୦୨୩ ୟୋମ କିପୁର ଯୁଦ୍ଧର ବାର୍ଷିକୀ ଥିଲା ଏବଂ ଏହା ଯୁଦ୍ଧର ୫୦ ତମ ବାର୍ଷିକୀ ଅଟେ । ସେହି ସମୟରେ ଇସ୍ରାଏଲୀୟମାନେ ସେମାନଙ୍କର ସବୁଠାରୁ ପବିତ୍ର ପର୍ବ ପାଳନ କରୁଥିଲେ। ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ, ଆଜି ପର‌୍ୟ୍ୟନ୍ତ ୧୯୬୭ ଏବଂ ୧୯୭୩ ଯୁଦ୍ଧରେ ଇସ୍ରାଏଲର ଲଜ୍ଜାଜନକ ପରାଜୟକୁ ଆରବ ଦେଶମାନେ ଭୁଲି ପାରି ନାହାଁନ୍ତି । ୧୯୭୩ ଯୁଦ୍ଧର ପ୍ରତିଶୋଧ ନେବା ପାଇଁ ହାମାସ୍ ଏହି ଆକ୍ରମଣ କରିଚି । ଏଥିସହ ଏଥର ଆରବ ଏବଂ ଇସଲାମ ଦେଶଗୁଡ଼ିକୁ ମଧ୍ୟ ଏହି ଯୁଦ୍ଧରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା ।

ତେବେ ବର୍ତ୍ତମାନ ଇସ୍ରାଏଲ ଏବଂ ହାମାସର ଚାଲିଥିବା ଏହି ଯୁଦ୍ଧରେ ହିଜବୁଲା ମଧ୍ୟ ଯୋଗ ଦେଇଛନ୍ତି। ହାମାସ ପରି ଏହା ମଧ୍ୟ ଏକ ଆତଙ୍କବାଦୀ ସଂଗଠନ ଏବଂ ଏହା ଇସ୍ରାଏଲକୁ ଶତ୍ରୁ ଭାବରେ ବିବେଚନା କରୁଛି । ହିଜବୁଲ ଇରାନର ସମର୍ଥକ ଅଟେ ଏବଂ ଏହା ପାଖରେ ହଜାର ହଜାର ରକେଟ ଥିବା ଜଣାପଡିଛି। ହିଜବୁଲ ଅକ୍ଟୋବର ୮ କୁ ସିରିଆର ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସ ନିକଟରେ ଥିବା ତିନୋଟି ଇସ୍ରାଏଲ୍ ସ୍ଥିତିକୁ ଗୁଳି ଚଳାଇଛି ।